ତ୍ରିବେଣୀ ମହୋତ୍ସବ: ବୁଡ଼ ପକାଇଲେ ୪ ହଜାର, ଅସ୍ଥି ବିସର୍ଜନ କଲେ ୭ ଶହ

ବାଲିପାଟଣା, ୧୧/୨ (ଇମିସ): ପବିତ୍ର ତ୍ରିବେଣୀ ଅମାବାସ୍ୟା ତିଥିରେ ପୂଣ୍ୟତୋୟା ପ୍ରାଚୀ ନଦୀ ତ୍ରିବେଣୀ ଘାଟରେ ୪ ହଜାର ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ସେହିଭଳି ୭ ଶହ ଲୋକ ସେମାନଙ୍କ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ସନ୍ଧ୍ୟାରେ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଟିପୁଅ ନୃତ୍ୟ ଓ ଲୋପ ପାଇବାକୁ ବସିଥିବା ଲୋକକଳା ଦାସକାଠିଆ ଦର୍ଶକମାନଙ୍କ ମନ କିଣିଥିଲା।

ବୁଧବାର ମଧ୍ୟରାତ୍ରରୁ ପୀଠର ଆରାଧ୍ୟ ଦେବତା ଅନ୍ତର୍ଯ୍ୟାମୀନାଥ ଓ ରାଧାମାଧବଙ୍କ ସାନ୍ନ ଓ ଗଙ୍ଗା ମାତାଙ୍କ ଆଳତି ପରେ ସାଧୁସନ୍ଥଙ୍କ ବୁଡ଼ ଆରମ୍ଭ ହୋଇଥିଲା। ଗଙ୍ଗାଠାରୁ ପ୍ରାଚୀ ନଦୀ ୧୦୦ ବର୍ଷ ବଡ଼ ବୋଲି ଲୋକକଥା ରହିଛି। ଏଠାରେ ଗୁପ୍ତ ଗଙ୍ଗାଙ୍କ ଆବିର୍ଭାବ ହୋଇଥିଲା ବୋଲି ପ୍ରାଚୀ ପୁରାଣରେ ବର୍ଣ୍ଣିତ ଅଛି। ତେଣୁ ଏହି ପବିତ୍ର ଘାଟରେ ବୁଡ଼ ପକାଇଲେ, ତାହା ଗଙ୍ଗା ସ୍ନାନ ସହ ସମାନ ବୋଲି ବିଶ୍ବାସ ରହିଛି। ତେଣୁ ଏଥର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ବୁଡ଼ ପରେ ପୀଠ ଦେବତା ଏବଂ ତ୍ରିବେଣୀଶ୍ୱର ମହାଦେବଙ୍କ ଦର୍ଶନ କରିଥିଲେ। ସକାଳୁ ଆରମ୍ଭ ହୋଇଥିଲା ଅସ୍ଥି ବିସର୍ଜନ ପର୍ବ। ମାନସିକଧାରୀମାନେ ନଦୀ ଘାଟରେ ପିଣ୍ଡଦାନ ପୂଜାର୍ଚ୍ଚନା କରିବା ପରେ ଘାଟରେ ବୁଡ଼ ପକାଇ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିଥିଲେ। ୭ ଶହ ମାନସିକଧାରୀ ସେମାନଙ୍କ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିଥିଲେ।

ଐତିହାସିକ ଦ୍ୱିତୀୟ ତ୍ରିବେଣୀ ମହୋତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଆମ ସଂଗଠନ ଓ ତ୍ରିବେଣୀ ଲାୟନ୍ସ କ୍ଲବ ମିଳିତ ଆନୁକୂଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି। ଆଜି ପ୍ରଥମେ କାକରୁଦ୍ରପୁର ପଞ୍ଚାୟତର ରାମଚନ୍ଦ୍ର ମଲ୍ଲିକ ଓ ସାଥି ଦାସକାଠିଆ ପରିବେଷଣ କରିଥିଲେ। ନିଆଳି ପ୍ରାଚୀ କଳା ବିକାଶ ପ୍ରତିଷ୍ଠାନ ମଙ୍ଗଳା ଚରଣ, ବନ୍ଦେ ଉତ୍କଳ ଜନନୀ, କୁନିକୁନି ପିଲାଙ୍କ ବମ୍‌ବମ୍‌ ଭୋଲେ, କାହ୍ନାରେ କାହ୍ନା, ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ଆଇ ପ୍ରଭୃତି ନୃତ୍ୟ ପରିବେଷଣ କରିଥିଲେ। ସେହିପରି ପ୍ରତାପରୁଦ୍ରପୁର ଜୟଦେବ ନୃତ୍ୟ ସଙ୍ଗୀତ ବିଦ୍ୟାଳୟର ପିଲାମାନେ ମଙ୍ଗଳାଚରଣ, ଶିବତାଣ୍ଡବ, ଦୁର୍ଗାତାଣ୍ଡବ ଅଭିନୟ କରିଥିଲେ। ପରେ ଲକ୍ଷ୍ମୀପ୍ରିୟା ଗୋଟିପୁଅ ନୃତ୍ୟରେ ଇନ୍ଦୋଳ କୁସିଆରୀର ଗୁରୁ ଲିଙ୍ଗରାଜ ବାରିକଙ୍କ ଦଳ ଗୁରୁ ବନ୍ଦନା, ଆହେ ନୀଳଶୈଳ ଓ ବନ୍ଧ ନୃତ୍ୟ ପରିବେଷଣ କରିଥିଲେ। ଆଜି ସନ୍ଧ୍ୟାରେ ବହୁ ସଂଖ୍ୟାରେ ଲୋକ ଯାତ୍ରା ବୁଲିଥିଲେ।

ସମ୍ବନ୍ଧିତ ଖବର