ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର : ବାବୁଙ୍କ ଘରେ ନାବାଳିକା ଯୋଗାଉଥିଲା ଦଲାଲ୍ ବ୍ରହ୍ମାନନ୍ଦ

ପୀଡ଼ିତାଙ୍କୁ ଭେଟିଲେ ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷା
ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଆଲୋଚନା କଲେ

ଭୁବନେଶ୍ୱର : ଯାଜପୁର ପୁଲିସର ସ୍ବତନ୍ତ୍ର ଟିମ୍ ଏହି ଘଟଣାରେ ଜୋରଦାର ତଦନ୍ତ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି। ସମ୍ପୃକ୍ତ ଓଏଏସ୍ ଅଫିସର୍‌ଙ୍କ ଘରେ ନାବାଳିକାଙ୍କୁ ଯେଉଁ ଦଲାଲ ଆଣି କାମରେ ରଖିଥିଲେ, ତାଙ୍କ ସମ୍ପର୍କରେ ତଦନ୍ତକାରୀ ଟିମ୍‌କୁ ସୂଚନା ମିଳିଛି। ସମ୍ପୃକ୍ତ ଦଲାଲ ହେଲେ ମାହାଙ୍ଗା ଥାନା କୁଶୁପୁର ଅଞ୍ଚଳର ବ୍ରହ୍ମାନନ୍ଦ ଜେନା। ଏହି ଘଟଣା ପଦାକୁ ଆସିବା ପରେ ବ୍ରହ୍ମାନନ୍ଦ ଫେରାର୍‌ ହୋଇଯାଇଛି। କିନ୍ତୁ ତା’ ସମ୍ପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ବ୍ରହ୍ମାନନ୍ଦ କେବଳ ଏହି ଓଏଏସ୍ ଅଫିସର୍‌ଙ୍କ ଘରେ ନାବାଳିକାଙ୍କୁ ଆଣି କାମରେ ଲଗାଇ ନଥିଲା, ଏମିତି ରାଜଧାନୀରେ ଆହୁରି ପୁଳାପୁଳା ବାବୁଙ୍କ ଘରେ ନାବାଳିକାଙ୍କୁ କାମ କରାଇବା ପାଇଁ ସେ ଏଜେଣ୍ଟ ସାଜିଥିଲା। ବାବୁଙ୍କର ଘରୋଇ ସହାୟକ ଆବଶ୍ୟକ ପଡ଼ିଲେ, ବ୍ରହ୍ମାନନ୍ଦ ଖୋଜାପଡ଼େ। ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଜାଲରେ ଫସାଇ ଅର୍ଥ ଲୋଭ ଦେଖାଇବା ସହ ନାବାଳିକା ଝିଅଙ୍କୁ ଆଣି ଏଠାରେ ବାବୁଙ୍କ ଘର କାମରେ ଲଗାଏ। ବାବୁଙ୍କ ସମ୍ପର୍କରେ ଆସିଥିବା ବ୍ରହ୍ମାନନ୍ଦ ବହୁତ କ୍ଷମତାଶାଳୀ ବୋଲି କୁହାଯାଉଛି। ଏହି ନେଟ୍‌ଵର୍କରେ ଆହୁରି ଜଣେ, ଦୁଇଜଣ ମଧ୍ୟ ସାମିଲ ରହିଥିବା ଜଣାପଡ଼ିଛି। ବ୍ରହ୍ମାନନ୍ଦ ପୁଲିସ ହାତରେ ଧରାପଡ଼ିବା ପରେ ଆହୁରି ଗୁମର ଖୋଲିବ ବୋଲି ଆଶା କରାଯାଉଛି। ଘରୋଇ ସହାୟକ ଭାବେ କାମ କରୁଥିବା ନାବାଳିକା ଅନେକ ସମୟରେ ମାଲିକ ଓ ସମ୍ପର୍କୀୟଙ୍କ ଦ୍ବାର ଯୌନ ଉତ୍ପୀଡ଼ନ, ନିର୍ଯାତନାର ଶିକାର ହେଉଥିବା ମଧ୍ୟ ପଦାକୁ ଆସିଛି। କିନ୍ତୁ ଏ ଦିଗରେ ସେଭଳି କିଛି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନଥିବାରୁ ମାମଲା ସଂଖ୍ୟା ବଢ଼ି ଚାଲିଛି।

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ୍‌ ଘଟଣାରେ ହସ୍ତକ୍ଷେପ କରିବା ସହ ଆଜି ଦିନତମାମ ଯାଜପୁରରେ ଛାନଭିନ୍ କରିଛନ୍ତି। କମିସନ୍‌ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରଥମେ ବାଲିଚନ୍ଦ୍ରପୁର ଥାନାକୁ ଯାଇଥିଲେ। ଶ୍ରୀମତୀ ପ୍ରଧାନ ଏହି ଘଟଣାରେ ଓଏଏସ୍‌ ଅଫିସର ମୁଖ୍ୟ ଅଭିଯୁକ୍ତ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। କାରଣ ସେ ଶିକ୍ଷିତ ହୋଇ ମଧ୍ୟ ନାବାଳିକା ଝିଅକୁ କିପରି ଚାକର ଭାବେ ନିଯୁକ୍ତି ଦେଲେ ଓ ତାଙ୍କ ସୁରକ୍ଷାକୁ ‌ଗୋଡ଼ରେ ଆଡ଼େଇ ଦେଇଥିଲେ। ତେଣୁ ସଂପୃକ୍ତ ଅଧିକାରୀ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ‌ ବୋଲି କହିଛନ୍ତି।

କମିସନ୍‌ ଅଧ୍ୟକ୍ଷା ସେଠାରେ ଥାନାଧିକାରୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନାନପୁର ବିରୁପା ନଦୀ ବ୍ରିଜ୍ ତଳେ ପଲିଥିନ୍ ଟାଙ୍ଗି ରହୁଥିବା ନାବାଳିକାଙ୍କ ଘରକୁ ଯାଇଥିଲେ। ପୀଡ଼ିତାଙ୍କ ପରିବାରକୁ ଭେଟିବା ସହ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଦେଇଥିଲେ। ମାମଲାର ଅଗ୍ରଗତି ସମ୍ପର୍କରେ ଜାଣିବା ଓ ଅଭିଯୁକ୍ତଙ୍କ ବିରୋଧ‌‌ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ। ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ମଧ୍ୟ ଅଧ୍ୟକ୍ଷା ଏସପିଙ୍କୁ କହିଛନ୍ତି। ଜିଲ୍ଲାପାଳଙ୍କୁ ଭେଟିବା ସହ ନାବାଳିକା କିପରି ସରକାରୀ ସୁବିଧା ସୁଯୋଗ ପାଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଓଏଏସ୍ ଅଫିସର୍‌ଙ୍କ ଘରେ ନାବାଳିକା କାମ କରୁଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଗତ ୧ ତାରିଖରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ଓଏଏସ୍ ଅଫିସର୍‌ଙ୍କ ଶ୍ବଶୁର ଏହି କାଣ୍ଡ ଘଟାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା। ନାବାଳିକା ୫ ମାସର ଗର୍ଭବତୀ ଥିବା ପରିବାରଲୋକ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର