ଭୁବନେଶ୍ବର: ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ୟୁନିଟ୍-୯ସ୍ଥିତ ରୋଟାରି ଭବନଠାରେ ପୂର୍ବତନ ବିଧାୟକ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଯୋଗ ଦେଇ ଲୁଲୁ ମହାପାତ୍ର ଜଣେ ନିର୍ଭୀକ, ଦୃଢ଼ ମନା ଓ ଯୁବ ମାନସର ନେତା ଥିଲେ ବୋଲି କହିଥିଲେ। ରାଜନୀତିରେ ସତ୍ୟରୁ ସେ କେବେ ବିଚ୍ୟୁତ ହେଉନଥିଲେ। ଆଜିର ଯୁବ ସମାଜ ଲୁଲୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାହସ ଓ ବିଶ୍ବାସ ଜନ୍ମେଇବା ଦରକାର ବୋଲି ଶ୍ରୀ କାନୁନ୍ଗୋ ପ୍ରକାଶ କରିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ କହିଲେ, ଲୁଲୁ ସବୁବେଳେ ସାଲିସ୍ ବିହୀନ ରାଜନୀତିରେ ବିଶ୍ବାସ କରୁଥିଲେ। ଆଜିର ସମାଜ ପାଇଁ ଲୁଲୁଙ୍କ ପରି ଆଉ ଜଣେ ନେତୃତ୍ବ ଦରକାର ବୋଲି ଶ୍ରୀମତୀ ସାହୁ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଯୋଗ ଦେଇ କହିଲେ, ଲୁଲ ବାବୁ ତାଙ୍କ ରାଜନୀତି ସମୟରେ ପ୍ରତ୍ୟେକ ମୂହୂର୍ତ୍ତକୁ ଦଳ ସୁଦୃଢ଼ କରିବାରେ ବିନିଯୋଗ କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଯୁଧିଷ୍ଠିର ଜେନା, ଜ୍ଞାନଦେବ ବେଉରା, ଗିରିଜା ଶଙ୍କର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଲୁଲୁ ମହାପାତ୍ରଙ୍କର ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସ୍ମୃତି କମିଟି ସଭାପତି ଚିନ୍ମୟ ପ୍ରସାଦ ବେହୁରା ସ୍ବାଗତ ଭାଷଣ ଦେଇଥିବା ବେଳେ ହିମାଂଶୁ ଲେଙ୍କା ଧନ୍ୟବାଦ ଦେଇଥିଲେ। ବିଶ୍ବଭୂଷଣ ଦାସ, ପ୍ରଦୀପ କୁମାର ଦାସ, ଘନଶ୍ୟାମ ମହାନ୍ତି, ମିଟୁ ମହାନ୍ତି, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ମନ୍ମଥ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ରଜତ ଚୌଧୁରୀ, ଯୋଗୀନାଥ ବାହୁବଳେନ୍ଦ୍ର, ଆଲୋକ ମହାନ୍ତି, କିର୍ତ୍ତିନାନନ୍ଦ ଦାସ, କନକ ମଲ୍ଲିକ, ସୁରେଶ ସାହାଣି, ତରୁଣକାନ୍ତ ମିଶ୍ର, ସଂକୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, ମଣ୍ଟୁ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ସାଗର ପରିଡ଼ା, ନରେଶ ମହାନ୍ତି, ରବି ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ସକାଳେ ସ୍ମୃତି କମିଟି ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତିଙ୍କ ସଂଯୋଜନାରେ କୁଆଖାଇ ନଦୀରେ ସ୍ବର୍ଗତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା। ଏଥିରେ ସ୍ବର୍ଗତ ମହାପାତ୍ରଙ୍କ କନ୍ୟା ଉପାସନା ମହାପାତ୍ର, ଶୁଭ୍ରାଂଶୁ ଶେଖର ବିଶ୍ବାଳ, ଅମିୟକାନ୍ତ ଦାସ, ଦୀପକ ସାହୁ, ସରୋଜ ପରିଡ଼ା, ସେକ୍ ମୁସ୍ତାଫା, ଦେବଦତ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।
