ଗୀତରେ ସଂଗୀତ ସୁରମଣିଙ୍କୁ ଶ୍ରଦ୍ଧାଞ୍ଜଳି, ସୁଷମା ଗୋ ତୁମ ଅଙ୍ଗେ ଭରା…

ଭୁବନେଶ୍ବର: ଦିନେ ସଂଗୀତର ସୁରମଣିଙ୍କ କଣ୍ଠ ନିଃସୃତ ଗୀତ ଓ ପ୍ରସ୍ତୁତ ସଂଗୀତର ମୂର୍ଚ୍ଛନା ଗୁଣଗ୍ରାହୀ ଶ୍ରୋତାଙ୍କୁ ବାନ୍ଧି ରଖୁଥିବା ବେଳେ ଆଜି ସେଇ ଗୀତ ଓ ସଂଗୀତରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କୁ ଶ୍ରଦ୍ଧା ନିବେଦନର ଅବକାଶ ସୃ‌ଷ୍ଟି ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ବିଭାଗ ଦ୍ବାରା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ସଂଯୁକ୍ତା ଓ ରଘୁନାଥ ପାଣିଗ୍ରାହୀ କଲ୍‌ଚରାଲ୍‌ ହେରିଟେଜ୍‌ ଫାଉଣ୍ଡେସନ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ନମାମି ସୁରମଣି’ କାର୍ଯ୍ୟକ୍ରମରେ ଏହି ଅବସର ଭେଟି ଦେଇଥିଲା। ଏହି ଅବସରରେ ‘ସୁଷମା ଗୋ ତୁମ ଅଙ୍ଗେ ଭରା ମଧୁ ଜୋଚ୍ଛନା.., ନାଚ ନାଚ ସଜନୀ ନାଚରେ.., ଆଗୋ ଚନ୍ଦ୍ରିକା.., ନୁପୂର ବଜାଏ କିଏ.., ଚମ୍ପକ ବରନୀ ଗୋ.. ଭଳି ସଂଗୀତ ଭେଟି ଦେଇଥିଲେ ଦେବାଶିଷ ମହାପାତ୍ର, ମହାପ୍ରସାଦ କର, ଗୌତମ ଗିରି, ମିତାଲି ଚିନାରା, ଆଦ୍ୟାଶା ଦାସ, ନାଜିଆ ଆଲମ, ହରପ୍ରିୟା ସ୍ବାଇଁ, ବାବୁ ପାଣିଗ୍ରାହୀ, ନନ୍ଦିନୀ, ରନ୍ଦୀପ, ବନ୍ଦିଶ, ସୁରଭିଙ୍କ ସମେତ ଅନ୍ୟ କଣ୍ଠଶିଳ୍ପୀବୃନ୍ଦ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ଅଭିନେତ୍ରୀ ଡ. ମାଳବିକା ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ସଂଜୀବ ଚନ୍ଦ୍ର ହୋତା ଓ ଟ୍ରଷ୍ଟି ସମ୍ପାଦକ ବାବୁ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଫାଉଣ୍ଡେସନ୍‌ ସହଭାଗିତାରେ ‘ଉସ୍ତାଦ ରସିଦ୍‌ ଖାଁ ସ୍କୁଲ୍‌ ଅଫ୍‌ ମ୍ୟୁଜିକ୍‌’ ଖୋଲାଯିବା ନେଇ ଉତ୍ସବର ସ୍ବତନ୍ତ୍ର ଅତିଥି ଜୟିତା ରସିଦ୍‌ ଖାଁ ସୂଚନା ଦେଇଥିଲେ। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସବ୍ୟସାଚୀ ପାଣିଗ୍ରାହୀ, ସାତ୍ୟକୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର