ରାଜଧାନୀରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

ଉଚ୍ଚସ୍ତରୀୟ ତଦନ୍ତ ଦାବି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଚିଠି

କଟକ : ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଆଜି ନୂଆ ମୋଡ଼ ନେଇଛି। ଅଭିଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଘଟଣାର ସିବିଆଇ କିମ୍ବା ଏସ୍‌ଆଇଟି ଗଠନ କରି ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ପୀଡ଼ିତାଙ୍କ ମା’ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ମାମଲା ରୁଜୁ କରିଥିବା ବେଳେ ପ୍ରକୃତ ସତ ପଦାକୁ ଆଣିବାକୁ ହେଲେ ଅଭିଯୋଗର ତଦନ୍ତ ଏସଆଇଟି କିମ୍ବା ସିବିଆଇ ଦ୍ବାରା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ପ୍ରଫୁଲ୍ଲଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ସେ ଏକାମ୍ର କଲେଜର ଅଧ୍ୟକ୍ଷ ଭାବେ ଅବସର ନେଇଥିବା ବେଳେ ତାଙ୍କୁ ଏବେ ୮୪ ବର୍ଷ ବୟସ। ୧୯୯୨ରେ ଉଚ୍ଚରକ୍ତ ଚାପ ଯୋଗୁଁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହା ପରଠାରୁ ସେ ଭଲ ଭାବେ କଥା କହି ପାରୁ ନାହାନ୍ତି। ୨୦୧୭ରେ ତାଙ୍କ ହାର୍ଟ ଅପରେସନ୍ ହେବା ପରେ ସେ ଘରେ ବହୁ କଷ୍ଟରେ ରହୁଛନ୍ତି। ଜଣେ ଘରୋଇ ସହାୟକ ଯୋଗା‌ଡ଼ ପାଇଁ ସେ ବ୍ରହ୍ମାନନ୍ଦଙ୍କୁ ଅନୁରୋଧ କରିଥିଲେ। ୨୦୧୯ରୁ ପୀଡ଼ିତା ତାଙ୍କ ଘରେ କାମ କରୁଥିଲେ। ପ୍ରଫୁଲ୍ଲଙ୍କ ଘରେ ରହିବା ବେଳେ ପୀଡ଼ିତା ନିର୍ଦ୍ଦିଷ୍ଟ ଫୋନ୍ ନମ୍ବରରେ ଜଣେ ଯୁବକ ସହିତ ଚାଟିଂ କରୁଥିଲେ। ଏଭଳି ଘଟଣା ପଦାକୁ ଆସିବା ପରେ ପରିବାରଲୋକ ନାବାଳିକାଙ୍କୁ ଘରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ପୀଡ଼ିତାଙ୍କ ମା’ ଭୁବନେଶ୍ବର ଘରକୁ ଆସି ଦୁର୍ଗାପୂଜା ପୂର୍ବରୁ ଝିଅଙ୍କୁ ସାଙ୍ଗରେ ନେଇ ଯାଇଥିଲେ। କିନ୍ତୁ ଏହାପରେ ନଭେମ୍ବର ୨ରେ ପୀଡ଼ିତାଙ୍କ ମା’ ବାଲିଚନ୍ଦ୍ରପୁର ଥାନାରେ ତାଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ। ପ୍ରଫୁଲ୍ଲଙ୍କ ଆବେଦନରେ ଦର୍ଶା‌ଯାଇଛି ଯେ ପୀଡ଼ିତାଙ୍କ ମା ଅନ୍ୟ ଏକ ନାଁ ନିଜର ଦର୍ଶାଇ ୨୦୧୮ରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ଆଇପିସିର ଦଫା ୩୭୬ ଓ ପୋକସୋ ଆଇନରେ ରୁଜୁ କରିଥିବା ମାମଲା ଏବେ ବିଚାରାଧୀନ ରହିଛି। ଏହି ସମସ୍ତ ଘଟଣା ଏହି ପ୍ରସଂଗକୁ ଜଟିଳ କରିଥିବା ବେଳେ ଏସଆଇଟି କିମ୍ବା ସିବିଆଇ ଦ୍ବାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି ଓ ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।

ଉଚ୍ଚସ୍ତରୀୟ ତଦନ୍ତ ଦାବି
ଭୁବନେଶ୍ବର : ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ୪ ଦିନ ପରେ ମୁହଁ ଖୋଲିଛନ୍ତି ଓଏଏସ୍ ଅଫିସର ତଥା ବିଏମସିର ଜୋନାଲ୍ ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ପତ୍ନୀ ପ୍ରଜ୍ଞା ସାଗରିକା ମହାପାତ୍ର। ସେ କହିଛନ୍ତି ଏହି ଘଟଣା ଏକ ମିଥ୍ୟା ଓ ସମ୍ପୂର୍ଣ୍ଣ ମନଗଢ଼ା। ଏହା ତାଙ୍କୁ ଓ ତାଙ୍କ ପରିବାରଲୋକଙ୍କୁ ମାନସିକ ଆଘାତ ଦେବା ସହ ସମ୍ମାନ କ୍ଷୁଣ୍ଣ କରିଛି। ଶ୍ରୀମତୀ ମହାପାତ୍ରଙ୍କ କହିବା ଅନୁସାରେ, ବ୍ରହ୍ମାନନ୍ଦ ଜେନାଙ୍କ ଜରିଆରେ ୨୦୧୯ ଫେବ୍ରୁଆରି ୧୯ରେ ନାବାଳିକାଜଣଙ୍କ ଆମ ଘରକୁ ଆସିଥିଲେ। ୮୪ ବର୍ଷୀୟ ବୃଦ୍ଧ ବାପା ପ୍ରଫୁଲ୍ଲ ମହାପାତ୍ର ଅସୁସ୍ଥ ଥିବାରୁ ଦେଖାଶୁଣା କରିବା ପାଇଁ ନାବାଳିକା ରହିଥିଲେ। ଗତ ରଜ ସମୟରେ ନାବାଳିକା ତାଙ୍କ ଘରକୁ ଯାଇଥିଲେ। ଅଗଷ୍ଟ ତୃତୀୟ ସପ୍ତାହରେ ଆସିଥିଲେ। ନାବାଳିକାର ଫୋନ୍ ନ ଥିବାରୁ ମୋ ଫୋନରେ ସେ ଘର ସହ କଥାବାର୍ତ୍ତା ହୁଏ। ଜଣେ ଯୁବକ ନାବାଳିକାଙ୍କ ଉଦ୍ଦେଶ୍ୟରେ ସହି ଫୋନକୁ ମେସେଜ୍ କରନ୍ତି। ଯୁବକଙ୍କ ମେସେଜ୍ ଦେଖି ତାଙ୍କ ମା’ଙ୍କୁ ଏ ବିଷୟରେ ଅବଗତ କରିବା ସହ ଝିଅକୁ ତାଗିଦ୍ କରିଥିଲୁ। ସେପ୍ଟେମ୍ବର ୧୩ ତାରିଖରେ ତାଙ୍କ ମା’ ଆସି ଝିଅକୁ ନେଇ ଯାଇଥିଲେ। ଘରୁ ଦୁଇହଳ କାଲଫୁଲ ଓ ଟଙ୍କା ଚୋରି ସମ୍ପର୍କରେ ଗତ ୧ ତାରିଖରେ ନାବାଳିକାଙ୍କ ମା’ଙ୍କୁ ଫୋନ୍ କରି ଜଣାଇଥିଲୁ। ଏହା ପରେ ସେମାନେ ଏପରି ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଘଟଣାର ପର୍ଦ୍ଦାଫାସ୍ କରିବା ପାଇଁ ସେ ଦାବି କରିଛନ୍ତି।

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଚିଠି
ଭୁବନେଶ୍ବର : ଓଏଏସ୍ ଅଫିସର ପ୍ରମୋଦ ପୃଷ୍ଟିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କମିସନ୍‌ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି। ସେହିପରି ଯାଜପୁର ଏସପିଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କି’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ମାମଲାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବା ପାଇଁ ଏସ୍‌ପିଙ୍କୁ କୁହାଯାଇଥିବା ଶ୍ରୀମତୀ ପ୍ରଧାନ କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ମହାପାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ଅସୁସ୍ଥ ଓ ବୟସାଧିକ କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର