ବିପ୍ଳବୀ ଚକ୍ରଧର ବେହେରାଙ୍କ ଶ୍ରାଦ୍ଧୋତ୍ସବ

ଭୁବନେଶ୍ୱର: କନିକା ପ୍ରଜାମଣ୍ଡଳ ଆନ୍ଦୋଳନର ନେତା, ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବିପ୍ଳବୀ ଚକ୍ରଧର ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ରାଜଭବନ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପରେ ସ୍ମୃତି ସଂସଦର ଆବାହକ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ କଥାକାର ତଥା ଚକ୍ରଧର ବେହେରା ସ୍ମୃତି ସଂସଦର ପ୍ରାଣପ୍ରତିଷ୍ଠାତା ଗୌରହରି ଦାସ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସଂଯୋଜକ ପ୍ରବୀର ମହାନ୍ତି, ସତ୍ୟବ୍ରତ ଜେନା, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବିଜୟ ପରିଡ଼ା, ବି. ମୁରଲୀଧର, ଅଖିଳ ଭାରତ ଯାଦବ ମହାସଭାର ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, କ୍ଷେତ୍ରମୋହନ ଦାସ, ଶିକ୍ଷାବିତ୍ କାମଦେବ ମହାପାତ୍ର, ପଦ୍ମନାଭ ଛୋଟରାୟ ସ୍ମୃତି ସଂସଦର ଆବାହକ ଯତୀନ୍ଦ୍ର ମୋହନ ଛୋଟରାୟ, ଲକ୍ଷେଶ୍ୱର ମହାଦେବ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳର ଅଧିକାରୀ ବିଷ୍ଣୁଚରଣ ପରିଡ଼ା, ଉପସଭାପତି ଅର୍ଜୁନ ପରିଡ଼ା, ସମ୍ପାଦକ କାଙ୍ଗାଳି ପରିଡ଼ା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଚକ୍ରଧର ବେହେରାଙ୍କ ସଂଘର୍ଷ ଓ ତ୍ୟାଗ ଯୋଗୁଁ କନିକାବାସୀ କିପରି ରାଜଅତ୍ୟାଚାରରୁ ମୁକ୍ତି ପାଇଥିଲେ, ତାହା ଉପରେ ଅତିଥିମାନେ ଆଲୋକପାତ କରିଥିଲେ।

ଅତିଥିମା‌ନେ କହିଥିଲେ, ଦେଶର ସ୍ୱାଧୀନତା ପାଇଁ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ। ଚକ୍ରଧର ବେହେରାଙ୍କ ସମେତ ଦେଶର ସ୍ୱାଧୀନତା ସଂଗ୍ରାମ ଓ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗଦେଇ ଅକଥନୀୟ ନିର୍ଯାତନା ଭୋଗିଥିବା ଜନନେତାମାନଙ୍କ ଜୀବନୀ ପାଠ୍ୟପୁସ୍ତକରେ ସାମିଲ୍ ହେବା ଆବଶ୍ୟକ। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସଭାରେ ଅନୁରୋଧ କରାଯାଇଥିଲା।

ଲକ୍ଷେଶ୍ୱର ସଂକୀର୍ତ୍ତନ ମହାମଣ୍ଡଳୀ ତରଫରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ‘ଚକ୍ରଧର ବେହେରା ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭିକାରୀ ଚରଣ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର