ଭୁବନେଶ୍ୱର: ସ୍ୱାଧୀନତା ଦିବସ ଯେତିକି ପାଖେଇ ପାଖେଇ ଆସୁଛି, ଲୋକଙ୍କ ଭିତରେ ତ୍ରିରଙ୍ଗା ପ୍ରତି ସେତିକି ଆଗ୍ରହ, ଉଦ୍ଦୀପନା ବଢ଼ିବାରେ ଲାଗିଛି। ଦେଶମାତୃକାର ଏହି ମହାନ ଦିବସକୁ ସଗର୍ବେ ପାଳନ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଏବଂ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ପ୍ରଥମତଃ ତ୍ରିରଙ୍ଗା ପତାକା କିଣା ଆରମ୍ଭ ହୋଇଗଲାଣି। ଏଥିପାଇଁ ରାଜଧାନୀର ଗଳିକନ୍ଦିରେ ତ୍ରିରଙ୍ଗା ପତାକା ପସରା ମେଲିଗଲାଣି। କେବଳ ପତାକା ନୁହେଁ, ଏବେ ତ୍ରିରଙ୍ଗା ପତାକା ଡିଜାଇନ୍‌ର ପୋଷାକ ଓ ଗହଣା ବିକ୍ରି ଅଧିକ ହେଉଥିବା ଦେଖିବାକୁ ମିଳୁଛି।  

Advertisment

ସ୍ବାଭାବିକ ଭାବେ ବହୁ ଲୋକ ଖଦିରେ ତିଆରି ତ୍ରିରଙ୍ଗା ପତାକାକୁ ବେଶି ପସନ୍ଦ କରନ୍ତି। ଦାମ୍ ଅଧିକ ହେଲେ ହେଁ ଖଦି ତ୍ରିରଙ୍ଗା ପତାକା ଉଡ଼ାଇବାରେ ଥାଏ ଦେଶଭକ୍ତି ପ୍ରଦର୍ଶନର ନିଆରା ଅନୁଭବ। ତେଣୁ ରାଜଧାନୀର ବିଭିନ୍ନ ଖଦି ଭଣ୍ଡାରରେ ଏବେ ତ୍ରିରଙ୍ଗା ପତାକା କ୍ରେତାଙ୍କ ଭିଡ଼। ଗାଡ଼ିରେ ଲଗାଇବାକୁ ଓ ଟେବୁଲ୍‌ରେ ରଖିବାକୁ ତିଆରି ହୋଇଥିବା ଛୋଟ ଖଦି ପତାକାର ମୂଲ୍ୟ ୫୦ ଟଙ୍କା ଥିବା ବେଳେ ଉଡ଼ାଇବାକୁ ତିଆରି ହୋଇଥିବା ପତାକା ସବୁ ଅଢ଼େଇ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ରାଜଧାନୀର ଫୁଟ୍‌ପାଥ୍‌ରେ ଅନ୍ୟ କପଡ଼ା ଓ କାଗଜରେ ପ୍ରସ୍ତୁତ ତ୍ରିରଙ୍ଗା ପତାକା ବିକ୍ରି କିଛି କମ୍‌ ନୁହେଁ। ଗଳିକନ୍ଦିରେ ମାଳମାଳ ଦୋକାନ। ଦାମ୍‌ କମ୍‌ ଥିବାରୁ ଫୁଟ୍‌ପାଥ୍‌ରେ ବସିଥିବା ଉଠାଦୋକାନୀଙ୍କଠାରୁ ବହୁତ ଲୋକ ତ୍ରିରଙ୍ଗା ପତାକା କିଣୁଛନ୍ତି। କେବଳ ପତାକା ନୁହେଁ, ଉଠାଦୋକାନୀମାନେ ବି ତ୍ରିରଙ୍ଗା ପତାକା ଡିଜାଇନ୍‌ର ଉତ୍ତରୀୟ, ଟୋପି, ସାର୍ଟ, ବ୍ରେସ୍‌ଲେଟ୍‌ ଓ ବ୍ୟାଣ୍ଡ ବିକୁଛନ୍ତି। ଯୁବପିଢ଼ି ବି ଏସବୁ ବହୁତ ପରିମାଣରେ କିଣୁଥିବା ଦେଖାଯାଉଛି। ସେହିଭଳି ମହିଳା, ଯୁବତୀ ଓ ଛାତ୍ରୀମାନଙ୍କ ପାଇଁ ତ୍ରିରଙ୍ଗା ଡିଜାଇନ୍‌ର ହେୟାର୍‌ କ୍ଲିପ୍‌, ଶାଢ଼ି, ଓଢ଼ଣି, ଚୁଡ଼ି, ମୁଦି, କାନଫୁଲ ଓ ଅନ୍ୟାନ୍ୟ ଅଳଙ୍କାର ବିକ୍ରି ହେଉଛି। ଏଭଳି ପୋଷାକ ଓ ଅଳଙ୍କାର କିଣିବାକୁ ଗ୍ରାହକମାନେ ବି ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଉଠାଦୋକାନୀମାନେ କହିଛନ୍ତି।