ଆଦିବାସୀ ପଡ଼ିଆରେ ଜନଜାତି ହାଟ

ଖର୍ଚ୍ଚ ହେବ ୧୦ କୋଟି, ଗୋଟିଏ ବର୍ଷରେ କାମ ସରିବ

ଭୁବନେଶ୍ବର: ରାଜଧାନୀରେ ଖୋଲିବ ଜନଜାତି ହାଟ। ଯେଉଁଠାରେ ମିଳିବ ଓଡ଼ିଶାରେ ଥିବା ୬୨ ପ୍ରକାର ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ। ହସ୍ତଶିଳ୍ପ, ହସ୍ତକଳା, ଟେରାକୋଟା ସାଙ୍ଗକୁ କୃଷିଜାତ ସାମଗ୍ରୀ ଏଠାରେ ବିକ୍ରିବଟା କରାଯିବ। ମୟୂରଭଞ୍ଜର ମୁଢ଼ିମା˚ସ ହେଉ ଅଥବା କନ୍ଧମାଳର ହଳଦୀ; ଆଦିବାସୀ ଅଞ୍ଚଳର ସ୍ବୟ˚ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଆରିସା ପିଠା, ବଡ଼ି, ପାମ୍ପଡ, ହଳଦୀ, ଆଚାର ସାମଗ୍ରୀ ବି ଏଠାରେ ଉପଲବ୍ଧ ହେବ। ଏଭଳି ଏକ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ ଭାବେ ୟୁନିଟ୍‌-୧ସ୍ଥିତ ଆଦିବାସୀ ପଡ଼ିଆରେ ଜନଜାତି ହାଟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ସାଢେ଼ ୫ଏକର ପରିମିତ ସ୍ଥାନରେ ହେବାକୁ ଥିବା ଏହି ଜନଜାତି ହାଟ ୨୦୨୦ ମାର୍ଚ୍ଚ ମାସ ମଧ୍ୟରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି।

ଆଦିବାସୀ ତଥା ଆଦିମ ଜନଜାତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ୧୯୬୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗକୁ ୟୁନିଟ୍‌-୧ ଅଞ୍ଚଳରେ ପ୍ରାୟ ୬ଏକର ଜମି ଦିଆଯାଇଥିଲା। ଯାହାକି ପରବର୍ତୀ ସମୟରେ ଆଦିବାସୀ ପଡ଼ିଆ ଭାବେ ପରିଚିତ ହୋଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ୯ ବର୍ଷ ହେଲା ଏହି ପଡ଼ିଆରେ ‘ସରଗି ଫୁଲ’, ଆଦିବାସୀ ମେଳା, ଜନଜାତିଙ୍କ ବିଭିନ୍ନ ଉତ୍ସବ ଏହି ପଡ଼ିଆରେ ଅନୁଷ୍ଠିତ ହେଉଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝିଙ୍କ କହିବାନୁଯାୟୀ ଆଦିବାସୀ ଅଞ୍ଚଳର ଲୋକଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା ପାଇଁ ଗ୍ରାମାଞ୍ଚଳରେ ଯେଉଁଭଳି ଆଦିବାସୀ ହାଟ ରହିଛି, ଏଠାରେ ମଧ୍ୟ ସେହିଭଳି ଜନଜାତି ହାଟ ନିର୍ମାଣ କରାଯିବ। ଆଦିବାସୀମାନେ ରାଜଧାନୀରେ ବିକ୍ରିବଟା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇବେ। ପାଖାପାଖି ସାଢ଼େ ୫ଏକର ପରିମିତ ଜମିରେ ଏହି ଜନଜାତି ହାଟର ପରିକଳ୍ପନା କରାଯାଇଛି। ଜନଜାତି ହାଟ ହେବା ପରେ ଆଦିବାସୀ ଅଞ୍ଚଳର ଲୋକେ ଭାବିବେ ଯେ ଭୁବନେଶ୍ବରରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ହାଟ ରହିଛି। ହାଟ ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ କୋଟି ଓ ପରବର୍ତୀ ପର୍ଯ୍ୟାୟରେ ଆଉ ୬କୋଟିର ବ୍ୟବସ୍ଥା ହୋଇଛି। ଏଥିରେ ମୋଟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ହାଟ ପରିସରରେ ଶତାଧିକ ବ୍ୟବସାୟ ଗୃହ ରହିବ। ଏଥିପାଇଁ ଖୁବ୍‌ଶୀଘ୍ର ଟେଣ୍ତର ଡକାଯିବ। ଟେଣ୍ତର ପ୍ରକ୍ରିୟା ଆରମ୍ଭ ହେବାର ଗୋଟିଏ ବର୍ଷ ମଧ୍ୟରେ ଜନଜାତି ହାଟ ପୂର୍ଣ୍ଣାଙ୍ଗ ରୂପ ନେବ।

ଏଥର ବି ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା!
ଗତବର୍ଷ ପରି ଏଥର ବି ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଲୋକଙ୍କ ଭିଡ଼, ଆଦିବାସୀ ସାମଗ୍ରୀ କିଣିବାକୁ ଲୋକଙ୍କ ଚାହିଦାକୁ ଦୃଷ୍ଟି ରଖି ଏଭଳି ନିଷ୍ପତ୍ତି ହୋଇଛି। ଜାନୁଆରି ୨୬ରେ ଉଦ୍‌ଘାଟିତ ହେବାକୁ ଥିବା ଏହି ମେଳା ୧୫ଦିନ ଧରି ଚାଲିବ। ଏଠାରେ ଆଦିବାସୀଙ୍କ କଳାକୃତି, ସାମଗ୍ରୀ, ଖାଦ୍ୟ ପଦାର୍ଥ ଆଦି ବିକ୍ରିବଟା ହେବ। ଆଦିବାସୀଙ୍କ ପାରମ୍ପରିକ ଗୃହ ବି ଏଥର ନିର୍ମାଣ କରାଯିବ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର