କଳିଙ୍ଗବିହାରରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି, ଲଣ୍ଡା ହେଲେ, ମହାପ୍ରସାଦ ସେବନ କରାଇଲେ

ଖଣ୍ଡଗିରି : କଳିଙ୍ଗବିହାରରେ ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଦଶାହ ଓ ଏକାଦଶାହ ପାଳନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଲତାଙ୍କ ସୁମଧୁର ସ୍ବରର ବଡ଼ ପ୍ରଶଂସକ ଭାବେ ଜଣାଶୁଣା ତାରାଶଙ୍କର ମିଶ୍ର ନିଜ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଗତକାଲି ଦଶାହ ଅବସରରେ ସେ ନିଜେ ଲଣ୍ଡା ହେବା ସହ ଆଜି ଏକାଦଶାହ ଅବସରରେ ସ୍ଥାନୀୟ ଲୋକଙ୍କୁ ମହାପ୍ରସାଦ ସେବନ କରାଇଛନ୍ତି। ତାରାଶଙ୍କରଙ୍କ କହିବା କଥା ପିଲାବେଳୁ ସେ ଲତାଙ୍କ ଗୀତକୁ ଭଲ ପାଇ ବସିଛନ୍ତି। ଏମିତିକି ଲତାଙ୍କୁ ସେ ମା’ ଭଳି ଭଲ ପାଉଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ସେ ନିଜ ପକ୍ଷରୁ ଦଶାହ ଓ ଏକାଦଶାହ କାର୍ଯ୍ୟକ୍ରମ କରିବେ ବୋଲି ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଆଜି ସନ୍ଧ୍ୟାରେ ଏକାଦଶାହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକେ ଲତାଙ୍କ ଗୀତ ଗାଇଥିଲେ ଓ କିଛି ବକ୍ତା ଲତାଙ୍କ ବିଷୟରେ କହିଥିଲେ।

ଶାଢ଼ି ଓ କପଡ଼ା ବାଣ୍ଟି ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ବାରଙ୍ଗ : କୋକିଳ କଣ୍ଠି ଲତା ମଙ୍ଗେଶକରଙ୍କ ଏକାଦଶା‌ହ ଅବସରରେ ବାରଙ୍ଗ ମଧୁସୂଦନପୁର ଗ୍ରାମର ସୋମନାଥ ମହାପାତ୍ର ଶାଢ଼ି ଓ କପଡ଼ା ବାଣ୍ଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଜି ସେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବସ୍ତି ବୁଲି ଗରିବ ମହିଳାଙ୍କ ଶାଢ଼ି ଓ ପିଲାଙ୍କୁ ପ୍ୟାଣ୍ଟ ସାର୍ଟ କପଡ଼ା ବାଣ୍ଟିଥିଲେ। ସେ ଜଣେ ଅବସରପ୍ରାପ୍ତ ଡାକ ବିଭାଗ କର୍ମଚାରୀ। ସେ ଲତାଙ୍କ ଗୀତର ଜଣେ ବଡ଼ ପ୍ରଶଂସକ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ।

ସମ୍ବନ୍ଧିତ ଖବର