ପ୍ରଫେସର ରାଧାମୋହନଙ୍କ ଶ୍ରଦ୍ଧାଞ୍ଜଳି ସଭା, ନିଜ ଜୀବନକୁ ସାର୍ଥକ କରିଛନ୍ତି ରାଧାମୋହନ: ସୌମ୍ୟରଞ୍ଜନ

ସାରା ଜୀବନ ବୃକ୍ଷ ଓ ପ୍ରକୃତି କଥା ଚିନ୍ତା କରୁଥିଲେ: ଭଗବାନ ପ୍ରକାଶ

ଭୁବନେଶ୍ବର: ବୃତ୍ତିଗତ ଜୀବନରେ ଜଣେ ସଫଳ ଅଧ୍ୟାପକଙ୍କ ଉଦାହରଣ ଖୋଜିଲେ ପ୍ରଫେସର ରାଧାମୋହନଙ୍କ ନାମ ହିଁ ସ୍ମରଣ ହୁଏ। ଆଉ ଅବସର ପରେ ଜୀବନକୁ କେମିତି ବଞ୍ଚିବାକୁ ହୁଏ, ତାହା ତାଙ୍କଠାରୁ ଶିଖିବା ଉଚିତ। ରୁଚିକୁ ନେଇ ବଞ୍ଚିବା, ପରିବେଶ ସୁରକ୍ଷା ଦିଗରେ କାମ କରିବା ଏବଂ ମାଟି ସହ ଯୋଡ଼ି ହୋଇ ସେ ଜୀବନକୁ ସାର୍ଥକ କରିଛନ୍ତି। ସମାଜକୁ ଅନନ୍ୟ ଉପହାର ‘ସମ୍ଭବ’ ଦେଇ ଯାଇଛନ୍ତି। ଏ ସବୁ ଉତ୍ତରପିଢ଼ି ନିକଟରେ ସଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ଜାତୀୟ ସେବା ଯୋଜନା ପ୍ରାକ୍ତନ ପରିବାର ପକ୍ଷରୁ ଆୟୋଜିତ ପଦ୍ମଶ୍ରୀ ରାଧାମୋହନଙ୍କ ଏକ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ତାଙ୍କୁ ଜଣେ ସଫଳ କାହାଣୀର ନାୟକ ବୋଲି ଉଲ୍ଲେଖ କରିଥିଲେ।

ଏହି ଶୋକସଭାରେ ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ ଯୋଗ ଦେଇ କହିଲେ, ପ୍ରଫେସର ରାଧାମୋହନ ମୋତେ ସବୁବେଳେ କହୁଥିଲେ, ମୋ ଦେହାନ୍ତ ପରେ ମୋ ଶରୀରକୁ ଏକ ଗଛ ମୂଳରେ ପୋତି ଦେବେ। ମୋ ଶରୀର ବିଗଳିତ ହୋଇ ମାଟିରେ ମିଶିଯିବ ଓ ସେହି ଗଛ ବଢ଼ିବାରେ ସାହାଯ୍ୟ କରିବ। ଏହିପରି ସେ ସାରା ଜୀବନ କେବଳ ବୃକ୍ଷ ଓ ପ୍ରକୃତି କଥା ହିଁ ଚିନ୍ତା କରୁଥିଲେ। ଏହି ଅବସରରେ ଭଗବାନ ପ୍ରକାଶ, ପ୍ରଫେସର ରାଧାମୋହନଙ୍କ ‘ସମ୍ଭବ’ ଆରମ୍ଭର କାହାଣୀ ଓ ଏହାର ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ।

ଜାତୀୟ ସେବା ଯୋଜନା ପ୍ରାକ୍ତନ ପରିବାରର ପ୍ରତିଷ୍ଠାତା ଆବାହକ ଦିଲ୍ଲୀପ ଶ୍ରୀଚନ୍ଦନ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଅନୁଷ୍ଠାନର ସଦସ୍ୟ ନିରଦବରଣ ଖୁଣ୍ଟିଆ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ.ହରେକୃଷ୍ଣ ଶତପଥୀ, ପୂର୍ବତନ ସୂଚନା କମିସନର୍‌ ଜଗଦାନନ୍ଦ, ଦିଗମ୍ବର ଶତପଥୀ, ଗିରିଜା ଶଙ୍କର ଆଚାର୍ଯ୍ୟ, ଉପେନ୍ଦ୍ରନାଥ ସାହୁ ଓ ସୁରେଖା ସୁନ୍ଦରୀ ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ରାଧାମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର