ଭୁବନେଶ୍ବର: ଓଡ଼ିଶାର ବିଦଗ୍ଧ କଳା ‘ପାଲା’ରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ବାଣୀବିଭୂଷଣ ଅର୍ଜୁନ ଦାଶ। ସୁମଧୁର ଗାୟନଶୈଳୀ, ଶାସ୍ତ୍ରୀୟ ଅଙ୍ଗଭଙ୍ଗୀ ଏବଂ ଉଚ୍ଚକୋଟୀର କାବ୍ୟ ନାଟକକୁ ଅତି ସରଳ ଭାଷାରେ ସାଧାରଣ ଦର୍ଶକଙ୍କ ପାଖରେ ପରିବେଷଣ କରିବାରେ ସେ ସିଦ୍ଧହସ୍ତ ଥିଲେ। ଭଂଜ କଳାମଣ୍ଡପରେ ଆଜି ଆୟୋଜିତ କାର୍ଯ୍ୟକ୍ରମ ‘ଶ୍ରଦ୍ଧାଞ୍ଜଳି’ରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନେ ଏପରି କହିଛନ୍ତି। ସ୍ବର୍ଗତ ଦାଶଙ୍କ ସ୍ମୃତିରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ଉଦ୍ଘାଟନ କରିଥିଲେ। ଶ୍ରୀନୀଳାଚଳ ନିଖିଳୋତ୍କଳ ପାଲା ପରିଷଦର ସଭାପତି ମଦନ ମୋହନ ଜେନା ଏବଂ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ସନାତନ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ପାଲା ଗାୟକ ଲକ୍ଷ୍ମୀଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅତିଥିମାନେ ଅର୍ଜୁନ ଦାଶଙ୍କ ଜୀବନୀ ଓ ପାଲା ପ୍ରତି ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଗାୟକ ସମ୍ରାଟ ଅଭୟ ଚରଣ ସ୍ବାଇଁ, ବାୟକ ନୀଳମଣି ସାହୁ, ପାଳିଆ ଅନନ୍ତ ଚରଣ ପରିଡ଼ା ଓ ଅଲେଖ ଚରଣ ନାୟକଙ୍କୁ ଅର୍ଜୁନ ଦାଶ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ପରେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହାସହ ୮୦ ଦଶକରେ ସ୍ୱର୍ଗତ ଦାଶଙ୍କ ଅଭିନୀତ ପାଲାର ଅଡିଓ ଏବଂ ଭିଡିଓ ପରିବେଷିତ ହୋଇଥିଲା। ଅର୍ଜୁନ ଦାଶଙ୍କ ଦୁଇ ଶିଷ୍ୟ ପ୍ରସନ୍ନ ପଟ୍ଟନାୟକ ଏବଂ ଅଭିମନ୍ୟୁ ନାୟକ ପାଲା ପରିବେଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/27-6.jpg)