ଲୁଲୁଙ୍କ ପାଇଁ ଜଳିଲା ୫ଶହ ମହମବତି
ଭୁବନେଶ୍ବର,: ଲୁଲୁ ମହାପାତ୍ରଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ଅବସରରେ ସହିଦନଗର ସ୍ଥିତ ଦୁର୍ଗା ପୂଜା ମଣ୍ଡପଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଅମିୟକାନ୍ତ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ, ଲୁଲୁ ମହାପାତ୍ରଙ୍କ ସାଙ୍ଗସାଥୀ ଓ ପରିବାର ସଦସ୍ୟ ଯୋ ଗଦେଇଥିଲେ। ୫ଶହ ମହମବତି ଲଗାଯାଇ ଲୁଲୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତିଚାରଣ କରାଯାଇଥିଲା। ଶ୍ରୀ ଦାସ କହିଥିଲେ ଯେ ଲୁଲୁ ମହାପାତ୍ର ଯୁବକମାନଙ୍କୁ ଭଲ ପାଉଥିଲେ। ଯୁବକମାନଙ୍କ ପାଇଁ କିଛି ନା କିଛି ଚିନ୍ତା କରୁଥିଲେ। ସେ ସବୁବେଳେ ଯୁବକମାନଙ୍କୁ ପାଇଁ ପ୍ରେରଣା ଦେଉଥିଲେ। କାର୍ଯ୍ୟକ୍ରମରେ ଉପାସନା ମହାପାତ୍ର, ନିରଂଜନ ନାୟକ, ଜିତେନ୍ଦ୍ର ସାମନ୍ତରାୟ, ଆଶୁତୋଷ ବେହେରା, ରାଜେଶ ମହାରଣା, ବିଶ୍ବଜିତ୍ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ବିନ୍ଦୁସାଗରରେ ସମୂହ ତିଳତର୍ପଣ
ପୁରୁଣା ଭୁବନେଶ୍ୱର: ଯୁବମାନସର ପ୍ରତୀକ, ଓଡ଼ିଶା ରାଜନୀତିରେ ଯୁବପିଢ଼ିଙ୍କ ମାର୍ଗଦର୍ଶକ ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ଲୁଲୁ ସେନା ପକ୍ଷରୁ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଲୁଲୁ ସେନା ପକ୍ଷରୁ ଆଜି ପୂର୍ବାହ୍ନରେ ବିନ୍ଦୁସାଗର କୂଳରେ ସମୂହ ତିଳତର୍ପଣ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ମଧ୍ୟାହ୍ନରେ ଖଣ୍ଡଗିରି ନିକଟ ଜୀବନଜ୍ୟୋତି ଅନାଥ ଆଶ୍ରମରେ ଶିଶୁମାନଙ୍କୁ ଖାଦ୍ୟ ବିତରଣ କରାଯିବା ସହ ଲୁଲୁ ମହାପାତ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ବିଜେପି ରାଜ୍ୟ ମୁଖପାତ୍ର ତଥା ଲୁଲୁ ସେନାର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ବାବୁ ସିଂ, ସ୍ୱର୍ଗତ ଲୁଲୁଙ୍କ ଝିଅ ଉପାସନା ମହାପାତ୍ର, ଜାମତା ଶୁଭ୍ରାଂଶୁ ବିଶ୍ୱାଳ, ଦେବରାଜ ମହାନ୍ତି, ସଚ୍ଚିଦାନନ୍ଦ ନାୟକ, ଶିବ ବେହେରା, ରୂପେଶ ଶର୍ମା, ସ୍ମୃତିରଞ୍ଜନ ମଙ୍ଗରାଜଙ୍କ ସମେତ ବହୁ ସଭ୍ୟ ସାମିଲ ଥିଲେ।