ଟ୍ରାଇଡେଣ୍ଟ ଗାଲାକ୍ସି ବାସିନ୍ଦାଙ୍କ ଦୁଃଖ: କହିବେ କାହାକୁ, ଶୁଣିବ କିଏ

ସ୍ବର ଆପଣଙ୍କର

ଖଣ୍ଡଗିରି: ବିଳାସପୂର୍ଣ୍ଣ ଘର ସାଙ୍ଗକୁ ହାତପାଆନ୍ତାରେ ମିଳିବ ସବୁ ଅତ୍ୟାଧୁନିକ ସେବା। ଟେନିସ୍‌ କୋର୍ଟ, ସୁପର ମାର୍କେଟ୍‌, ମିନି ମଲ୍‌, ଅଲିମ୍ପିକ୍‌ ସାଇଜ୍‌ ସ୍ବିମିଂ ପୁଲ୍‌, ହାଇସ୍ପିଡ୍‌ ଏଲିଭେଟର୍‌, ୨୪ ଘଣ୍ଟା ସିସିଟିଭି, ଇଣ୍ଟର୍‌କମ୍‌ ଓ ଗ୍ୟାସ୍‌ ଲିକ୍ ଡିଟେକ୍ଟର୍‌, ପାଇପ୍‌ ଗ୍ୟାସ୍‌, ୨୪ ଘଣ୍ଟା ସୁରକ୍ଷା ବ୍ୟବସ୍ଥା‌, ୬୭% ସବୁଜିମା‌, ସମ୍ପୂର୍ଣ୍ଣ ବିଦ୍ୟୁତ୍‌ ବ୍ୟବସ୍ଥା, ବିଳାସପୂର୍ଣ୍ଣ କ୍ଲବ୍‌ ହାଉସ୍‌, ଯୋଗ ରୁମ୍‌, ସ୍ବାସ୍ଥ୍ୟ କ୍ଲବ୍‌, କମ୍ୟୁନିଟି ହଲ୍‌ ସାଙ୍ଗକୁ ଆହୁରି କେତେ କ’ଣ! ସୋସାଇଟି ଭିତରେ ସୁଖ ସ୍ବାଚ୍ଛନ୍ଦ୍ୟଭରା ଏତେ ସବୁ ସୁବିଧା ଦେଖି ଲୋକେ ହାତେହାତେ ୮୦ଲକ୍ଷ ଟଙ୍କା ଗଣିଦେବାକୁ ଆଦୌ ପଛାଇ ନଥିଲେ।

ସ୍ବପ୍ନ ଦେଖାଇ ଠକିଦେଲା ବିଲ୍‌ଡର୍‌ ସଂସ୍ଥା
ହାତେହାତେ ଗଣି ଦେଇଥିଲେ ୮୦ ଲକ୍ଷ, ଏବେ ପଶ୍ଚାତାପ କରୁଛନ୍ତି

କିନ୍ତୁ ଘର ପାଇବା ପରେ ଏବେ ଭାରି ପଶ୍ଚାତାପ କରୁଛନ୍ତି। ଏଠିକାର ୮୦୦ ପରିବାରକୁ ଯେଉଁ ସ୍ବପ୍ନ ଦେଖାଇ ବିଲଡର୍‌ ସଂସ୍ଥା ଘର ବିକିଥିଲା‌, ସେଥିରୁ ଅଧାରୁ ଅଧିକ ସେବା ମୂଳରୁ ନାହିଁ। ସୁପର୍‌ ମାର୍କେଟ୍‌, ଟେନିସ୍‌ କୋର୍ଟ, ମିନି ମଲ୍‌, ଗ୍ୟାସଲିକ୍‌ ଡିଟେକ୍ଟର୍‌ ସବୁ ଦିବାସ୍ବପ୍ନ ପାଲଟିଛି। ସୋସାଇଟି ଭିତରେ ଏସବୁର ଚିହ୍ନବର୍ଣ୍ଣ ନାହିଁ। ଆଉ ଯେଉଁ କେତେକ ସୁବିଧା ଅଛି, ତାହା ଥାଇ ନଥିଲା ଭଳି। ଅଲିମ୍ପିକ୍‌ ସାଇଜ୍‌ ତ ଦୂରର କଥା, ସର୍ବସାଧାରଣଙ୍କ ପାଇଁ ଯେଉଁ ସ୍ବିମିଂ ପୁଲ୍‌ଟି ତିଆରି ହୋଇଛି, ସେଥିରେ ଏକାଥରକେ ୧୦ରୁ ୧୫ ଜଣ ବି ଗାଧୋଇବା ବଡ଼ କଷ୍ଟକର। ପ୍ରତିଶ୍ରୁତି ମିଳିଥିଲା, ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଏଲିଭେଟର୍‌ ନିର୍ମାଣ ହେବ। କିନ୍ତୁ ତାହା ଲଗା ଯାଇନାହିଁ। ସୋସାଇଟିରେ କମ୍ୟୁନିଟି ହଲ୍‌, ଯୋଗ ରୁମ୍‌, ଲାଇବ୍ରେରି, ସ୍ବାସ୍ଥ୍ୟ କ୍ଲବ୍‌ ଆଦି ଥିଲେ ହେଁ ସେଥିରେ ଆରମ୍ଭରୁ ତାଲା ଝୁଲୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ମୁଣ୍ଡ ଗୁଞ୍ଜିବାକୁ ଯୋଉ ଘର ଖଣ୍ଡିକ ମିଳିଛି, ସେଥିରେ ବି ଦୁନିଆଯାକର ସମସ୍ୟା। ଏ ବାବଦରେ ଅଭିଯୋଗ କଲେ ସଂସ୍ଥାର ଲୋକ ପାଲଟା ଧମକ ଦେଉଛନ୍ତି। ତେବେ କିଛି ସଚେତନ ନାଗରିକ ସ୍ଥାନୀୟ ଥାନା, ବିଡିଏଠାରୁ ଆରମ୍ଭ କରି ରେରାର ଦ୍ବାରସ୍ଥ ହୋଇଥିଲେ ହେଁ ଫଳ ଶୂନ। କେହି ତାଙ୍କ କଥା ଶୁଣୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୧ ମସିହାରୁ କଳିଙ୍ଗ ବିହାରସ୍ଥିତ ଟ୍ରାଇଡେଣ୍ଟ ଗାଲାକ୍ସିରେ ଘର ବିକ୍ରି ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷ ୪୦ ଲକ୍ଷ, ୨୦୧୫ ମସିହାରେ ୬୦ ଲକ୍ଷ, ୨୦୧୮ରେ ୮୦ ଲକ୍ଷ ଟଙ୍କା ଦେଇ ଘର କିଣିଥିଲେ ଲୋକେ। ୨୦୧୩ ସୁଦ୍ଧା ସବୁ ଘର ହସ୍ତାନ୍ତର କରିବ ବୋଲି ସଂସ୍ଥା କହିଥିଲା। କିନ୍ତୁ ତାହା ଗଡ଼ି ଗଡ଼ି ୨୦୧୭ ହୋଇଗଲା। ଘର ଦେବା ବେଳେ ବହୁ ସୁବିଧା ଆପାର୍ଟମେଣ୍ଟରେ ନଥିଲା। ପର୍ଯ୍ୟାୟକ୍ରମେ ସବୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୬ ବର୍ଷ ପରେ ବି କିଛି ନୂଆ ହୋଇନି।

ସବୁ ଆପାର୍ଟ‌ମେଣ୍ଟରେ ଫାଟ, ପାଇପ୍‌ ଫାଟି ଗଳୁଛି ମଇଳା ପାଣି

ମାତ୍ର କେଇ ବର୍ଷ ତଳେ ତିଆରି ହୋଇଥିବା ସବୁ ଆପାର୍ଟମେଣ୍ଟରେ ଫାଟ ଦେଖା‌ଗଲାଣି। କେଉଁଠି ବାହାର ଟିକିଏ ଚୁନ ମରା ହେଇ ଫାଟ ଲୁଚାଯାଇଛି ତ କେଉଁଠି ପାଣି ଜକେଇ ଜକେଇ ଘ‌ର ଭିତରେ ଶିଉଳି ଜମିଲାଣି। ଘରୁ ମଇଳା ବାହାରୁଥିବା ପାଇପ୍‌ରୁ ମଇଳା ପାଣି ପାର୍କିଂ ଅଞ୍ଚଳରେ ପଡ଼ୁଛି। ମଳ ପରିଚାଳନା ପାଇଁ ଥିବା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଅଚଳ ହୋଇ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଏବେ ପାଣି ବୋର୍‌ୱେଲ୍‌ ‌ଯୋଗେ ଯୋଗାଇ ଦିଆଯାଉଛି। ହେଲେ ପିଏଚ୍‌ଡି ପାଣି ସୁବିଧା ନାହିଁ।

ସବୁଜିମା କହିଲେ ଚେନାଏ ଘାସ

ସୋସାଇଟିକୁ ପରିବେଶ ଅନୁକୂଳ କରିବା ପାଇଁ ୬୭% ଅଞ୍ଚଳ ସବୁଜିମାଭରା ହେବ ବୋଲି ବ୍ରୋସିୟର୍‌ରେ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପ୍ରାୟ ୧୩ ଏକର ଜାଗାରେ ଠିଆ ହୋଇଥିବା ଏହି ସୋସାଇଟିରେ ସବୁଜିମା ନାଁରେ ମାତ୍ର କିଛି ଘାସ ଗାଲିଚା ଓ ଦେବଦାରୁ ଗଛ ଲାଗିଛି। କେବଳ ସେତିକି ନୁହେଁ, ଘର କିଣିବା ବେଳେ ବିପଦକାଳୀନ ସୁବିଧା ପାଇଁ ଏଠାରେ ନା ସ୍ବତନ୍ତ୍ର ଲିଫ୍ଟ ବ୍ୟବସ୍ଥା ଅଛି ନା ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା। ସୁରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ ଅଛନ୍ତି, ହେଲେ କାହାର ୟୁନିଫର୍ମ ନାହିଁ।

କୁଆଡ଼େ ଗଲା କର୍ପସ୍‌ ଫଣ୍ଡ୍‌ ଟଙ୍କା

ପ୍ରତି ଘର ମାଲିକ ୨ ବର୍ଷ ପାଇଁ ୮୦ ହଜାର ଟଙ୍କା ଲେଖାଏଁ କର୍ପସ୍‌ ଫଣ୍ଡ ଦେଇଥିଲେ। ହେଲେ ୧୨ ଶହ ଘରର ଏତେ ଟଙ୍କା ଏଯାଏଁ ସେମାନଙ୍କୁ ହସ୍ତାନ୍ତର ହୋଇନାହିଁ। କାମ ନ ସରୁଣୁ, ଏ ବ୍ଲକ୍‌ଠାରୁ ୟୁ ବ୍ଲକ୍‌କୁ ଅକ୍ୟୁପାନ୍ସି ସାର୍ଟିଫିକେଟ୍‌ ମିଳିଯାଇଥିବା ବେଳେ ଏସ୍‌, ଟି, ଓ ୟୁ ବ୍ଲକକୁ ଏଯାଏ ମିଳିନାହିଁ। କେବଳ ସେତିକି ନୁହେଁ କ୍ଲବ୍‌, ପାର୍କିଂ ଆଦି ସୁବିଧା ପାଇଁ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ପଇଠ କରାଯାଇଥିଲେ ମଧ୍ୟ ସେମାନଙ୍କୁ କିଛି ସୁବିଧା ମିଳିନି।

କମ୍ୟୁନିଟି ହଲ୍‌, ଯୋଗକେନ୍ଦ୍ର ଓ ଲାଇବ୍ରେରିରେ ତାଲା

ଘରର ଛୋଟମୋଟ କାର୍ଯ୍ୟକ୍ରମ ଓ ବିଭିନ୍ନ ପର୍ବପର୍ବାଣୀ ଏକାଠି ପାଳନ କରିବା ପାଇଁ କମ୍ୟୁନିଟି ହଲ୍‌ ବାବଦକୁ ଘର ମାଲିକ ଅଧିକ ଟଙ୍କା ଦେଇଥିଲେ। ହେଲେ, ସେଥି‌ରେ ଆରମ୍ଭରୁ ତାଲା ଝୁଲୁଛି। ଭଡ଼ାରେ ନେବା ପାଇଁ ଚାହିଲେ ମଧ୍ୟ ଦିଆଯାଉନାହିଁ। ମାଲିକାନା ଥାଇ ବି ସୋସାଇଟି ଲୋକ କମ୍ୟୁନିଟି ହଲ୍‌, ଯୋଗ କେନ୍ଦ୍ର, ଲାଇବ୍ରେରି ଆଦି ବ୍ୟବହାର କରିପାରୁନାହାନ୍ତି।

ଗୁହାରି କଲେ ଧମକ

ଆପାର୍ଟମେଣ୍ଟର ବିଭିନ୍ନ ସମସ୍ୟା ସଂପର୍କରେ ଲୋକେ ବିଲ୍‌ଡରଙ୍କୁ ଯୋଗାଯୋଗ କଲେ, ସେମାନଙ୍କୁ ଧମକ ମିଳୁଛି। ମିଛ କେସ୍‌ କରି ଫସାଇଦେବି ବୋଲି ଧମକ ଦିଆଯାଉଛି। ଏ ସଂପର୍କ‌ରେ ଆଗରୁ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲେ ବି ଫଳ ଶୂନ।

ସମ୍ବନ୍ଧିତ ଖବର