ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା: ୧୨ ବର୍ଷର ପବିତ୍ର କର୍କଟ ସହ ଲଢ଼ୁଛି

ଖଣ୍ଡଗିରି: ସ୍ବାମୀ ଅନେକ ବର୍ଷ ହେବ ଆରପାରିରେ। ବିଧବା ଗୀତା ମୂଲ ଲାଗିଲେ କି ପର ଘରେ ପାଇଟି କଲେ ପରିବାର ଚଳେ। ପୁଅକୁ ମଣିଷ କରିବା ପାଇଁ ଅନେକ ଆଶା ବାନ୍ଧିଥିଲେ। ନିଜେ କଷ୍ଟ କରି ନ ଖାଇ ନ ପିଇ ପୁଅକୁ ପଢ଼େଇ ବଡ଼ମଣିଷ କରିବେ ବୋଲି ଆଶା ଥିଲା। ହେଲେ ସେ ସବୁ ଇଚ୍ଛା ଏବେ ଭାଙ୍ଗି ଚୂରମାର ହେଇଯାଇଛି। ସବୁ ଆଶା ଏବେ ନିରାଶାରେ ପରିଣତ ହେଇଛି। କରୋନା ଜୀବିକା ଛଡ଼େଇ ନେଇଥିବାବେଳେ ଦି’ ଓଳି ଦି’ମୁଠା ଖାଇବାକୁ ପାଉ ନ ଥିବା ମା’ପୁଅ ଟିକିଏ ଅଣ୍ଟା ସଳଖୁ ସଳଖୁ ପୁଣି ଏକ ବିପଦ ତାଙ୍କୁ ମାଡ଼ି ବସିଥିଲା। ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ୧୨ ବର୍ଷର ପୁଅ ପବିତ୍ର ମୁଣ୍ଡରେ ଟ୍ୟୁମର ହୋଇ ଏବେ ତାହା କ୍ୟାନ୍ସରର ରୂପ ନେଇଛି।

ଗୀତା ସ୍ୱାଇଁ। ଘର ବ୍ରହ୍ମପୁର। ତେବେ ରାଜଧାନୀର କଳିଙ୍ଗ ବିହାର ଆସି ମୂଲ ଲାଗି ପରିବାର ଚଳାଉଥିଲେ। ଅଚାନକ ପୁଅର ମୁଣ୍ଡ ବିନ୍ଧା ଆରମ୍ଭ ହେଲା। ଅନେକ ଡାକ୍ତରଙ୍କୁ ଦେଖେଇଲେ। କେହି ପୁଅର ରୋଗ ବିଷୟରେ ଜାଣି ପାରିଲେ ନାହିଁ। ଦିନେ ପୁଅର ନାକରୁ ରକ୍ତ ସ୍ରାବ ହେବାରୁ ଆଖ ପାଖ ଲୋକଙ୍କଠୁ ଟଙ୍କା ଧାର କରି ଗୀତା ଏକ ଘରୋଇ ହସ୍ପିଟାଲରେ ଦେଖାଇଲେ। ସେଠି ପରୀକ୍ଷା ପରେ ପୁଅ ମୁଣ୍ଡରେ ଟ୍ୟୁମର ହୋଇଥିବା ଜଣାପଡ଼ିଲା। ଟଙ୍କା ନଥିଲେ ବି ପୁଅକୁ ଭଲ କରିବା ପାଇଁ ଗାଁକୁ ଯାଇ ଧାର କରଜ କରି ପୁଅର ଟ୍ୟୁମର ଅପରେସନ କଲେ। କିଛି ଦିନ ବିତିଲା ପରେ ଜାଣିବାକୁ ପାଇଲେ ପୁଅକୁ ଏବେ କ୍ୟାନ୍ସର। ଗୀତା ତଥାପି ହାର ନ ମାନି ପୁଅକୁ କେମୋ ଦେବା ପାଇଁ ହସ୍ପିଟାଲରେ ପାଣି ପରି ଟଙ୍କା ଖର୍ଚ୍ଚ କଲେ। ହେଲେ ଚିକିତ୍ସା ପାଇଁ ଆଉ ଅର୍ଥ ଯୋଗାଡ଼ କରି ପାରିଲେନି। ଶତାକ୍ଷୀ ମହିଳା ସଙ୍ଗଠନର ସଦସ୍ୟାମାନଙ୍କୁ ସାହାଯ୍ୟ ମାଗିଲେ। ସଦସ୍ୟାମାନେ ତାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଦେଖାଇଲେ। ସେଠାରେ ଡାକ୍ତର ପରୀକ୍ଷାନିରୀକ୍ଷା କରି କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ନେଇଯିବାକୁ ପରାମର୍ଶ ଦେଲେ। ଗୀତା ପୁଅକୁ ନେଇ କଟକ ଗଲେ। ସେଠି ପୁଣି ପରୀକ୍ଷା ଚାଲିଲା। ଏବେ ସେ ଘରକୁ ଫେରି ଆସିଛନ୍ତି। ଏଣେ କେମୋ ନେବାରେ ଡେରି ହେଉଥିବାରୁ ପୁଅର ଯନ୍ତ୍ରଣା ଦିନକୁ ଦିନ ବଢ଼ି ଚାଲିଛି।

ଏ ପର୍ଯ୍ୟନ୍ତ ଗୀତା ଧାରକରଜ କରି ଏବଂ ସବୁ ବିକ୍ରିବଟା କରି ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଏଭଳି ପରିସ୍ଥିତରେ ପାଖରେ ଆଉ ଟଙ୍କା ଅଛି ନା କୌଣସି ସରକାରୀ ସାହାଯ୍ୟ ମିଳୁଛି। ଏ ନେଇ ସ୍ବେଚ୍ଛାସେବୀ ସବିତା ପୃଷ୍ଟି କୁହନ୍ତି, ସେ ଓ ତାଙ୍କ ବନ୍ଧୁମାନେ ମିଶି ପୁଅ ପାଇଁ ଅନେକ ଚେଷ୍ଟା କଲେଣି। ହେଲେ କୌଣସି ଫଳ ମିଳୁ ନାହିଁ। ଯଦି କିଛି ସାହାଯ୍ୟ ମିଳନ୍ତା ତେବେ ପିଲାଟି ନୂଆ ଜୀବନ ପାଆନ୍ତା। ଯଦି କେହି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହାନ୍ତି ତେବେ ମୋବାଇଲ ନଂ. ୯୩୩୭୪୬୧୮୬୮ ନମ୍ବରରେ ଯୋଗାଯୋଗ କରିବାକୁ ଗୀତା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର