ବଡ଼ ଡାକ୍ତରଖାନାରେ ବଡ଼ ଦୁର୍ଦ୍ଦଶା: ବିନା ଚିକିତ୍ସାରେ ପଡ଼ି ରହୁଛନ୍ତି ରୋଗୀ, ଅକ୍ସିଜେନ ସିଲିଣ୍ଡର ବି ନିଜେ ବଦଳାଉଛନ୍ତି

କଟକ: ଏସ୍‌ସିବି ଆଇସୋଲେସନ ୱାର୍ଡରେ ବଢ଼ି ଚାଲିଥିବା ଅବ୍ୟବସ୍ଥାର ଭିଡିଓ ପୁଣି ଭାଇରାଲ ହୋଇଛି। ଦିନ ଦିନ ଧରି ବିନା ଚିକିତ୍ସାରେ ରୋଗୀ ପଡ଼ି ରହିବା, ତାଙ୍କ ସଂକ୍ରମଣ ସଂପର୍କରେ କୌଣସି ତଥ୍ୟ ନ ଦେବା, ଏମିତିକି ରୋଗୀଙ୍କ ଅକ୍ସିଜେନ ସିଲିଣ୍ଡର ବି କେହି ନ ବଦଳାଇବାର ଅଭିଯୋଗ ସାମ୍ନା‌କୁ ଆସିଛି। ଜଣେ ରୋଗୀ କିଭଳି ନିଜେ ଅକ୍ସିଜେନ୍‌ ସିଲିଣ୍ଡର ବଦଳାଉଛନ୍ତି, ତାହାର ଦୃଶ୍ୟ ଭାଇରାଲ ହେବା ସହ ଅନେକ ରୋଗୀ ତାଙ୍କ ଦୁର୍ଦ୍ଦଶାର ଭିଡିଓ ମଧ୍ୟ ଭାଇରାଲ କରି ଚିକିତ୍ସା ସୁବିଧା ପାଇବା ପାଇଁ ନିବେଦନ କରିଛନ୍ତି।

ସୂଚନା ଅନୁସାରେ, ବାଙ୍କୀ ବ୍ଲକ୍‌ କଳାପଥର ଅଞ୍ଚଳର ଜଣେ ଯୁବକ ଭାପୁରଠାରେ ତାଙ୍କର ସ୍ବାବ୍‌ ପରୀକ୍ଷା କରାଇଥିଲେ। ୧୮ ତାରିଖ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଲା। ହେଲେ ତାଙ୍କୁ କୋଭିଡ୍‌ ସେଣ୍ଟରକୁ ସ୍ଥାନାନ୍ତର କରାଗଲାନି। ଫଳରେ ୪ ଦିନ ହୋମ ଆଇସୋଲେସନ୍‌ରେ ରହିବା ପରେ ୨୧ତାରିଖ ଦିନ ତାଙ୍କୁ କୋଭିଡ୍‌ ସେଣ୍ଟରକୁ ପଠାଗଲା। ସେଠାରେ ଦୁଇଦିନ ରହିବା ପରେ ୨୩ରେ ନିଶ୍ବାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଏସ୍‌ସିବି ଆଇସୋଲେସନ୍‌ ୱାର୍ଡକୁ ପଠାଗଲା। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ଗତକାଲି ସଂଧ୍ୟାରୁ ଆଜି ରାତି ୯ଟା ପର୍ଯ୍ୟନ୍ତ ତାଙ୍କୁ କେହି ଡାକ୍ତର ଦେଖିଲେନି କି ସ୍ବାସ୍ଥ୍ୟ କର୍ମଚାରୀମାନେ ମଧ୍ୟ ଔଷଧ ଦେଲେ ନାହିଁ। ସେ ବାରମ୍ବାର ସକାଳୁ ତାଙ୍କ ଚିକିତ୍ସା ପାଇଁ ସମସ୍ତଙ୍କୁ କହିଥିଲେ ମଧ୍ୟ କେହି ଦେଖିବାକୁ ଆସି ନଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଗାଁକୁ ପଠାଇଦିଅ ବୋଲି ସଂପୃକ୍ତ ସଂକ୍ରମିତ ଯୁବକ ନିବେଦନ କରିଛନ୍ତି। କେବଳ ଏହି ଯୁବକଙ୍କ କଥା ନୁହେଁ, ଶଯ୍ୟା ଅଭାବରୁ ଜଣେ ସଂକ୍ରମିତ ତଳେ ଶୋଇ ଚିକିତ୍ସିତ ହେଉଥିଲେ। ଶଯ୍ୟା ମିଳିବା ପରେ ତାଙ୍କୁ ସ୍ଥାନାନ୍ତର ସମୟରେ ତାଙ୍କ ଅକ୍ସିଜେନ୍‌ ସିଲିଣ୍ଡର ବଦଲାଇବା ପାଇଁ ବାରମ୍ବାର ସେ କର୍ମଚାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ। ଫଳରେ ୱାର୍ଡର ଅନ୍ୟ ୨ଜଣ ସଂକ୍ରମିତ ତାଙ୍କ ଅକ୍ସିଜେନ୍‌ ସିଲିଣ୍ଡର ବଦଳାଇବାର ଭିଡିଓ ମଧ୍ୟ ୱାର୍ଡରୁ ଭାଇରାଲ ହୋଇଛି।

ସେହିପରି ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଘସିପୁରା ଅଂଚଳରୁ ନିଜ ମା’ଙ୍କୁ ନେଇ ଆସିଥିଲେ ଯୁବକ। ୧୯ ତାରିଖରେ ମା’ଙ୍କ ମୃତ୍ୟୁ ହେଲା। ହେଲେ ଯେହେତୁ ମା’ଙ୍କ ସଂସ୍ପର୍ଶରେ ସେ ଆସିଛନ୍ତି, ତେଣୁ ତାଙ୍କୁ ଆଇସୋଲେସନ୍‌ ୱାର୍ଡରୁ ଛଡ଼ାଗଲା ନାହିଁ। ୧୯ ତାରିଖରୁ ଆଜି ପର୍ଯ୍ୟନ୍ତ ଉକ୍ତ ଯୁବକ ୱାର୍ଡରେ ଅଛନ୍ତି। ହେଲେ ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ନା ନେଗେଟିଭ୍, ତା’ ମଧ୍ୟ ତାଙ୍କୁ ଜଣାଯାଉନଥିବା ସେ ଅଭିଯୋଗ କରିଛନ୍ତି। ଏପଟେ ମା’ ମୃତ୍ୟୁର ଦୁଃଖ, ସେପଟେ ନିଜେ ସୁସ୍ଥ ନା ସଂକ୍ରମିତ ସେଭଳି ମାନସିକ ଚାପରେ ୱାର୍ଡରେ ପଡିଛନ୍ତି ଯୁବକ। ସମନ୍ବୟ ଅଭାବରୁ ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ‌ସଂକ୍ରମିତଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ଅପରପେକ୍ଷ ଏସ୍‌ସିବିରେ ୬୦ ପାଖାପାଖି ଡାକ୍ତର ଓ ଶତାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ କର୍ମଚାରୀ ଅଭାବର ଆଳ କରି ଆଇସୋଲେସନ୍‌ ୱାର୍ଡକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସଂପର୍କରେ ଏସ୍‌ସିବି କରୋନା ନୋଡାଲ ଅଫିସର୍‌ ପ୍ରଫେସର୍‌ ଡାକ୍ତର ମନୋରଞ୍ଜନ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ବୈଠକରେ ବ୍ୟସ୍ତ ଥିବା କହି ପ୍ରଶ୍ନ ଏଡ଼ାଇ ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଗତମାସରେ ବି ଏସ୍‌ସିବି ଆଇସୋଲେସନ୍‌ ୱାର୍ଡର ଅବ୍ୟବସ୍ଥାକୁ ନେଇ ଭିଡିଓ ଭାଇରାଲ ହୋଇଥିଲା।

ବାଲିଅନ୍ତା: ସ୍ଥାନୀୟ ପ୍ରତାପରୁଦ୍ରପୁର ପଞ୍ଚାୟତର ଜଣେ କିଡ୍‌ନି ରୋଗୀ ମାସକ ମଧ୍ୟରେ ୩ଥର ପଜିଟିଭ୍‌ ଚିହ୍ନଟ ହେବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କୋଭିଡ୍‌ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିବା ପରେ ମଧ୍ୟ ସେ ବାରମ୍ବାର କୋଭିଡ୍‌ ଆକ୍ରାନ୍ତ ହେଉଥିବା ସ୍ବାବ୍‌ ପରୀକ୍ଷାରୁ ଜଣାପଡ଼ୁଛି। ଆଜି ସରଦେଇପୁର କୋଭିଡ୍‌ ପରୀକ୍ଷା କେନ୍ଦ୍ରରୁ ତାଙ୍କ ପଜିଟିଭ୍‌ ରିପୋର୍ଟ ମିଳିବା ପରେ ଲୋକେ ନାନା କଥା ଆଲୋଚନା କରୁଛନ୍ତି।

ସୂଚନାନୁସାରେ, ୩୭ ବର୍ଷୀୟ ଏହି ଯୁବକ ଭୁବନେଶ୍ବରସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି। ସେହି କମ୍ପାନିର ଜଣେ ଆକ୍ରାନ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସେ ଗତ ମାସରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚିକିତ୍ସା ପାଇଁ ସେ କୋଭିଡ୍‌ ହସ୍ପିଟାଲରେ ଭର୍ତି ହୋଇଥିଲେ। ୧୪ ଦିନ କୋଭିଡ୍‌ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ଓ ସେତେବେଳେ ପୁଣିଥରେ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ସେଥର ମଧ୍ୟ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ହେବାରୁ ତାଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ କୁହାଯାଇଥିଲା। ଗୃହ ସଙ୍ଗରୋଧର ଠିକ୍‌ ୨୮ ଦିନ ପୂରିବା ପରେ ଆଜି ସେ ସରଦେଇପୁରସ୍ଥିତ ଡାକବଙ୍ଗଳା ସ୍ବାବ ପରୀକ୍ଷା କେନ୍ଦ୍ରରେ ତୃତୀୟଥର ପାଇଁ ସ୍ବାବ୍‌ ନମୁନା ପରୀକ୍ଷା କରାଇଥିଲେ। ଏଥର ମଧ୍ୟ ତାଙ୍କ ରିପୋର୍ଟ କୋଭିଡ ପଜିଟିଭ୍‌ ଆସିଛି ବୋଲି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର କହିଛନ୍ତି। ତେଣୁ ଜଣେ ବ୍ୟକ୍ତି ତିନି ତିନିଥର ପଜିଟିଭ୍‌ ଚିହ୍ନଟ ହେବା ଘଟଣା ବାଲିଅନ୍ତା ଅଞ୍ଚଳରେ ପ୍ରଥମ ଏବଂ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।

ସମ୍ବନ୍ଧିତ ଖବର