ପ୍ରଫେସର ପ୍ରଭାତ ନଳିନୀଙ୍କୁ ଶ୍ରଦ୍ଧାଞ୍ଜଳି : ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ତାଙ୍କୁ ଜୀବନ୍ତ ରଖିବ

ଭୁବନେଶ୍ୱର : କେବଳ ପ୍ରଫେସର ପ୍ରଭାତ ନଳିନୀ ନୁହନ୍ତି, ତାଙ୍କ ପରିବାର ସଂସ୍କୃତି ସମ୍ପନ୍ନ। ସ୍ବାମୀ-ସ୍ତ୍ରୀ ଉଭୟଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ତାଙ୍କୁ ଜୀବନ୍ତ କରି ରଖିବ ବୋଲି କହିଛନ୍ତି ପ୍ରତିଷ୍ଠିତ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର। ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କ ସ୍ମୃତିରେ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ଏକ ସ୍ମୃତି ସଭାରେ ଯୋଗଦେଇ ଶ୍ରୀ ମହାପାତ୍ର ଏହା ପ୍ରକାଶ କରିଛନ୍ତି। ଏଠାରେ ପ୍ରଭାତ ନଳିନୀଙ୍କ ସହ ଥିବା କିଛି ଅଙ୍ଗେନିଭା କଥା ମଧ୍ୟ ସେ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, କବିତା ସଂକଳନ ‘ସମୁଦ୍ର’‌େର ଥିବା‌ ୨୦ଟି କବିତାକୁ ସେ ଇଂରାଜୀରେ ଅନୁବାଦ କରିଛନ୍ତି। ଏହି ଅନୁବାଦ ପୁସ୍ତକ ପ୍ରକାଶ ପାଇବାର ମାତ୍ର ୪ ଦିନ ପରେ ତାଙ୍କର ପରଲୋକ ଘଟିଛି। ଯେମିତି ଏହି ବେଳ ଆସିବା ଯାଏଁ ସେ ଅପେକ୍ଷା କରିଥିଲେ। ଆଉ ଆମ ଭିତରେ ଏକ ଶୂନ୍ୟସ୍ଥାନ କରି ଚାଲିଗଲେ’ ବୋଲି କହିବା ବେଳେ ଶ୍ରୀ ମହାପାତ୍ର ଭାବପ୍ରବଣ ହୋଇ ପଡ଼ିଥିଲେ। ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଛନ୍ତି, ପତି-ପତ୍ନୀ ଉଭୟ ଇଂରାଜୀ ସହ ଜଡ଼ିତ ଥିଲେ ମଧ୍ୟ ତାଙ୍କ ପାଖରେ ଓଡ଼ିଆ ପରମ୍ପରାର ମୂଲ୍ୟବୋଧ ସର୍ବତ୍ର ପ୍ରତିଫଳିତ ହୋଇଛି। ତାଙ୍କ ଘର ଆଗରେ ନାମଫଳକ କେଉଁ କାଳୁ ଓଡ଼ିଆରେ ଲେଖା ଯାଇଥିବା ବେଳେ ଘରେ ଶ୍ରୀ, ସ୍ବସ୍ତିକ ଓ ଧାନକେଣ୍ଡା ଝୁଲା ଯିବା ଅନ୍ତରାତ୍ମାର ଓଡ଼ିଆଣୀକୁ ପ୍ରତିପାଦିତ କରୁଛି। ଶ୍ରୀ ମହାନ୍ତି ଆହୁରି କହିଥିଲେ, ସୀତାକାନ୍ତ ମହାପାତ୍ର, ଗୋପୀନାଥ ମହାନ୍ତି ଓ ମନୋରଞ୍ଜନ ଦାସଙ୍କ କୃତିଗୁଡ଼ିକୁ ସେ ଅନୁବାଦ କରିଛନ୍ତି। ଗୋପୀନାଥ ମହାନ୍ତିଙ୍କର ଏକ କୃତିକୁ ସ୍ବାମୀ ବିଧୁଭୂଷଣ ଅନୁବାଦ କରିବା ପରେ ଅଧା ଛାଡ଼ି ଯାଇଥିଲେ। କନ୍ୟା ଉପାଲି ଅପରାଜିତାଙ୍କ ସହ ମିଶି ସେ ଏହାକୁ ପୂର୍ଣ୍ଣ ରୂପ ଦେଇଥିଲେ। ଇଂରାଜୀ ଉଚ୍ଚ ଡିଗ୍ରି ସହ ଆଭିଜାତ୍ୟରେ ବଞ୍ଚିଥିଲେ ମଧ୍ୟ ମନରେ ଅହଂ ନ ଥିବା ତଥା ଅମାୟିକ ବ୍ୟକ୍ତିତ୍ବ ତାଙ୍କୁ ବଞ୍ଚାଇ ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ସ୍ମୃତି ସଭାକୁ ତାଙ୍କ ଛାତ୍ର ତଥା ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର ପରିଚାଳନା କରିଥିବା ବେଳେ ଛାତ୍ରୀ ସିଲିମା ତାଙ୍କ ଉପରେ ଲେଖିଥିବା ଏକ ଇଂରାଜୀ କବିତା ପାଠ କରିଥିଲେ। ପ୍ରଫେସର ରାଜକିଶୋର ମିଶ୍ର, ପ୍ରଦୋଷ ମହାନ୍ତି, ପ୍ରଫେସର ଧରଣୀଧର ସାହୁ, ଶିଶିର କୁମାର ଦାସ, ରମାକାନ୍ତ ମିଶ୍ର, ଅଜିତ ମୁଖାର୍ଜୀ, ଅନୁପ ଦାସ, ନୃପରାଜ ସାହୁ, ମନୋରଞ୍ଜନ ହୋତା, ଗୋପରଞ୍ଜନ ମିଶ୍ର, ନିରଞ୍ଜନ ନାୟକ, ତୁଷାରକାନ୍ତ ଶତପଥୀ, ପ୍ରଦୀପ ମିଶ୍ର, କିଶୋର କୁମାର ବାସା, ରଶ୍ମି ମିଶ୍ର, ଆରତୀ ବିଶ୍ବାଳ, ପ୍ରୀତୀଶ ବାସା, ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କ ପୁତ୍ର ଆଶୁତୋଷ ଶେଷବଳୟଙ୍କ ସମେତ ତାଙ୍କର ପୁରାତନ ଛାତ୍ରଛାତ୍ରୀ ଓ ଅନେକ ଶୁଭେଚ୍ଛୁ ଏ ସ୍ମୃତିସଭାରେ ଯୋଗଦେଇ କହିଥିଲେ, ପ୍ରଭାତ ନଳିନୀ ତାଙ୍କ ଛାତ୍ରଛାତ୍ରୀଙ୍କୁ ସନ୍ତାନ ପରି ଭଲ ପାଉଥିଲେ। ତାଙ୍କ ଜୀବନକାଳ ଭିତରେ ସେ ଅନେକ ଆଦର୍ଶ ଛାତ୍ର ଗଢ଼ିଛନ୍ତି ବୋଲି ସମସ୍ତେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର