ଥୁଣ୍ଟା ରାଜଧାନୀ ; କମ୍‌ ଉପୁଡ଼ିଲା, ଅଧିକ ଭାଙ୍ଗିଲା, ଉଜୁଡ଼ିଗଲା ସବୁଜିମା, ବହୁ ବର୍ଷ ତଳକୁ ଫେରିଗଲା ରାଜଧାନୀର ସୌନ୍ଦର୍ଯ୍ୟ

ଖଣ୍ଡଗିରି ପାହାଡ଼ ରାସ୍ତାରେ ଗଛ, ଉଡ଼ିଗଲା ପାନ୍ଥିକା ଛାତ, ଡିଜିରେ ଚାଲିବ ପ୍ଲାନେଟୋରିୟମ

ବାତ୍ୟା ଫନି ଭୁବନେଶ୍ବରରେ ପ୍ରଳୟ ରଚିବା ପରେ ସାରା ରାଜଧାନୀ ଧ୍ବଂସସ୍ତୂପ ପାଲଟି ଯାଇଛି। ଯେଉଁଠି ଆଖି ପଡ଼ୁଛି ସେଠାରେ ଥୁଣ୍ଟା ଗଛ ଛିଡ଼ା ହୋଇଛି। କେଉଁଠି ରାସ୍ତା, ଘର ଉପରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିଛି ତ କେଉଁଠି ଘରର ଚିହ୍ନବର୍ଣ୍ଣ ନାହିଁ। ଘରର କାନ୍ଥ ଅଛି ତ ଛପର ନାହିଁ। ବସ୍ତି ଅଞ୍ଚଳରେ ତ ଲୋକ ନିଜ ଘର କେଉଁଟା ଚିହ୍ନି ପାରୁନାହାନ୍ତି। ଯାହାର ଘରଦ୍ବାର କିଛି ହୋଇନି, ସେମାନଙ୍କ ନିକଟରେ ଖାଇବାକୁ ନାହିଁ ନଚେତ୍ ପିଇବାକୁ ପାଣି ନାହିଁ। ପାଣି ପାଇଁ ସବୁଠି ହାହାକାର ସୃଷ୍ଟି ହୋଇଛି। ଉଜୁଡ଼ି ଯାଇଥିବା ସବୁଜିମା ଆଜି ଖରାର ପ୍ରକୋପକୁ ବଢ଼ାଇ ଦେଇଛି। ସବୁଜ ସୁନ୍ଦର ରାଜଧାନୀ ପାଇଁ ଭୁବନେଶ୍ବର ଯେଉଁ ଗର୍ବ କରୁଥିଲା, ତାହା ଆଜି ଥୁଣ୍ଟା ହୋଇ ଛିଡ଼ା ହୋଇଛି। ନା ପ୍ରକୃତିର ସୌନ୍ଦର୍ଯ୍ୟ ଅଛି ନା ସରକାରଙ୍କର ସୌନ୍ଦର୍ଯ୍ୟକରଣ ଅଛି। ସବୁ ନିଶ୍ଚିହ୍ନ ହୋଇଯାଇଛି। କେବଳ ଧ୍ବଂସସ୍ତୂପ ପାଲଟିଥିବା ରାଜଧାନୀ ଅଛି।

ଭୁବନେଶ୍ବର : ୧୯୯୯ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ରାଜଧାନୀର ସବୁଜିମା। ସବୁ କିଛି ଛାରଖାର ହୋଇଯାଇଥିଲା। ଦୀର୍ଘ ୨୦ ବର୍ଷ ହେଲା ବ୍ୟାପକ ବୃକ୍ଷରୋପଣ ପରେ ସୌନ୍ଦର୍ଯ୍ୟମୟ ହୋଇ ଉଠିଥିଲା ଭୁବ‌ନେଶ୍ବର। ପ୍ରତିବର୍ଷ ହଜାର ହଜାର ବୃକ୍ଷରୋପଣ ସହ ନୂଆ ରୂପ ପାଇଥିଲା ଐତିହ୍ୟ ସହର। ମାତ୍ର ‘ଫନି’ର ତାଣ୍ଡବ ସବୁ କିଛି ଉଜାଡ଼ି ଦେଇଛି। ‘ସବୁଜ ସୁନ୍ଦର ଭୁବନେଶ୍ବର’ରେ ଆଉ ସବୁଜିମା ନାହିଁ। ଚାରିଆଡ଼େ କେବଳ ଉଜୁଡ଼ା ପରିବେଶ। ଏୟାରପୋର୍ଟରୁ ନନ୍ଦନକାନନ, ସଚିବାଳୟରୁ ‌ସୈନିକ ସ୍କୁଲ; ସବୁଠି ଭାଙ୍ଗି ପଡ଼ିଛି ଲକ୍ଷାଧିକ ଗଛ। ବିଶାଳ ଗଛ ମାଟି କାମୁଡ଼ି ପଡ଼ିଛି।

ସହରର ସବୁଠାରୁ ଅଧିକ ସୌନ୍ଦର୍ଯ୍ୟଭରା ଏୟାରପୋର୍ଟ ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଥିବା ପ୍ରାୟ ଦେଢ଼ ହଜାର ଗଛ ଭାଙ୍ଗି ଯାଇଛି। ୧୯୯୯ ମହାବାତ୍ୟାରେ ଯେଉଁ ବରଗଛ ଛିଡ଼ା ହୋଇ ରହିଥିଲା, ତାହା ଆଜି ଭାଙ୍ଗି ପଡ଼ିଛି। କେବଳ ସେତିକି ନୁହେଁ ନ’ ରାଶିର ଥିମ୍‌କୁ ନେଇ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ବରେ ଯେଉଁ ସୌନ୍ଦର୍ଯ୍ୟକରଣ ହୋଇଥିଲା, ତାହା ବି ଖିନ୍‌ଭିନ୍‌ ହୋଇଯାଇଛି। ‘ମୀନ’ ରାଶିର ଆକୃତି ଗଛ ପଡ଼ି ଭାଙ୍ଗି ଯାଇଛି। ଏକାମ୍ରକାନନ ଭିତରେ ହଜାରରୁ ଅଧିକ ଗଛ ଭାଙ୍ଗିଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଭିତରେ ବି ବ୍ୟାପକ ବୃକ୍ଷ ନଷ୍ଟ ହୋଇଛି। ତେବେ କେତେ ନଷ୍ଟ ହୋଇଛି ତାହା ଏ ପର୍ଯ୍ୟନ୍ତ ସଠିକ୍‌ ଆକଳନ କରିପାରିନି ଜଙ୍ଗଲ ଓ ପରିବେଶ ବିଭାଗ।

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଫନି’ରେ ରାଜଧାନୀରେ କେତେ ଗଛ ନଷ୍ଟ ହୋଇଛି, ତାହା ଏବେ କହି ହେବନି। ତଥାପି ଲକ୍ଷାଧିକ ଗଛ ଭାଙ୍ଗିଛି ବୋଲି ପ୍ରାରମ୍ଭିକ ଭା‌ବେ ଆକଳନ କରାଯାଉଛି। ସେଗୁଡ଼ିକ ମଧ୍ୟରୁ ୧୦ରୁ ୧୫ ହଜାର ଗଛ ଉପୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି। ଓଡ୍ରାଫ୍‌ ପକ୍ଷରୁ ଶନିବାର ମଧ୍ୟାହ୍ନ ସୁଦ୍ଧା ପ୍ରମୁଖ ରାସ୍ତାରୁ ଗଛ କଟା ଯାଇଛି। ଗଳିକନ୍ଦି ରାସ୍ତା ସଫା କରିବାକୁ ଆହୁରି ସମୟ ଲାଗିବ। ପୂର୍ବରୁ ଯେତେ ବି ବାତ୍ୟା ହୋଇଛି କୌଣସିଥର ଏଭଳି କ୍ଷୟକ୍ଷତି ହୋଇ ନଥିଲା। ପୁରୀ, ଖୋର୍ଧା, କଟକ, ଜଗତ୍‌ସିଂହପୁର, ନୟାଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ଜଙ୍ଗଲ ବିଭାଗର କେତେ କ୍ଷତି ହୋଇଛି, ତାହାର ରିପୋର୍ଟ ସମ୍ପୃକ୍ତ ଅଞ୍ଚଳର ଡିଏଫ୍‌ଓମାନଙ୍କୁ ମଗା ଯାଇଛି। ଗୋଟିଏ ପାର୍ଶ୍ବରେ ରାସ୍ତା ସଫା ହେଉଥିବା ବେଳେ ଅନ୍ୟପଟେ ଭବିଷ୍ୟତ ନେଇ ଆଶଙ୍କା ବଢ଼ିଛି। ସହରରେ ଲକ୍ଷାଧିକ ଗଛ ଭାଙ୍ଗିଥିବାରୁ ଭବିଷ୍ୟତରେ ଗ୍ରୀଷ୍ମ ପ୍ରବାହ ବଢ଼ିବ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଉଛି ଯେ ଏତେ ସଂଖ୍ୟକ ବୃକ୍ଷ ଭାଙ୍ଗିଥିବାରୁ ଆଗାମୀ ଦିନରେ ତାପମାତ୍ରା ୪୫ରୁ ୪୮ ଡିଗ୍ରି ଛୁଇଁବା ସମ୍ଭାବନା ରହିଛି। ୭ ତାରିଖଠାରୁ ପୁଣିଥରେ ତାପମାତ୍ରା ବଢ଼ିବ।

ଖଣ୍ଡଗିରି ପାହାଡ଼ ରାସ୍ତାରେ ଗଛ, ଉଡ଼ିଗଲା ପାନ୍ଥିକା ଛାତ

ଭୁବନେଶ୍ବର : ଖଣ୍ଡଗିରି ଓ ଉଦୟଗିରି ଯମଜ ପାହାଡ଼ ଫନି ପ୍ରଳୟରେ ଶ୍ରୀହୀନ ହୋଇପଡ଼ିଛି। ଖଣ୍ଡଗିରି-ଉଦୟଗିରି ରାସ୍ତା ମଝିରେ ଗଛ ଭାଙ୍ଗି ବାଟ ଅବରୋଧ ହୋଇଥିବା ବେଳେ ଉଦୟଗିରିର ଫୁଲ ଉଦ୍ୟାନ ଓ ସାଜସଜା ଉଦ୍ୟାନ ଉପରେ ଗଛ ପଡ଼ି ଭାଙ୍ଗିରୁଜି ଯାଇଛି। ଖଣ୍ଡଗିରିର ପଛ ପାର୍ଶ୍ବରେ ଥିବା ସମସ୍ତ ଗଛ ଅଧାରୁ ଭାଙ୍ଗି ପଡ଼ିଛି। ଉଦୟଗିରିର ପାଚେରି ମଧ୍ୟ ଭାଙ୍ଗି ଯାଇଛି।

ଖଣ୍ଡଗିରି ପାହାଡ଼ ଉପରକୁ ଯିବା ରାସ୍ତାରେ ୨ଟି ବଡ଼ ଗଛ ଭାଙ୍ଗି ପାହାଡ଼ ଉପରକୁ ଚଢ଼ିବା ବାଟ ବନ୍ଦ ହୋଇଯାଇଛି। ଏଥିସହ ପାହାଡ଼ ସଂଲଗ୍ନ ବୃକ୍ଷରାଜି ମଧ୍ୟ ବ୍ୟାପକ କ୍ଷତି ହୋଇଛି। ସବୁଠୁ ବଡ଼ କ୍ଷତି ହୋଇଛି ପାନ୍ଥିକାରେ। ପାନ୍ଥିକାର ଏସି ସିଟ୍‌ ଛାତ ଉଡ଼ି ଯାଇଛି। ତେଣୁ ବାଟିକା ମଧ୍ୟରେ ଥିବା କକ୍ଷଗୁଡ଼ିକରେ ପାଣି ଜମି ରହିଛି। ଏଥିସହ ଏହି ପରିସରରେ ଥିବା ପୁରୁଣା ଘର ଉପରେ ବରଗଛ ପଡ଼ି ଅଧଭଙ୍ଗା ଅବସ୍ଥାରେ ରହିଛି। ପାନ୍ଥିକା ପରିସରରେ ବି ପ୍ରଳୟ ଯୋଗୁଁ ବହୁ ବରଗଛ ଭାଙ୍ଗି ପଡ଼ିଛି। କାହିଁ କେଉଁ କାଳରୁ ରହିଥିବା ବରଗଛଗୁଡ଼ିକ ଚେର ସହ ଉପୁଡ଼ି ପଡ଼ିଛି।

ଡିଜିରେ ଚାଲିବ ପ୍ଲାନେଟୋରିୟମ

ଭୁବନେଶ୍ବର : ଫନି ଯୋଗୁଁ ପ୍ଳାନେଟୋରିୟମ ପରିସରରେ ଥିବା ଜ୍ୟୋତିର୍ବିଜ୍ଞାନ ଉଦ୍ୟାନ ବିଶେଷ କ୍ଷତି ହୋଇଛି। ଏଥିସହ ନୂଆ ଜ୍ୟୋତିର୍ବିଜ୍ଞାନ ଗୃହର ସାମ୍ନା କାଚ ଭାଙ୍ଗିରୁଜି ଯାଇଛି। ଏଥିସହ ଆଚାର୍ଯ୍ୟ ବିହାର ମୁଖ୍ୟ ରାସ୍ତାକୁ ସଂଲଗ୍ନ ପ୍ଲାନେଟୋରିୟମର ପାଚେରି ଭୁଶୁଡ଼ି ପଡ଼ିଛି। ଏହା ପରିସରରେ ବହୁ ଉପାଦେୟ ପ୍ରକଳ୍ପ ରହିଥିଲେ ହେଁ ସେଗୁଡ଼ିକ ବିଶେଷ କ୍ଷୟକ୍ଷତି ହୋଇନାହିଁ।

ଉଦ୍ୟାନ ପ୍ରଭାବିତ ହୋଇଥିଲେ ହେଁ ସୋ’ ଚାଲିବାରେ କୌଣସି ସମସ୍ୟା ଉପୁଜିବ ନାହିଁ। ଯଦିଓ ସୋ’ ପାଇଁ ବିଦ୍ୟୁତର ଆବଶ୍ୟକତା ରହିଛି, ୧୬୦ କେଭି ବିଶିଷ୍ଟ ଡିଜେଲେ୍‌ ଜେନେରେଟର(ଡିଜି) ରହିଥିବାରୁ ସୋ’ ଚଲାଇବାରେ ସମସ୍ୟା ହେବ ନାହିଁ ବୋଲି ପ୍ଲାନେଟୋରିୟମ୍‌ ମ୍ୟାନେଜର୍‌ ଡ. ଜୟଦେବ କର କହିଛନ୍ତି। ସମ୍ଭବ ହେଲେ ଆସନ୍ତାକାଲିଠୁ ମଧ୍ୟ ସୋ’ ଚାଲିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର