କିଶନନଗର: ଜଙ୍ଗଲିଆ ଅଞ୍ଚଳକୁ ଗଲେ ତାପମାତ୍ରାରେ କେତେବଡ଼ ଫରକ ଥାଏ, ତାହା ଜଣାପଡ଼ିଥାଏ। ସେଠାରେ ଗରମ କମ୍ ଅନୁଭୂତ ହୁଏ। କିନ୍ତୁ ସହରାଞ୍ଚଳରେ ବୃକ୍ଷର ସଂଖ୍ୟା ଅପେକ୍ଷାକୃତ କମ୍ ଥିବାରୁ ପାଣିପାଗରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ତେଣୁ ଆମକୁ ବ୍ୟାପକ ଭାବେ ବୃକ୍ଷରୋପଣ କରିବାକୁ ହେବ। କେବଳ ଥରଟିଏ ଗଛ ଲଗେଇ ଦେଲେ ହେବନି, ଏହାକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ। ଲୋକମାନେ ସଚେତନ ହେଲେ ଓ ଖାଲି ସ୍ଥାନମାନଙ୍କରେ ଗଛ ଲଗାଇବା ଆରମ୍ଭ କଲେ ପରିବେଶକୁ କିଛିମାତ୍ରାରେ ରକ୍ଷା କରିହେବ ବୋଲି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି।
କଟକ ସଦର ନିର୍ବାଚନମଣ୍ଡଳୀ କିଶୋରନଗର ପଞ୍ଚାୟତର ବିଶ୍ବାପଡ଼ାସ୍ଥିତ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ‘ସମ୍ବାଦ’ ପକ୍ଷରୁ ହୋଇଥିବା ପରିବେଶ ପଞ୍ଚାୟତରେ ବିଧାୟକ ଶ୍ରୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ଅଧିକ ଗଛ ଲଗାଇବା ଆବଶ୍ୟକ ନାହିଁ। କେବଳ ଗୋଟିଏ କିମ୍ବା ଦୁଇଟି ଗଛ ଲଗାଇ ତାହାକୁ ନିଜର ପରିବାର ସଦସ୍ୟ ଭଳି ଆପଣାଇ ନେବା ଆବଶ୍ୟକ। ଯଦି ସମସ୍ତେ ମିଳିମିଶି ଶତ ପ୍ରତିଶତ ଉଦ୍ୟମ କରିବା ତାହେଲେ ୩୦ ପ୍ରତିଶତ ନିଶ୍ଚୟ ପୂରଣ ହେବ। କେବଳ ଥରେ ଏଭଳି କରିଦେଲେ ହେବନି। ଲମ୍ବା ସମୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଯଦି ବୃକ୍ଷରୋପଣ କରାଯାଏ, ତାହେଲେ ଅଞ୍ଚଳ ସବୁଜିମାରେ ଭରିଯିବ ବୋଲି ବିଧାୟକ କହିଛନ୍ତି। 
ଏହି ଅବସରରେ ପରିବେଶର ସୁରକ୍ଷା ପାଇଁ ସମସ୍ତଙ୍କୁ ବିଦ୍ୟୁତ୍ ଚାଳିତ (ଇଭି) ଗାଡ଼ିର ବହୁଳ ବ୍ୟବହାର ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି। ଜନସଂଖ୍ୟା ବହୁଳଭାବେ ବୃଦ୍ଧି ପାଉଥିବାରୁ ସେହି ଅନୁସାରେ ଗାଡ଼ିମୋଟର ସଂଖ୍ୟା ମଧ୍ୟ ବଢ଼ୁଛି। ସେଗୁଡ଼ିକରୁ ବାହାରୁଥିବା ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଛି। ତେଣୁ ଇଭି ଏହାର ବଡ଼ ବିକଳ୍ପ ବୋଲି ସେ କହିଛନ୍ତି। ସଦର ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ସାଧୁଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ସୟଦ ସାଜିଦ୍ ଅଲ୍ଲୀ ସ୍ବାଗତ ଭାଷଣ ଦେଇଥିଲେ। ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ଦୀପ୍ତିରଂଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/23/untitled-4-2025-09-23-06-41-34.jpg)
