ଶ୍ରାଦ୍ଧବାର୍ଷିକୀରେ ଭଜନ ସମ୍ରାଟଙ୍କୁ ଶ୍ରଦ୍ଧାଞ୍ଜଳି: ଦାସିଆ ନଡ଼ିଆ ସିନା ତୋତେ ବଢ଼ିଆ…

ଭୁବନେଶ୍ବର: ‘ଦାସିଆ ନଡ଼ିଆ ସିନା ତୋତେ ବଢ଼ିଆ’, ‘ଷାଠିଏ ପଉଟି ଭୋଗରୁ ତୁମର’, ‘କୋଠ ଭୋଗଖିଆ’, ‘ଏମିତି ଏ ବଡ଼ ଦାଣ୍ଡେ’, ‘ଭକତ ବିଦୂର ଶାଗଭଜା ଦେଇ’ ଭଳି ଚିରସ୍ମରଣୀୟ ଓଡ଼ିଆ ଭଜନ ସବୁକୁ କିଏ ବା ମନେ ନ ରଖିଛି! ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠ ନିଃସୃତ ଏହି ଭଜନ ଆଜି ଶୁଣିଲେ, କାହା ଦେହ ବା ଶିହରିତ ନହୋଇ ରହିବ। ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ସୃଷ୍ଟି ହୋଇଥିବା ଭକ୍ତିମୟ ପରିବେଶରେ ଉପସ୍ଥିତ ଦର୍ଶକ ତଥା ଶ୍ରୋତାଙ୍କ ଭିତରେ ସେମିତି ଶିହରଣ। ଅବସର ଥିଲା ଶ୍ରାଦ୍ଧବାର୍ଷିକୀରେ ଭଜନ ସମ୍ରାଟ ଭିକାରୀ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ।

ସାଂସ୍କୃତିକ ଅନୁଷ୍ଠାନ ‘ୟୁଥ୍‌’ ଏବଂ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ଭିକାରୀ ବଳ ଭଜନ ଓ ପଲ୍ଲିଗୀତ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ଭଜନ ‘ହେ ପୀତବାସ, ନିଃଶ୍ବାସକୁ ନାହିଁ ବିଶ୍ବାସ’ରୁ। ଗୀତିକାର ଶ୍ରୀକାନ୍ତ ଗୌତମଙ୍କ ରଚିତ ଏହି ଭଜନକୁ ଦର୍ଶକଙ୍କୁ ପରଷି ଦେଇଥିଲେ କଣ୍ଠଶିଳ୍ପୀ ରବି ମିଶ୍ର। ଏହାପରେ ରାଧାନାଥ ମିଶ୍ରଙ୍କ ରଚିତ ଭଜନ ‘ଭକତ ବିଦୂର ଶାଗଭଜା ଦେଇ’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ପରେ ଭଜନ ‘ଦୀନବନ୍ଧୁ, ଏହି ଅଳି ଶ୍ରୀଛାମୁରେ’, ‘ଜଗା କାଳିଆରେ’, ‘ଷାଠିଏ ପଉଟି ଭୋଗରୁ ତୁମର’, ‘ଜଗନ୍ନାଥ କଲେ ଯାହା ଅନାଥ’, ‘କୋଠ ଭୋଗଖିଆ’, ‘ମନ ପାରାରେ ଶ୍ରୀକ୍ଷେତ୍ର ଯିବି ଉଡ଼ି ଉଡ଼ିକି’, ‘ଏମିତି ଏ ବଡ଼ଦାଣ୍ଡେ’, ‘ଦାସିଆ ନଡ଼ିଆ ସିନା ତତୋ ବଢ଼ିଆ’, ‘ମୁଁ ତ ବଡ଼ଦେଉଳର ପାରାରେ’ ଆଦି କାଳଜୟୀ ଭଜନ ଦର୍ଶକମାନଙ୍କୁ ନିଜ ଆସନରୁ ଉଠିବାକୁ ଦେଇନଥିଲା। କାର୍ଯ୍ୟକ୍ରମ ଅବସରରେ ଗୀତିକାର ଶ୍ରୀକାନ୍ତ ଗୌତମଙ୍କୁ ‘ଭିକାରୀ ବଳ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ନିମାକାନ୍ତ ରାଉତରାୟ, କଣ୍ଠଶିଳ୍ପୀ ଅନସୂୟା ନାଥଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ରାଜ୍ୟସ୍ତରୀୟ ଭିକାରୀ ବଳ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ସତ୍ୟବ୍ରତ ମଲ୍ଲିକ, ମୋହିନୀ ସେଠୀ, ପ୍ରଦ୍ୟୁମ୍ନ ରଞ୍ଜନ ସାହୁ, ଅଭିଷେକ ରାୟ, ଶୁଭ୍ରାଂଶୁ ବିଶୋଇ, ସ୍ନେହାଶିଷ ଦାସ, ଆଦ୍ୟାସା ବେଉରା, ସ୍ବସ୍ତିକ ମିଶ୍ର, ଶ୍ରେୟାଂସ୍‌ ପଟ୍ଟନାୟକ, ରାଜେଶ ନାଥ, ସମର୍ଥ ସ୍ବରପ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଗୀତିକାର ରାଧାନାଥ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ ସଂଯୋଜନା ଦାୟିତ୍ବ ତୁଲାଇଥିବା ବେଳେ ଲଲାଟ କିଶୋର ସାହୁ, ଅଭିଷେକ ଖଟୁଆ, କୃପାସିନ୍ଧୁ ପ୍ରଧାନ, ସଂଘମିତ୍ରା ଦାସ, ଦିଲ୍ଲୀପ ନାୟକ ଓ ମାନସ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚିତ୍ତରଂଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର