ଭୁବନେଶ୍ବର: ଫସିଗଲେ ଅଣପଞ୍ଜୀକୃତ ଅଧିବାସୀ, ଭୋକ ଉପାସରେ କଟୁଛି ଦିନ

ଭୁବନେଶ୍ବର: ରାଜଧାନୀ ଓ ସହର ଉପକଣ୍ଠରେ ଫସି ରହିଛନ୍ତି ଶହ ଶହ ଅଣପଞ୍ଜୀକୃତ ଅଧିବାସୀ। ବସ୍ତିରେ ଓ ଉପକଣ୍ଠ ଗାଁମାନଙ୍କରେ ରହି ମୂଲ ଲାଗି ଚଳୁଥିବା ଏହି ପରିବାରଗୁଡ଼ିକ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି। ସ୍ଥାନୀୟ ପ୍ରଶାସନର ଖାତା ଖତିୟାନରେ ସେମାନଙ୍କ ନାମ ନଥିବାରୁ ବର୍ତ୍ତମାନର ପ୍ରଶାସନିକ ସୁବିଧା ସୁଯୋଗରୁ ସେମାନେ ବଞ୍ଚିତ ହୋଇଛନ୍ତି। ଫଳରେ କାମ ନପାଇ ସେମାନଙ୍କୁ ଭୋକରେ ଦିନ କାଟିବାକୁ ପଡ଼ୁଛି।

ଭରତପୁର ସକଳେଶ୍ବର ବସ୍ତିରେ ଏମିତି ୩୦/୩୨ ପରିବାର ରହିଛନ୍ତି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଏହି ପରିବାର ରାଜଧାନୀରେ ଅଣପଞ୍ଜୀକୃତ ଅଧିବାସୀ। ସ୍ଥାନୀୟ ଭୋଟର ତାଲିକାରେ ସେମାନଙ୍କ ନାଁ ନାହିଁ। ତେଣୁ ରାସନ୍ କାର୍ଡ ବି ନାହିଁ। ଏମାନେ ଦିନ ମଜୁରିଆ ଶ୍ରେଣୀର। ତାଲାବନ୍ଦ ପରେ ଏମାନଙ୍କ ମଧ୍ୟରୁ ବହୁ ଲୋକ ନିଜ ଗାଁକୁ କୌଣସି ମତେ ପଳାଇଲେ। ମାତ୍ର ଏମାନେ ତାଲାବନ୍ଦ ତୁରନ୍ତ ହଟିବ ଓ ପ୍ରଶାସନ ସେମାନଙ୍କୁ ଖାଇବାକୁ ଦେବ ‌ବୋଲି ଆଶା କରି ରହିଗଲେ। ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଓ ଏମାନଙ୍କର ଗାଁରେ ମଧ୍ୟ କିଛି ବି ସାଧନ ନ ଥିବାରୁ ରାଜଧାନୀରେ ପଡ଼ି ରହିବାକୁ ବାଧ୍ୟ ହେଲେ। ଅନ୍ୟପକ୍ଷରେ ଫସି ରହିଥିବା ଶ୍ରମିକମାନଙ୍କୁ ସରକାର ଖାଇବାକୁ ଦେବେ ବୋଲି ଘୋଷଣା ମଧ୍ୟ ଏମାନଙ୍କ ମନରେ ଆଶା ସଂଚାର କରିଥିଲା। କିନ୍ତୁ ଏବେ ଫଳ ଓଲଟା। ମାଗି ଯାଚି ଧାର ଉଧାର କରି ଏମାନେ ବଡ଼ କଷ୍ଟରେ ଚଳୁଛନ୍ତି। ଦିନକୁ ଗୋଟାଏ ବେଳା ବି ଭଲରେ ଖାଇବା ଏମାନଙ୍କ ପାଇଁ ସମ୍ଭବ ହେଉନାହିଁ। ତାଲାବନ୍ଦ ପୁଣି ବଢ଼ିବା ଆଶଙ୍କା ଥିବାରୁ ଏମାନଙ୍କ ଚିନ୍ତା ବଢ଼ି ଯାଇଛି।

ଯଦି ପ୍ରଶାସନ ପକ୍ଷରୁ ଏମାନଙ୍କୁ ଚିହ୍ନଟ କରି ଖାଇବାକୁ ଦିଆନଯାଏ, ତେବେ ଭୋକ ଉପାସରେ ସେମାନେ ମରିବା ସାର ହେବ ବୋଲି କହିଛନ୍ତି। ଏ ନେଇ ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନାନୁସାରେ ଖୁବ୍‌ଶୀଘ୍ର ଏଭଳି ଲୋକଙ୍କୁ ଚିହ୍ନଟ କରାଯିବ ଓ ସେମାନଙ୍କୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ। ସେହିଭଳି ରାଜଧାନୀ ଉପକଣ୍ଠରେ କେତେ ଜଣ ସରପଞ୍ଚଙ୍କ କହିବା କଥା, ବ୍ଲକ ପ୍ରଶାସନକୁ ଏହା ଜଣାଇ ଦିଆଯାଇଛି ଓ ସେମାନଙ୍କ ପାଇଁ ତୁରନ୍ତ ବନ୍ଦୋବସ୍ତ କରାଯିବ।

ସମ୍ବନ୍ଧିତ ଖବର