ବାଲିଅନ୍ତା : ବାଲିପାଟଣା ଫରେଷ୍ଟ ରେଞ୍ଜ୍ ଅଧୀନ ହୀରାପୁରସ୍ଥିତ ପୁରୀ ମୁଖ୍ୟ କେନାଲ ବନ୍ଧ ଓ କୁଆଖାଇ ନଦୀପଠା ଅଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ଗତ କିଛି ଦିନ ମଧ୍ୟରେ ଦୁର୍ବୃତ୍ତମାନେ ୫ ହଜାରରୁ ଅଧିକ ଗଛ କାଟି ନେଇଛନ୍ତି। ଚୋରି ହୋଇଥିବା ପ୍ରାୟ ୩/୪ ଫୁଟ୍ ଗୋଲେଇର ଆକାଶିଆ ଓ ଚାକୁଣ୍ଡା ଆଦି କାଠଗଣ୍ଡିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣେ ବନ ବିଭାଗ କର୍ମଚାରୀ ଜଣାଇଛନ୍ତି। କିଛି ବ୍ୟକ୍ତି ଏହି ଜଙ୍ଗଲ ପରିସୀମା ଅଞ୍ଚଳକୁ କରାୟତ୍ତ କରିନେଇ ନିଜର ବ୍ୟକ୍ତିଗତ କାମରେ ବ୍ୟବହାର କରୁଥିବାରୁ ଚୋରି ବଢ଼ାଉଥିବା ନେଇ ଅଭିଯୋଗ ହୋଇଛି। ଭୁବନେଶ୍ୱର ଫରେଷ୍ଟ କର୍ପୋରେସନ୍ ପକ୍ଷରୁ ୨୦୧୦-୧୧ ଆର୍ଥିକ ବର୍ଷରେ କୁଆଖାଇ ଓ ପୁରୀ ମୁଖ୍ୟ କେନାଲ ବନ୍ଧ ସଂଲଗ୍ନ ପ୍ରାୟ ୨୦ ଏକର ପରିମିତ ଜାଗାରେ ଆକାଶିଆ, ଚାକୁଣ୍ଡା, ଗମ୍ଭାରି, କସି, ଅର୍ଜୁନ ଗଛ ଲଗା ଯାଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ବିଶେଷକରି ଗୃହକାର୍ଯ୍ୟରେ ବ୍ୟବହୃତ ଆକାଶିଆ ଗଛ ଜଙ୍ଗଲରୁ ବେଶି ଲୁଟ୍ ହେଉଥିବା ଗ୍ରାମବାସୀ କହିଛନ୍ତି। ଯେଉଁ ହାରରେ ଅବାଧ ଗଛକଟା ଚାଲିଛି, ଆଉ ଦିନ କେଇଟା ପରେ ଜଙ୍ଗଲ ସଂପୂର୍ଣ୍ଣ ପଦା ହୋଇଯିବ ବୋଲି ସୂଚନା ମିଳିଛି। କାଠବହ୍ଲା ଚୋରି ସଂପର୍କରେ କର୍ପୋରେସନ, ରେଞ୍ଜ୍ କର୍ତୃପକ୍ଷ ଥାନାରେ ଜଣାଇ ଆସୁଥିଲେ ମଧ୍ୟ ପାଟ୍ରୋଲିଂ କରାଯାଉନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲା ବନ ସଂରକ୍ଷକ ଏହାର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଗ୍ରାମ୍ୟ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଗଛ କାଟିନେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2018/09/balianta-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)