ଭୁବନେଶ୍ବର: କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ। ଯାହାଙ୍କ ଦର୍ଶନ ପାଇଁ ବିଶ୍ବର କୋଣଅନୁକୋଣରୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ତାଙ୍କୁ ଆଧାର କରି କେତେ ଯେ କାବ୍ୟକବିତା ଲେଖା ହୋଇଛି ତାହାର ହିସାବ ନାହିଁ। କିନ୍ତୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ପ୍ରସ୍ତୁତ ହୋଇଥିବା କିଛି ଭକ୍ତି ସଙ୍ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁଛି। ମହାପ୍ରଭୁଙ୍କ ପାଇଁ ଚର୍ଚ୍ଚିତ ଗାୟକ ‘ଜୁବିନ୍‌’ ଗାଇଥିବା ପ୍ରଥମ ଓଡ଼ିଆ ଗୀତ ‘ତମେ ଚାହିଲ ବୋଲି ଚକା ଆଖି...’ ଏବେ ସୋସିଆଲ୍‌ ମିଡିଆରେ ଲୋକପ୍ରିୟତାର ଶୀର୍ଷରେ ରହିଛି। ମାତ୍ର ତିନି ଦିନ ମଧ୍ୟରେ କୋଟି କୋଟି ଶ୍ରୋତା ଏହି ଗୀତକୁ ଶୁଣି ସାରିଲେଣି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ‘ଏକ୍ସ’ରେ ଏହି ଗୀତକୁ ସେୟାର କରିଛନ୍ତି। ଭାରତୀୟ ସଙ୍ଗୀତ ଦୁନିଆର ଖ୍ୟାତନାମା ଗାୟକ ଜୁବିନ୍‌ ନୌଟିଆଲ୍‌ଙ୍କ ଯାଦୁଗରୀ କଣ୍ଠ ଶ୍ରୋତାଙ୍କୁ ଭକ୍ତି ରସରେ ଭିଜାଉଛି। ଲୋକପ୍ରିୟ ଗୀତିକାର ବାପୁ ଗୋସ୍ବାମୀଙ୍କ ରଚନା ଓ ପ୍ରେମ୍‌ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନା ଗୀତକୁ ଜୀବନ୍ତ କରିଛି। ବଳିଷ୍ଟ ଶବ୍ଦ ସଂଯୋଜନା ସହ ଉଚ୍ଚକୋଟିର ସଙ୍ଗୀତ ନିର୍ଦ୍ଦେଶନା ଓ ଜୁବିନ୍‌ଙ୍କ ଭାବମୟ ସ୍ବର ଜଗନ୍ନାଥପ୍ରେମୀଙ୍କ ମନରେ ନିଆରା ଛାପ ଛାଡ଼ିଛି। ଜୁବିନ୍‌ ପ୍ରଥମ ଥର ପାଇଁ ଓଡ଼ିଆ ଗୀତ, ତାହା ପୁଣି ମହାପ୍ରଭୁଙ୍କ ପାଇଁ ଗାଇଛନ୍ତି। ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Advertisment

ରିଲ୍ସରେ ଟ୍ରେଣ୍ଡ କରୁଛି ନୂଆ ରିଲିଜ୍‌ ଭଜନ ‘ଜଗା ତୁ ଯାଦୁଗର’। ଏହା ଏବେ ସମସ୍ତଙ୍କ ମନ ଜିଣୁଛି। ସାମ୍ବାଦିକ ରାମକୃଷ୍ଣ ବାରିକ ଏହାକୁ ଲେଖିଛନ୍ତି। ଓଡ଼ିଶା ଓ ଓଡ଼ିଶା ବାହାରେ ବେଶ୍ ପ୍ରତିଷ୍ଠା ଲାଭ କରିଥିବା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର ଏହି ଗୀତକୁ ଗାଇଛନ୍ତି। କଣ୍ଠଦାନ ସହ ସେ ଏହି ଗୀତର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି। ଅଭିଜିତ ମିଶ୍ର ୟୁଟ୍ୟୁବ ଚେନାଲରେ ରିଲିଜ ହୋଇଥିବା ଏହି ଗୀତକୁ ଯିଏ ଶୁଣୁଛି ସିଏ କାନ୍ଦୁଛି। ସୋସିଆଲ ମିଡିଆରେ ଗୀତ ବେଶ୍ ଟ୍ରେଣ୍ଡ କରୁଥିବା ବେଳେ ରିଲ୍ସରେ ଭାଇରାଲ ହେଉଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ‘ଆହା କି ସୁନ୍ଦର ଦିଶେ ଶ୍ରୀମନ୍ଦିର ପରିକ୍ରମା’ ଲେଖିଛନ୍ତି। ଆଉ ଜଣେ ପ୍ରଶାସକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗାଇଛନ୍ତି ‘ଆହା କି ସୁନ୍ଦର ଆହା କି ଲଳିତ ଦିଶେ ଶ୍ରୀମନ୍ଦିର ପରିକ୍ରମା’। ଗୀତଟି ଗତ ବୁଧବାର ଦିନ ସିଦ୍ଧାର୍ଥ ଭକ୍ତି ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ମୁକ୍ତିଲାଭ କରିବା ପରେ ପ୍ରଶଂସା ସାଉଁଟିଛି। ଗୁରୁ ବିଜୟ ଜେନା ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସୁରଜିତ ମହାପାତ୍ର ଓ ଶ୍ରୀ ସାହୁ ଅଭିନୟ କରିଛନ୍ତି। ‘ଚକା ନୟନରେ ପ୍ରଭୁ କରିଲ କିମିଆ...ଜଗତ ସାରା ଲାଗେ ଆଜି ନୂଆ ନୂଆ...’। ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ଗୀତକୁ ଗାଇବା ସହ ଅଭିନୟ କରିଛନ୍ତି। ଶ୍ରୀ ମାର୍ଗ, ବଡ଼ଦାଣ୍ଡ, ପରିକ୍ରମା ପ୍ରକଳ୍ପକୁ ନେଇ ଗୀତ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ତାଙ୍କ ବାପା ମନ୍ମଥ ମିଶ୍ର। ପରିକ୍ରମା ପ୍ରକଳ୍ପର କିଛି ଦିନ ପୂର୍ବରୁ ଆରଭି ମ୍ୟୁଜିକ୍‌ରେ ‘ହେ ଜଗା’ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଥିଲା। ସିଲୁ ବିଭୂଙ୍କ ଭାବପୂର୍ଣ୍ଣ ଗୀତ ରଚନା, ଅଭିଜିତ୍‌ ତ୍ରିପାଠୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସୌରଭ ଭରଦ୍ବାଜ ମହାପ୍ରଭୁଙ୍କୁ ସମର୍ପଣ କରି ଗୀତଟିକୁ ଗାଇଛନ୍ତି। ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ସେୟାର କରିବା ସହ ରିଲ୍ସ ପ୍ରସ୍ତୁତ କରୁଛନ୍ତି। ଏଇ କିଛି ଦିନ ମଧ୍ୟରେ ଏହି ଭକ୍ତି ସଙ୍ଗୀତକୁ ୧୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଗୀତରେ ଅଭିନେତା ଶୋଭନଙ୍କ ଭାବବିହ୍ବଳ ଅଭିନୟ ବେଶ୍‌ ଭାବପୂର୍ଣ୍ଣ ହୋଇଥିବା ଅଧିକାଂଶ କମେଣ୍ଟରେ ଲେଖିଛନ୍ତି।