ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ ଆରମ୍ଭ, ୧୮ ରାଜ୍ୟରୁ ୨୪୦ କାରିଗରଙ୍କ ସମାଗମ

ଭୁବନେଶ୍ବର: ଜନଜାତିର ଶିଳ୍ପୀକୁଳକୁ ପ୍ରୋତ୍ସାହନ ସହ ସେମାନଙ୍କୁ ବଜାର ଯୋଗାଇ ‌ଦେବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ। ସିଆର୍‌ପି ଛକ ନିକଟସ୍ଥ ଜନଜାତି ସଂଗ୍ରହାଳୟ ପରିସରରେ ଆୟୋଜିତ ଏହି ୮ମ ବାର୍ଷିକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୧ଟି ଆଦିବାସୀ ଭାଷାରେ ପ୍ରସ୍ତୁତ ୪୫ଟି ସହାୟକ ପଠନ ପୁସ୍ତିକା ଲୋକାର୍ପଣ କରିଛନ୍ତି। ପୁସ୍ତକଗୁଡ଼ିକ ଜନଜାତି ଛାତ୍ରଛାତ୍ରୀମାନଙ୍କ ବହୁମୁଖି ଭାଷା ଶିକ୍ଷା ନିମନ୍ତେ ସହାୟକ ହେବ।

ଏଥିରେ ଓଡ଼ିଶା ସମେତ ସିକିମ, ମହାରାଷ୍ଟ୍ର, ତାମିଲନାଡ଼ୁ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ମଣିପୁର, ଛତିଶଗଡ଼, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ଉତ୍ତର ପ୍ରଦେଶ, ଆସାମ, ନାଗାଲାଣ୍ଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଭଳି ୧୮ଟି ରାଜ୍ୟରୁ ୨୪୦ କାରିଗର ଅଂଶଗ୍ରହଣ କରି ସ୍ବପ୍ରସ୍ତୁତ କଳା ସାମଗ୍ରୀ ପ୍ରଦର୍ଶନ କରିଛନ୍ତି। ମୋଟ୍‌ ୭୦ଟି ଷ୍ଟଲ୍‌ରେ ହସ୍ତଶିଳ୍ପ, ତନ୍ତବୁଣା ସାମଗ୍ରୀ, ଲୌହ, ବାଉଁଶ କାରୁକାର୍ଯ୍ୟ, କଣ୍ଢେଇ, ଲାଖ, ଜନଜାତି ଅଳଙ୍କାର, ବସ୍ତ୍ର, ଡୋକ୍‌ରା ଶିଳ୍ପ ଆଦିର ପ୍ରଦର୍ଶନ ସହ ବିକ୍ରୟ କରାଯାଉଛି। ଏଥିସହ ଟ୍ରାଇଫେଡ୍‌, ଟିଡିସିସି, ୱାର୍ଲଡ୍‌ ଆକ୍ଟ, ଅନ୍ବେଷା, ଏସ୍‌ସିଏସ୍‌ଟିଆର୍‌ଟିଆଇ, ଏଟିଏଲ୍‌ସି ପକ୍ଷରୁ ମଧ୍ୟ କଳା ସାମଗ୍ରୀର ବିକ୍ରିବଟା ହେଉଛି। ଏହି ଅବସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଭାଗୀୟ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ନିର୍ଦେଶକ ସଚିନ୍‌.ଆର୍‌ ଯାଦବ, ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦେଶକ ଡ.ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର