କଟକ: ଦଶ ବର୍ଷ ବିତି ଯାଇଥିଲେ ମଧ୍ୟ ଏକ ଫୌଜଦାରୀ ମାମଲାର ଶୁଣାଣି ନିମ୍ନ ଅଦାଲତରେ ଆରମ୍ଭ ହୋଇ ନ ପାରିବା ଓ ବାରମ୍ବାର ସମନ୍‌ ପରେ ମଧ୍ୟ ସାକ୍ଷୀ ହାଜର ‌ନ ହେବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏଭଳି ବିଳମ୍ବ ପାଇଁ ଆବେଦନକାରୀଙ୍କ ତ୍ବରିତ ଶୁଣାଣି ସଂପର୍କିତ ଅଧିକାର ଉଲ୍ଲଂଘନ ହୋଇଛି। ଆବେଦନକାରୀଙ୍କ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ସୁରକ୍ଷା ପ୍ରସଙ୍ଗକୁ ବିଚାରକୁ ନେଇ ଭୁବନେଶ୍ବର ଜେଏମ୍‌ଏଫ୍‌ସି(ଏଲ୍‌ଆର୍‌) ଅଦାଲତରେ ବିଚାରାଧୀନ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଟି.ଆଚାର୍ଯ୍ୟ ଓ ଅନ୍ୟ ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଏକ କମ୍ପାନିରେ ଫାକଲ୍ଟି ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କ ପ୍ରାପ୍ୟ ନେଇ ବିବାଦ ରହିଥିଲା। ୨୦୧୫, ମାର୍ଚ୍ଚ ୧ରେ ଆବେଦନକାରୀ ଓ ସହକର୍ମୀମାନେ ପ୍ରାପ୍ୟ ପାଇଁ କମ୍ପାନି କାର୍ଯ୍ୟାଳୟକୁ ଯିବାରୁ ସେମାନଙ୍କ ବିରୋଧରେ ସହିଦନଗର ଥାନାରେ କମ୍ପାନିର ସିଷ୍ଟମ୍‌ ଆଡମିନିଷ୍ଟ୍ରେଟର ଏକ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ସହିଦନଗର ଥାନାରେ ଆବେଦନକାରୀଙ୍କ ବିରୋଧରେ ଆଇପିସିର ଦଫା ୪୪୮, ୩୪୧, ୩୨୩, ୩୮୬, ୫୦୬, ୩୪ରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ସିଆରପିସିର ଧାରା ୪୧(କ)ରେ ନୋଟିସ୍ ଦେଇ ପୁଲିସ ଆବେଦନକାରୀଙ୍କୁ ଛାଡ଼ି ଦେଇଥିଲା।

ଅଭିଯୋଗ ଭିତ୍ତିହୀନ ବୋଲି ଆବେଦନକାରୀ ବାରମ୍ବାର କହିବା ପରେ ମଧ୍ୟ ପୁଲିସ ୨୦୧୫ ଜୁନ ୨୫ରେ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ୨୦୧୬ ଫେବ୍ରୁଆରି ୨ରେ ଅଦାଲତ ମାମଲାରେ କଗନିଜାନ୍ସ ଗ୍ରହଣ କରିଥିବା ବେଳେ ୨୦୨୪ ଜାନୁଆରି ୨୪ରେ ଆବେଦନକାରୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା। ଏହାପରେ ଏତଲାକାରୀଙ୍କ ସମତେ ଅନ୍ୟ ସାକ୍ଷୀଙ୍କୁ ହାଜର ହୋଇ ସାକ୍ଷ୍ୟ ପ୍ରଦାନ ପାଇଁ ସମନ୍ ଜାରି କରାଯାଇଥିଲା। ଏତଲାକାରୀ ଓ ଅନ୍ୟ ସାକ୍ଷୀ ବାରମ୍ବାର ସମନ୍ ପରେ ନ ଆସିବାରୁ ସେମାନଙ୍କ ବିରୋଧରେ ଅଦାଲତ ଗିରଫ ପରୱାନା ଜାରି କରିଥିଲେ। ଏହାପରେ ମଧ୍ୟ କୌଣସି ସାକ୍ଷୀ ଅଦାଲତରେ ହାଜର ହୋଇ ନଥିଲେ। ମାମଲା ରୁଜୁର ୧୦ ବର୍ଷ ପରେ ମଧ୍ୟ ଅଦାଲତରେ ଟ୍ରାଏଲ୍‌ ଆରମ୍ଭ ହୋଇପାରି ନଥିଲା। ଏଭଳି ସ୍ଥିତିରେ ନିମ୍ନ ଅଦାଲତର ମାମଲା ରଦ୍ଦ ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।