ଶୂନ୍‌ଶାନ୍‌ ତ୍ରିବେଣୀ ଘାଟ, ବୁଡ଼ିଗଲା ବେଉସା

ବାଲିପାଟଣା: ଚଳିତ ବର୍ଷ ପବିତ୍ର ଶ୍ରାବଣ ମାସର ୪ର୍ଥ ସୋମବାର ସରି ଯାଇଛି। ଶୂନ୍‌ଶାନ୍‌ ହୋଇପଡ଼ିଛି ପୁଣ୍ୟତୋୟା ପ୍ରାଚୀ ନଦୀର ତ୍ରିବେଣୀ ଘାଟ। ଶ୍ରାବଣ ସୋମବାରରେ ହର୍‌ ହର୍‌ ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଥିବା ଏହି ଘାଟ ଚଳିତ ବର୍ଷ ପାଲଟି ଯାଇଛି ଏକ ନିଃଶବ୍ଦ ଇଲାକା। ନାହାନ୍ତି କାଉଡ଼ିଆ କି ଶୁଭୁନାହିଁ ବୋଲ୍ ବମ୍, ହର ହର ବମ୍‌ ଧ୍ବନି। ଘାଟରୁ କୋଳାହଳ ଉଭେଇ ଯାଇଛି ଓ ଏଥିସହିତ ବୁଡ଼ି ଯାଇଛି ସ୍ଥାନୀୟ ଲୋକଙ୍କ ବେଉସା। ମହାମାରୀ କରୋନା ଗର୍ଭରେ ଡ଼ୁବି ଯାଇଛି ଶହ ଶହ ଲୋକଙ୍କ ରୋଜଗାର।

ବାଲିପାଟଣା ଥାନା ତ୍ରିବେଣୀଶ୍ୱର ଘାଟରେ ପ୍ରତି ବର୍ଷ ଶ୍ରାବଣ ମାସରେ ପ୍ରାୟ ୧୫ ହଜାରରୁ ଅଧିକ କାଉଡ଼ିଆ ଜଳ ସଂକଳ୍ପ କରିଥାନ୍ତି। ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ଥିବା ଅନ୍ତରବେଦି ପୀଠ ଓ ତ୍ରିବେଣୀଶ୍ୱର ମହାଦେବଙ୍କ ମନ୍ଦିର ନିକଟସ୍ଥ ଏହି ପବିତ୍ର ଘାଟରୁ କାଉଡ଼ିଆମାନେ ଜଳ ଉଠାନ୍ତି ଓ ବିଭିନ୍ନ ଶୈବ ମନ୍ଦିରେ ଜଳ ଲାଗି କରନ୍ତି। ଏଠାରେ ହିଁ ଗୁପ୍ତଗଙ୍ଗାଙ୍କ ଆବିର୍ଭାବ ହୋଇଥିବା ନେଇ କିଂବଦନ୍ତି ରହିଛି। ଗଙ୍ଗାନଦୀଠାରୁ ପ୍ରାଚୀ ନଦୀ ୧୦୦ ବର୍ଷ ବଡ଼ ବୋଲି ବିଶ୍ବାସ ରହିଛି। ପ୍ରାଚୀ ନଦୀ ପଠାରେ ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ଶକ୍ତିପୀଠ ଓ ଦ୍ୱାଦଶ ମାଧବ ପ୍ରତିଷ୍ଠିତ। ଏହି ନଦୀ କୂଳରେ ଆପାତତଃ ଦଶମ ଦ୍ୱାଦଶ ଶତାବ୍ଦୀରେ ହରି ହର ଉପାସନା ହୋଇଥିବା ନେଇ ମୁନୀମାନେ ମତ ଦେଇଛନ୍ତି। ନିକଟରେ ପାଣ୍ଡବକୁଦ ମଠ ମଧ୍ୟ ଅଛି। ଏଠାରେ ଭଗବାନ ଶ୍ରୀକୃଷ୍ଣ ଅନ୍ତର୍ଧାନ ହୋଇଥିବା କୁହାଯାଏ। ତେଣୁ ଏହାକୁ ଅନ୍ତର୍ବେଦୀ ପୀଠରେ ନାମିତ ହୋଇଥିବା କିଂବଦନ୍ତି କୁହେ। ପ୍ରାଚୀନଦୀ ସହ ଜଗନ୍ନାଥ ସଂସ୍କୃତିର ସମ୍ପର୍କ ଯୋଡ଼ି ହୋଇ ରହିଛି। ତେଣୁ ଏଭଳି ଏକ ପବିତ୍ର ପୀଠରୁ ଶ୍ରାବଣ ଜଳଭାର ନେଇ ଶୈବ ପୀଠରେ ଲାଗି କରିବାକୁ ଶ୍ରଦ୍ଧାଳୁମାନେ ପସନ୍ଦ କରିଥାନ୍ତି। ଏଠାରୁ କାଉଡ଼ିଆମାନେ ପୁରୀ ଲୋକନାଥ ମହାଦେବ, ପ୍ରଭୁ ଲିଙ୍ଗରାଜ, ଲଡ଼ୁବାବା, କପିଳାସ (ଚନ୍ଦ୍ରଶେଖର ବାବା), ଆରଡ଼ି ଆଖଣ୍ଡଳମଣି ବାବା, ପଞ୍ଚଲିଙ୍ଗେଶ୍ୱର, କଟକ ଧବଳେଶ୍ୱର, ଗୋରଖନାଥ, ବାଲି କପିଳେଶ୍ବର, ବେଲେଶ୍ୱର, ବୁଦ୍ଧନାଥ, ନୀଳକଣ୍ଠେଶ୍ୱର, ମୁକ୍ତିଶ୍ୱର, ବାଲୁଙ୍କେଶ୍ୱର, ଅନ୍ଧ କପିଳେଶ୍ବର, ବୁଦ୍ଧିକେଶ୍ୱର, ଯୋଡ଼ାଲିଙ୍ଗ, ଆଖଣ୍ଡଳେଶ୍ୱର, ଚମ୍ପନାଥ, ବକ୍ରେଶ୍ୱର, ଇଶାନେଶ୍ୱର ଆଦି ଶୈବ ପୀଠକୁ ଯାଆନ୍ତି।

କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଏହି ପରମ୍ପରାକୁ ବନ୍ଦ କରାଯାଇଛି। ଫଳରେ ଏହି ସମୟରେ ଏହି ଘାଟରୁ ରୋଜଗାର କରୁଥିବା ଶହ ଶହ ଲୋକ ପ୍ରଭାବିତ ହୋଇଛନ୍ତି। ପୁରୋହିତ, ପୂଜାରୀ, ମହାପାତ୍ର ଓ ଅନ୍ୟାନ୍ୟ ବ୍ୟବସାୟୀଙ୍କ ରୋଜଗାର ବନ୍ଦ ହୋଇ ଯାଇଛି। କାଉଡ଼ିଆମାନଙ୍କୁ ବ୍ରତୀ କରାଉଥିବା ବ୍ରାହ୍ମଣଙ୍କଠାରୁ ଆରମ୍ଭ କରି ଦୋକାନ ବଜାର କରି ଦି’ ପଇସା ରୋଜଗାର କରୁଥିବା ଶହ ଶହ ଲୋକ ଚଳିତ ବର୍ଷ ରୋଜଗାର ହରାଇଛନ୍ତି।

ସମ୍ବନ୍ଧିତ ଖବର