ଭୁବନେଶ୍ୱର : ରାଜଧାନୀରେ ଓଏଏସ୍ ଅଫିସର୍‌ଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଯାଜପୁର ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ଜଣେ ନାବାଳିକାଙ୍କୁ ଘରେ ଆଣି କାମ କରାଇବା ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ମଧ୍ୟ ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇଛି। କେବଳ କୋହଳ ନୁହେଁ, ୧୯୮୬ର ପୁରୁଣା ଆଇନ ଅନୁସାରେ ଦଫା ଲଗାଯାଇଛି। ଯାହା ଅଭିଯୁକ୍ତଙ୍କୁ ସୁହାଉଛି ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଶିଶୁ ଶ୍ରମିକ ନିରୋଧ ଆଇନ ୧୯୮୬ର ଧାରା-୧୪ ଅନୁସାରେ ମାମଲା ରୁଜୁ ହୋଇଛି। ଏଥିରେ ସର୍ବାଧିକ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡର ବ୍ୟବସ୍ଥା ରହିଛି।

Advertisment

ସିଡବ୍ଲୁସିର ପୂର୍ବତନ ସଦସ୍ୟ ବେଣୁଧର ସେନାପତିଙ୍କ କହିବା ଅନୁସାରେ, ଜଣେ ନାବାଳିକାକୁ ଘରେ କାମ କରାଇବା ଧର୍ତ୍ତବ୍ୟ ଅପରାଧ। ତେଣୁ ଏହି କ୍ଷେତ୍ରରେ ଆଇପିସିର ଧାରା-୩୭୦, ଜେଜେ(କିଶୋର ନ୍ୟାୟ) ଆଇନର ଧାରା-୭୯, ଶିଶୁ ଶ୍ରମିକ ନିରୋଧ ଆଇନ ୨୦୧୬ ଅନୁସାରେ ମାମଲା ରୁଜୁ କରାଗଲେ ପୀଡ଼ିତା ନ୍ୟାୟ ପାଇପାରିବେ। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରିବ। ଦୃଢ଼ କାର୍ଯ୍ୟାନୁଷ୍ଠାନ ଭବିଷ୍ୟତରେ ଏକ ଉଦାହରଣ ପାଲଟିବ। ଏହି ଦଫା କାହିଁକି ଲଗାଯାଇ ନାହିଁ, ପୁଲିସ ଉପରେ କିଛି ଚାପ ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ସେନାପତି।

ଅନ୍ୟପକ୍ଷରେ ନାବାଳିକାଙ୍କୁ ଆଣି ଓଏଏସ୍ ଅଫିସର୍‌ଙ୍କ ଘରେ କାମରେ ରଖିଥିବା ମଧ୍ୟସ୍ଥ ବ୍ରହ୍ମାନନ୍ଦ ଜେନାକୁ ଗତକାଲି ଦିନତମାମ ଜେରା ପରେ ସନ୍ଧ୍ୟାରେ ଛାଡ଼ି ଦେଇଛି ପୁଲିସ। ସିଆରପିସି ଧାରା-୪୧ ନୋଟିସ୍ ଆଧାରରେ ଥାନାରୁ ଛଡ଼ା ଯାଇଥିବା ସୂଚନା ମିଳିଛି। ଯେଉଁ ସମୟରେ ଡକାଯିବ, ସେହି ସମୟରେ ହାଜର ହେବା ପାଇଁ ବ୍ରହ୍ମାନନ୍ଦକୁ କୁହାଯାଇଥିବା ଜଣେ ଅଧିକାରୀ କହିଛନ୍ତି। ସେହିପରି ଓଏଏସ୍ ଅଫିସର୍‌ ପ୍ରମୋଦ ପୃଷ୍ଟିଙ୍କ ପତ୍ତା ମିଳୁ ନଥିବାରୁ ତାଙ୍କୁ ନୋଟିସ୍ ଜାରି କରିଛି ଯାଜପୁର ପୁଲିସ। ଥାନା‌ରେ ଶୀଘ୍ର ହାଜର ହେବା ପାଇଁ ନୋଟିସ୍‌ରେ କୁହାଯାଇଛି। କେବଳ ନୋଟିସ୍ ଜାରି କରି ଦେଇ ପୁଲିସ ଚୁପ୍ ହୋଇ ବସିବା ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଡିସିପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ
ଭୁବନେଶ୍ବର : ଓଏଏସ୍ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଘରେ ନାବାଳିକା କେମିତି, କେଉଁ ପରିସ୍ଥିତିରେ କାମ କରୁଥିଲେ, ତାହାର ତଦନ୍ତ କରିବା ଲାଗି ଡିସିପି ଉମାଶଙ୍କର ଦାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଘଟଣାର ସରଜମିନ୍ ତଦନ୍ତ କରି ୭ ଦିନ ଭିତରେ ରିପୋର୍ଟ ଦେବା ଲାଗି କୁହାଯାଇଥିବା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି। ଡିସିପିଙ୍କ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।