ଭୁବନେଶ୍ବର: ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୮ତମ ଜୟନ୍ତୀ ଆଜି ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି। ସ୍ବର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ପ୍ରଥମ ଚରଣରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଓ ଗୁରୁ କେଳୁଚରଣଙ୍କ ସଂଯୋଜିତ ଯୁଗ୍ମଦ୍ବନ୍ଦ ପଲ୍ଲବୀ ପରିବେଷଣ କରିଥିଲେ। ପରେ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସଂଗୀତ ସଂଯୋଜିତ ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ସଂଯୋଜିତ ‘ବର୍ଷା’ ପରିବେଷଣ କରିଥିଲେ।
ଦ୍ବିତୀୟ ଚରଣରେ ଶୁଭଶ୍ରୀ ପଟ୍ଟନାୟକ ଓ ନୃତ୍ୟଧାମ ଅନୁଷ୍ଠାନ ଶିଳ୍ପୀଗଣ ଦଶମହାବିଦ୍ୟା ଅଭିନୟରେ ପରସି ଦେଇଥିଲେ। ରାଗ-ରାଗମାଳିକା ଓ ତାଳ-ତାଳ ମାଳିକା ଆଧାରରେ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟ ସଂଯୋଜନାକୁ ପ୍ରସ୍ତୁତ କରିଥିଲେ ଶିଳ୍ପୀ। ପରେ ଗୁରୁ ପ୍ରତିଭା ପଣ୍ଡା ଓ ନୃତ୍ୟପ୍ରତିଭାର ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ପଞ୍ଚଭୂତ। ଶେଷରେ ଗୁରୁ ଅଶୋକ ଘୋଷାଲ ଓ ନୃତ୍ୟଶାଳାର ଶିଳ୍ପୀମାନଙ୍କ ଅଭିନୀତ ନୃତ୍ୟନାଟିକା ଶ୍ରୀ ଜୟଦେବ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସଂଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ପୂର୍ବତନ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା, ନରେନ୍ଦ୍ର ମିଶ୍ର ଓ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ପ୍ରମୁଖ ଯୋଗ ଦେଇଥିଲେ। ମୃତୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିବାବେଳେ ଫାଉଣ୍ଡେସନ ଟ୍ରଷ୍ଟି ପାର୍ଥସାରଥୀ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ସବ୍ୟସାଚୀ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।