‘ଗଛ’ ଲୋକାର୍ପିତ : ଦ୍ବିଭାଷୀ ଓ ଚିତ୍ରରେ ଗଛର ମହତ କଥା

ଭୁବନେଶ୍ବର : ଛବି ଓ କବିତାରେ ‘ଗଛ’ ଭେଟି ଦେଇଛନ୍ତି ସବୁଜ ଫଉଜର କମାଣ୍ଡର ଡ.ଦିଲ୍ଲୀପ ଶ୍ରୀଚନ୍ଦନ। ‘ପ୍ରେରଣା’ ଅନୁଷ୍ଠାନ ମାଧ୍ୟମରେ କେବଳ ପ୍ରେରଣା ଦେବାରେ ସୀମିତ ନରହି ଗଛ ଲଗାଇବାର ଅଭିଯାନ ଜାରି ରଖିଥିବା ଡ.ଶ୍ରୀଚନ୍ଦନ ବୃକ୍ଷ ସମ୍ପର୍କିତ ମରମ କଥାକୁ କବିତା ଓ ଚିତ୍ର ସହ ପୁସ୍ତକ ‘ଗଛ’ରେ ବ୍ୟକ୍ତ କରିଛନ୍ତି। ଏହି ଦ୍ବିଭାଷୀ ପୁସ୍ତକରେ ଓଡ଼ିଆ ଓ ଇଂରାଜୀ କବିତା ରହିଛି। ଡ.ଶ୍ରୀଚନ୍ଦନ ଓଡ଼ିଆରେ କବିତା ଲେଖିଥିବା ବେଳେ ଏହାକୁ ଅନୁବାଦ କରିଛନ୍ତି ନିରଂଜନ ପତି। କବିତାର କଥାବସ୍ତୁକୁ ଚିତ୍ରରେ ସଜାଇଛନ୍ତି ଚିତ୍ରଶିଳ୍ପୀ ବଳଦେବ ମହାରଥା। ଟାଇମ୍‌ ପାସ୍‌ ପ୍ରକାଶନୀ ପ୍ରକାଶିତ ଏହି ବହିର ପରିକଳ୍ପନା କଥାକାର ଅଜୟ ସ୍ବାଇଁ କରିଥିବା ବେଳେ ସଂଯୋଜନା କରିଛନ୍ତି ସରୋଜ ବଳ।

‘ସମ୍ବାଦ’ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ‘ଗଛ’କୁ ‌ଉନ୍ମୋଚନ କରି କହିଲେ, ରାଜ୍ୟରେ ଜଙ୍ଗଲ ଯେଭଳି ହ୍ରାସ ପାଉଛି ତାହା ଉଦ୍‌ବେଗଜନକ। ହୁଏତ ଆମେ ଅସୁବିଧାରେ ପଡ଼ିନାହୁଁ ବୋଲି ଚେତିନାହୁଁ। ଏଭଳି ସ୍ଥିତିରେ ଓଡ଼ିଶାରେ ଜଙ୍ଗଲ ବଢ଼ାଇବା ଆମ ସମସ୍ତଙ୍କ ଦାୟିତ୍ବ। ଏହି ପରିପ୍ରେକ୍ଷୀରେ ଗଛକୁ ନେଇ କବିତା ଏକ ଅଦ୍ଭୁତ ସଂଯୋଗ। ଗଛ ଲଗାଇବା ପାଇଁ କବିତା ମାଧ୍ୟମରେ ବାର୍ତା ସଚେତନ କରିବାରେ ସହାୟକ ହେବ ବୋଲି ସେ କହିଥିଲେ। ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ, ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ର, ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ପୁସ୍ତକ ଓ ଡ.ଶ୍ରୀଚନ୍ଦନଙ୍କର ବୃକ୍ଷ ରୋପଣ ଅଭିଯାନର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ପୁସ୍ତକର ଲେଖକ ଡ.ଶ୍ରୀଚନ୍ଦନ କହିଲେ, ୧୯୯୯ ମହାବାତ୍ୟା ପରେ ‘ସମ୍ବାଦ’ ପକ୍ଷରୁ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉଦ୍ୟମରେ ୨ଲକ୍ଷ ଚାରା ୧ଲକ୍ଷ ଘରେ ବଣ୍ଟା ଯାଇଥିବା ବେଳେ ସେଇ ଅଭିଯାନରୁ ପ୍ରେରଣା ପାଇ ମୁଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲି। ଏଥିସହ ପରିବେଶଜନିତ ସଙ୍କଟର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସବୁଜ ସେନାବାହିନୀ ଗଢ଼ିଛୁ। ସାଧାରଣ ଜନତାଙ୍କ ଭିତରେ ଗଛ ଓ ଜୀବନ ସମ୍ପର୍କରେ ସଚେତନତାର ବାର୍ତା ବାଣ୍ଟିବା ସହ ଲୋକଙ୍କୁ ଏହା ସହ ସାମିଲ୍‌ କରି ବ୍ୟାପକ ବୃକ୍ଷରୋପଣ କରିବା ଏହାର ଆଭିମୁଖ୍ୟ। ବର୍ତମାନ ସୁଦ୍ଧା ୧୦ ହଜାର ସବୁଜ ସେନା ଆମ ସହ ସାମିଲ୍‌ ହୋଇ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମକୁ ‘ପକ୍ଷୀଘର’ ପ୍ରକାଶନୀର ପ୍ରକାଶକ ବନୋଜ ତ୍ରିପାଠୀ ପରିଚାଳନା କରିଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ଜଲିଲ୍‌ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ଦେବରାଜ ବରିଶଲ, ପ୍ରକାଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର