ଭୁବନେଶ୍ବର: ଗଂଜାମ ଜିଲ୍ଲାର ପୃଥ୍ବିକ ମିଶ୍ର। ଅସ୍ଥିଶଲ୍ୟ ଜନିତ ସମସ୍ୟା‌ରେ ପୀଡ଼ିତ ତାଙ୍କ ମା’ଙ୍କୁ ଗତ ଏପ୍ରିଲ ମାସରେ ଏମ୍‌ସ ଆଣିଥିଲେ। ଏଠାରେ ଡାକ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ପାଖାପାଖି ୫ମାସ ପରେ (ଅଗଷ୍ଟରେ) ତାଙ୍କୁ ଅପରେସନ୍‌ ପାଇଁ ତାରିଖ ମିଳିଥିଲା। ସେହି ଅନୁଯାୟୀ, ନିର୍ଧାରିତ ତାରିଖ ପୂର୍ବରୁ ପୃଥ୍ବିକ ତାଙ୍କ ମା’ଙ୍କୁ ଏମ୍‌ସରେ ଭର୍ତ୍ତି କରାଇଥିଲେ। ଅପରେସନ୍‌ ପୂର୍ବରୁ ରୋଗୀର ଯେତେ ଯାହା ପରୀକ୍ଷା ହେବା କଥା, ତାହା କରାଯାଇଥିଲା। ତାଙ୍କ ମା’ ମଧ୍ୟ ଦୀର୍ଘ ସମୟ ଧରି ଉପବାସରେ ରହିଥିଲେ। କିନ୍ତୁ ଅପରେସନ୍‌ ଥିଏଟର୍‌ (ଓଟି)କୁ ଯିବା ପୂର୍ବରୁ ତାଙ୍କୁ ମନା କରି ଦିଆଗଲା। ଅପରେସନ୍‌ ଏବେ ସମ୍ଭବ ନୁହେଁ ବୋଲି ସଫାସଫା କହି ଦିଆଯିବା ସହ ପୁଣି ମାସେ ପରେ ଅର୍ଥାତ୍ ସେପ୍ଟେମ୍ବରକୁ ତାରିଖ ଦିଆଗଲା।

Advertisment

ଗତ ମାସରେ ପଶ୍ଚିମ ଓଡ଼ିଶାର ଜଣେ ରୋଗୀ ବି ଏମିତି ହଟହଟା ହୋଇଥିଲେ। ଠିକ୍‌ ଅସ୍ତ୍ରୋପଚାର ସମୟ ପୂର୍ବରୁ ତାଙ୍କୁ ଫେରାଇ ଦିଆଗଲା। କିଛି ଦିନ ତଳେ ଟ୍ରମା ଏବଂ ଏମରଜେନ୍ସି ବିଭାଗରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଅସ୍ତ୍ରୋପଚାର ପାଇଁ ଉପବାସ ରହି ଅପେକ୍ଷା କରିଥିଲେ। ତାଙ୍କୁ ମଧ୍ୟ ଶେଷ ମୁହୂର୍ତ୍ତରେ ମନା କରି ଦିଆଗଲା। ତେବେ ଉକ୍ତ ବ୍ୟକ୍ତିଜଣଙ୍କ ଅଭିଯୋଗ କରିଥିଲେ, ଗତଥର ବି ତାଙ୍କ ସହ ଏମିତି ଘଟିଥିଲା।
ଖାଲି ଏହି ହାତଗଣତି ୩ଟି ଉଦାହରଣ ନୁହେଁ, ପ୍ରାୟ ୬ରୁ ୭ମାସ ହେବ ଏମ୍‌ସରେ ଅସ୍ତ୍ରୋପଚାର ଜନିତ ବିଭ୍ରାଟ ଗୁରୁତର ରୂପ ଧାରଣ କରିଛି। ଏହାଦ୍ବାରା, ରୋଗୀଙ୍କ ସମସ୍ୟା ଗୁରୁତର ରୂପ ଧାରଣ କରୁଥିବା ବେଳେ ତତ୍‌ଜନିତ ମାନସିକ କଷ୍ଟ ଓ ଦୂରଦୂରାନ୍ତରୁ ଏଠାକୁ ଆସିବା ଖର୍ଚ୍ଚ ସେମାନଙ୍କୁ ବେଶି ବାଧୁଛି। ଜାତୀୟସ୍ତରୀୟ ଡାକ୍ତରଖାନାରେ ଏଭଳି ବଡ଼ ଅବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ସ୍ଥିତି ଜାରି ରହିଲେ ଏମ୍‌ସ ଉପରୁ ଲୋକଙ୍କ ଭରସା ଉଠିଯିବ ବୋଲି ରୋଗୀଙ୍କ ସଂପର୍କୀୟମହଲ‌ରେ ଅଭିଯୋଗ ହେଉଛି।

ନାହାନ୍ତି ଆବଶ୍ୟକ ନିଶ୍ଚେତକ, ଉପକରଣ ବି ମିଳୁନି
ଶାରୀରିକ ଯନ୍ତ୍ରଣାଠାରୁ ବଳି ପଡ଼ୁଛି ଅପେକ୍ଷାର କଷ୍ଟ

ସୂଚନା ଅନୁଯାୟୀ, ପ୍ରତି ମାସରେ ଏମ୍‌ସରେ ୩୦୦ ରୋଗୀଙ୍କ ଅସ୍ତ୍ରୋପଚାର ହେବା କଥା। ୨୦୨୦‌ରେ ମହାମାରୀ ପୂର୍ବରୁ ୧୫ଟି ଓଟି ଜରିଆରେ ୬୦ରୁ ଅଧିକ ଅସ୍ତ୍ରୋପଚାର କରାଯାଉଥିଲା। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପରେ ଓଟି ସଂଖ୍ୟା ୨୫କୁ ବୃଦ୍ଧି କରାଯାଇଛି। ମାତ୍ର ଷ୍ଟାଫ୍‌ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତି ଅଣାଯାଇନାହିଁ। ଆବଶ୍ୟକ ସଂଖ୍ୟକ ନିଶ୍ଚେତକ ଡାକ୍ତର ନାହାନ୍ତି। ମାତ୍ର ୧୩ଜଣ ନିଶ୍ଚେତକ ଥିବାରୁ ଅସ୍ତ୍ରୋପଚାର ବେଳକୁ ସମସ୍ୟା ହେଉଛି। ଅନେକ ସମୟରେ ଜରୁରିକାଳୀନ ଅସ୍ତ୍ରୋପଚାର ଆସି ପହଞ୍ଚି ଯାଉଥିବାରୁ ପୂର୍ବରୁ ତାରିଖ ପାଇଥିବା କିଛି ରୋଗୀଙ୍କ ଅସ୍ତ୍ରୋପଚାର ବାତିଲ କରିବାକୁ ବାଧ୍ୟ ହେଉଛୁ ବୋଲି ଜଣେ ଡାକ୍ତର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ଏହାବ୍ୟତୀତ ଅନ୍ୟ ଏକ ବଡ଼ ସମସ୍ୟା ହେଲା, ଅପରେସନ୍‌ ପାଇଁ ପର୍ଯ୍ୟାପ୍ତ ଉପକରଣ ଉପଲବ୍ଧ ନ ହେବା ଅସ୍ତ୍ରୋପଚାର ବାତିଲ ହେବାର ଏହା ଏକ ପ୍ରମୁଖ କାରଣ ବୋଲି ଜଣାଯାଇଛି। ଏମ୍‌ସକୁ ଔଷଧ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଯୋଗାଇବା ପାଇଁ ଅମୃତ ଫାର୍ମାସି ନାମକ ଏକ ସଂସ୍ଥା ଭାରତ ସରକାରଙ୍କ ସହ ଅନୁବନ୍ଧିତ ହୋଇଛି। ମାତ୍ର ଉକ୍ତ ସଂସ୍ଥା ସହ ଏମ୍‌ସର ବିବାଦ ଯୋଗୁଁ ସେ ଠିକ୍ ସମୟରେ ଉପକରଣ ଯୋଗାଉନାହିଁ। ଏଥିପାଇଁ ପୃଥ୍ବିକଙ୍କ ମା’ଙ୍କ ଠିକ୍‌ ସମୟରେ ଅସ୍ତ୍ରୋପଚାର ହୋଇପାରିଲା ନାହିଁ ବୋଲି ଏମ୍‌ସର ସହକାରୀ ପ୍ରଶାସକ ଏସ୍‌.କେ ପ୍ରଧାନ କହିଛନ୍ତି। ଏହାସହ ଏହି ଘଟଣା ଏମ୍‌ସ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ତେବେ ଏହାକୁ ନେଇ ଅନ୍ତରୀଣ ଯାଞ୍ଚ ଆଦେଶ ଦିଆଯାଇଛି। ରୋଗୀଙ୍କୁ ଯେପରି ଔଷଧ ଯୋଗାଣରେ ସମସ୍ୟା ହେବ ନାହିଁ, ତାହାକୁ ସୁନିଶ୍ଚିତ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯାଇଛି ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।