ଜୟନ୍ତୀରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି, ଓକିଲ ସଂଘ ପାଳିଲା ମଧୁ ଜୟନ୍ତୀ

ବିଧାନସଭାରେ ମଧୁବାବୁଙ୍କ ଜୟନ୍ତୀ ପାଳିତ, ‘ମଧୁବାବୁ ଥିଲେ ଓଡ଼ିଆ ଜାତିର ମୁକୁଟ ବିହୀନ ସମ୍ରାଟ’

ପୁରୁଣା ଭୁବନେଶ୍ୱର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀ ତଥା ଓକିଲ ଦିବସକୁ ଆଜି ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ପାଳିତ ହୋଇଯାଇଛି। ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାପର୍ଣ କରାଯିବା ସହ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟବିଚାରପତି ଶ୍ୟାମସୁନ୍ଦର ଦାଶ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଅଶୋକ କୁମାର ପାତ୍ର, ସଂଘ ସଭାପତି ନିର୍ମଳ ରଥ, ସମ୍ପାଦକ ରାଜ୍‌ କିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହସମ୍ପାଦକ ଶିବ ନାରାୟଣ ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ଅଭିଜିତ୍‌ ମିଶ୍ର, ଅସିତ ମହାପାତ୍ର, ଅମରେଶ ସ୍ବାଇଁ, ଅନ୍ତର୍ଯ୍ୟାମୀ ବିଶ୍ବାଳ, ନାରାୟଣ ଜେନା, ସବ୍ୟସାଚୀ ସୁତାର, ସୁରେଶ କୁମାର ଦାସ, ଅମୂଲ୍ୟ ପ୍ରସାଦ ନାୟକ, ଲୀନା ପଟ୍ଟନାୟକ, ପ୍ରମିଳା ଜାଲି ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ଅନୁଷ୍ଠିତ ଭର୍ଚୁଆଲ୍‌ ସଭାରେ ବହୁ ଆଇନଜୀବୀ ସାମିଲ ହୋଇଥିଲେ।

ଭୁବନେଶ୍ବର: ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର, ସ୍ବାଭିମାନୀ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କୋଭିଡ କଟକଣା ଭିତରେ ପାଳିତ ହୋଇଥିବା ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ସ୍ମୃତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଭୁବନେଶ୍ୱର: ‘ମଧୁବାବୁ ଥିଲେ ଓଡ଼ିଆ ଜାତିର ମୁକୁଟ ବିହୀନ ସମ୍ରାଟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଅବଦାନର ତୁଳନା ନାହିଁ। ଓଡ଼ିଆ ଜାତିପ୍ରାଣକୁ ବଳିଷ୍ଠ କରିଥିବା ବରପୁତ୍ରମାନଙ୍କ ମଧ୍ୟରେ ମଧୁବାବୁ ହେଉଛନ୍ତି ଅନ୍ୟତମ ଶ୍ରେଷ୍ଠ ଜନନାୟକ।’ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆୟୋଜିତ ‘ନବ ଓଡ଼ିଶାର ନିର୍ମାତା – ମଧୁବାବୁ’ ଶୀର୍ଷକ ୱେବିନାର୍‌ କାର୍ଯ୍ୟକ୍ରମରେ ଏଭଳି ମତବ୍ୟକ୍ତ କରିଛନ୍ତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ‌ାଇଁ ସେତେବେଳେ ହୋଇଥିବା ମହାସଂଗ୍ରାମର ସେ ହିଁ ଥିଲେ ସେନାପତି ବୋଲି ସେ କହିଥିଲେ।

ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର। ମଧୁବାବୁ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାକୁ କରିଥିବା ଉଦ୍ୟମ ଉପରେ ସେ ଆଲୋକପାତ କରିଥିଲେ। ମଧୁବାବୁଙ୍କ କୁଟୀର ଶିଳ୍ପ କଥା ଉଠାଇ ମନ୍ତ୍ରୀ ଶ୍ରୀ ମିଶ୍ର ଆଜିର ଦିନ‌ରେ ଉକ୍ତ ଶିଳ୍ପର ଗୁରୁତ୍ବ ଉପରେ ମତ ରଖିଥିଲେ। ପ୍ରମୁଖ ଶାସନ ସଚିବ ଡ. ବିଷ୍ଣୁପଦ ସେଠୀ ମଧୁବାବୁଙ୍କୁ ଓଡ଼ିଆ ଭାଷା ସାହିତ୍ୟର ସାଧକ ଓ ଉପାସକ ବୋଲି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ। ସଂଗ୍ରହାଳୟରେ ସାଇତା ହୋଇ ରହିଥିବା ମଧୁବାବୁଙ୍କ ପଗଡ଼ି, ଚଷମା, ହାତବାଡ଼ି, ହାତୀ ଦାନ୍ତ ଖଚିତ ଟେବୁଲ୍, ମାନପତ୍ର, ପାନ ଡବା, ବନ୍ଧୁକ, ରୁମାଲ, ଚାମଚ୍ ପ୍ରଭୃତି ୱେବିନାର୍‌ ମାଧ୍ୟମରେ ସେ ପ୍ରଦର୍ଶନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ଅନେକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ।

 

ସମ୍ବନ୍ଧିତ ଖବର