ଆଦିବାସୀ ପରମ୍ପରାର କାହାଣୀ କହିଲା ‘କୁଆଁରୀ’

ଭୁବନେଶ୍ବର: ଏକ ସୁନ୍ଦରୀ କୁମାରୀର ମନ୍ତ୍ରିତ ଫୁଲକୁ ଶୁଙ୍ଘୁ ଶୁଙ୍ଘୁ ଭେଣ୍ଡିଆ ପିଲାଟା ମେଣ୍ଢା ହୋଇଯାଏ। ଯୁବତୀ ତାର କାମନାକୁ ଚରିତାର୍ଥ କରିବାକୁ ଯୁବକକୁ ରାତିରେ ଭେଣ୍ଡା ଓ ଦିନରେ ମେଣ୍ଢା କରୁଥିଲା। ସେ ଥିଲା ସାତ କୁମାରୀଙ୍କ ମଧ୍ୟରୁ ଜଣେ ମଦନା ମାଲୁଣୀ। ସାତ ଭଉଣୀଙ୍କ ତନ୍ତ୍ର ପୂଜା ଓ ଉପାସନାର ପୃଷ୍ଠଭୂମି ଉପରେ ଗଢ଼ା ହୋଇଛି ନାଟକ ‘କୁଆଁରୀ’ର କାହାଣୀ। ପ୍ରତିବର୍ଷ ଆଶ୍ବିନ ମାସରେ ବଳିଯାତ୍ରା ନାମରେ ସୁବର୍ଣ୍ଣପୁରରେ ଏକ ଲୋକଯାତ୍ରା ଅନୁଷ୍ଠିତ ହୁଏ। ଆଶ୍ବିନର ନିଟୋଳ ଜହ୍ନରାତି, ଦହନାର ବାସ୍ନା ସହିତ ଢୋଲ ମହୁରୀର ମାଦକଭରା ବାଦ୍ୟର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରାଯାଏ। ଯାହାକୁ ସୁବର୍ଣ୍ଣପୁର ଜିଲ୍ଲାର ‘ଟ୍ରେଣ୍ଡି ଏକାଡେମି’ର କଳାକାରମାନେ ମଞ୍ଚରେ ପ୍ରଦର୍ଶନ କରିଥିଲେ।

ସ୍ଥାନୀୟ ଭଞ୍ଜକଳାମଣ୍ଡପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ଉତ୍ସବ ‘ରଙ୍ଗ ସଙ୍ଗମ’ର ଆଜି ତୃତୀୟ ଦିନରେ ଆଦିବାସୀ ପରମ୍ପରାକୁ ନେଇ ଏହି ନାଟକ ମଞ୍ଚସ୍ଥ ହୋଇଥିଲା।

ପୁରୁଷୋତ୍ତମ ମିଶ୍ର ନାଟକ ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି। ଆର୍ତ୍ତତ୍ରାଣ ସାହୁ, କାହ୍ନୁଚରଣ ଗଉଡ଼, ରିୟାଜ୍‌ ଖାନ୍‌, ନଳିନୀକାନ୍ତ ଦାସ, ଦକ୍ଷ ସାହୁ, ଅଜିତ ନାୟକ, ଘୋଲା ପ୍ରସାଦ ନାଗ, କେ. ଗୋପୀଧର ନାୟର, ଶମ୍ଭୁ ବିଶି, ବନରାଜ ବୈଶାଳ, ନରେନ୍ଦ୍ର ପଣ୍ଡା, ଉମାଶଙ୍କର ବାବୁ, ଦେବେନ୍ଦ୍ର ବାଗ୍‌, ସୁଜାତା ନାୟକ, ଲିପ୍ସା ମହାରଣା, ଅନ୍ନପୂର୍ଣ୍ଣା ପଣ୍ଡା, ବିଜେତା ବାଗ୍‌, ସାଲିନି ପ୍ରଧାନ, ଅଙ୍କିତା ନାୟକ ପ୍ରମୁଖ ଅଭିନୟ କରିଥିଲେ। ନାଟକ ଆରମ୍ଭରେ ଅତିଥି ଭାବେ ନାଟ୍ୟକାର ମିହିର ମେହେର, ନରେନ୍ଦ୍ର ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ଲାଲା ବୀରେନ୍‌ ରାୟ, ସଚିବ ପ୍ରବୋଧ ରଥ, ଉପ ସଭାପତି ମନ୍ମଥ ଶତପଥୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର