ସରିଲା ‘ଗୁରୁ ଦେବପ୍ରସାଦ ଦାସ ଶ୍ରଦ୍ଧାଞ୍ଜଳି ସମାରୋହ’: ନୃତ୍ୟରେ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ନୃତ୍ୟରସ‌ରେ ଆଜି ରସସିକ୍ତ ହୋଇଥିଲା ରବୀନ୍ଦ୍ର ମଣ୍ଡପ। ନୃତ୍ୟରେ ଗୁରୁ ଦେବପ୍ରସାଦ ଦାସଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ନୃତ୍ୟଶିଳ୍ପୀଗଣ। ଗଞ୍ଜାମର ବିଲୁପ୍ତପ୍ରାୟ ‘କାଠପାଦ’ ନୃତ୍ୟରୁ ଆରମ୍ଭ ହୋଇଥିଲା ଉତ୍ସବ। ପରେ ଏକକ ଓ ଦଳଗତ ନୃତ୍ୟର ଅଭୂତପୂର୍ବ ସମ୍ଭାର ଦର୍ଶକଙ୍କୁ ଅଭିଭୂତ କରିଥିଲା। ‘ପଞ୍ଚବେଦ’, ‘ମହାକାଳୀ ତାଣ୍ଡବ’, ‘ତାରାତାରିଣୀ ସ୍ତୁତି’, ‘ଲକ୍ଷ୍ମୀନୃସିଂହ ଧ୍ୟାନ’, ‘ଗଜାନନ’ ଓ ‘ଶିବସ୍ତୁତି’ ଆଦି ପୌରାଣିକ କଥାବସ୍ତୁ ଉପରେ ଓଡ଼ିଶୀ ନୃତ୍ୟାଭିନୟ ବେଶ୍‌ ମନମୁଗ୍ଧକର ଥିଲା। ଅବସର ଥିଲା ‘ତ୍ରିଧାରା’ ପକ୍ଷରୁ ଗୁରୁ ଦେବପ୍ରସାଦ ଦାସଙ୍କ ସମ୍ମାନାର୍ଥେ ଆୟୋଜିତ ୩୬ତମ ଶ୍ରଦ୍ଧାଞ୍ଜଳି ସମାରୋହ।

ଏହି ସମାରୋହକୁ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଅନନ୍ତ ନାରାୟଣ ଜେନା, ଗୁରୁ ସୁଧାକର ସାହୁ, ପଣ୍ଡିତ ଲକ୍ଷ୍ମୀକାନ୍ତ ପାଲିତ, ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସୁଦୀପ୍ତା ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ପୂର୍ବାହ୍ନରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ଗୁରୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଶିଳ୍ପୀଗୁରୁ ସୁଦର୍ଶନ ସାହୁ ଓ ଗୁରୁ ସୁଧାକର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ୧୫ଜଣ ପ୍ରତିଭାଧାରୀ ଶିଳ୍ପୀଙ୍କୁ ‘ଗୁରୁ ଦେବପ୍ରସାଦ ନୃତ୍ୟରତ୍ନ ପୁରସ୍କାର-୨୦୨୨’ ପ୍ରଦାନ କରାଯାଇଥିଲା। ସମରୋହରେ ୭୦ଟି ଗ୍ରୁପ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ଭୁବନେଶ୍ୱରର ନୃତ୍ୟନିପୁଣା ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ରଙ୍କ ସହଯୋଗରେ ଏବଂ ଗୁରୁ ଡ. ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ନୃତ୍ୟାଙ୍ଗନାମାନେ ମଙ୍ଗଳାଚରଣ ପରିବେଷଣ କରିଥିଲେ। ଶେଷରେ ‘ନୃତ୍ୟ ଶ୍ରୀଧାରା’ର ଦଳଗତ ଲୋକନୃତ୍ୟ ସହିତ ସମାରୋହର ସମାପନ ହୋଇଥିଲା। ଶ୍ରୀନିବାସ ଘଟୁଆରୀ ଓ ଚନ୍ଦନ ସାହୁ ସଂଯୋଜନା କରିଥିଲେ। ‘ତ୍ରିଧାରା’ର କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା ସଭାପତିତ୍ୱ କରିଥିଲେ। ରୀନା ପଣ୍ଡା, ବିନୀତା ନନ୍ଦେ, ବର୍ଣ୍ଣାଳୀ ବାନାର୍ଜୀ, ପ୍ରଭୁତୋଷ ପଣ୍ଡା, ପ୍ରତ୍ୟୁଷ ପାତ୍ର ଓ ଦୀପିକା ପ୍ରିୟଦର୍ଶିନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ‘ତ୍ରିଧାରା’ର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର