କୋଭିଡ୍ ହସ୍ପିଟାଲ୍‌ରୁ ତ୍ରିନାଥ ନିଖୋଜ ହେବା ଘଟଣା: ଦୋଷ ଖସାଇବାକୁ ପାଗଳ କରିଦେଲେ!

କେଉଁ ଆଧାରରେ ଶବ ପୋଡ଼ିଦେଲା ବିଏମ୍‌ସି? ଆଇଓ ଆସୁନାହାନ୍ତି, ଅଧାରେ ଅଟକିଛି ତଦନ୍ତ

ଭୁବନେଶ୍ବର: ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୁରୀର ଜଣେ ବୃଦ୍ଧ ଏନ୍‌. ତ୍ରିନାଥଙ୍କର ତିନି ସପ୍ତାହ ହେଲା ପତ୍ତା ନ ମିଳୁ ନାହିଁ। ସେ ସୁସ୍ଥ ହୋଇଗଲେଣି ବୋଲି କହି ତାଙ୍କ ପୁଅକୁ ଡାକିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତ୍ରିନାଥଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଜଣାଇଥିଲେ। ତେଣୁ ତ୍ରିନାଥ ଏବେ ଜୀବିତ ନା ମୃତ, ସେଇ ଚିନ୍ତାରେ ପରିବାରଲୋକ ଘାଣ୍ଟି ହେଉଛନ୍ତି। ୧୭ ଦିନ ହେଲା ଏ ହସ୍ପିଟାଲରୁ ସେ ହସ୍ପିଟାଲ ଏବଂ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ବୃଦ୍ଧ ବାପାଙ୍କୁ ଖୋଜୁଥବା ତ୍ରିନାଥଙ୍କ ପୁଅ ଭାସ୍କର ଏନେଇ ଭରତପୁର ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ମାତ୍ର ମାମଲା ରୁଜୁ କରି ଚୁପ୍ ବସିଯାଇଛି ପୁଲିସ। ତେଣେ ପରିବାରଲୋକଙ୍କୁ ନ ଜଣାଇ ତ୍ରିନାଥଙ୍କ ଶବକୁ ସତ୍ୟନଗର ଶ୍ମଶାନରେ ଦାହ କରି ଦିଆଯାଇଥିବା ନେଇ ମଧ୍ୟ ଖବର ଆସୁଛି।

ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ମୁଣ୍ଡରୁ ଦୋଷ ଖସାଇବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ତ୍ରିନାଥଙ୍କୁ ପାଗଳ ଦର୍ଶାଇବାକୁ କାରସାଦି କରୁଥିବା ଜଣାପଡ଼ିଛି। ଗତ ଏପ୍ରିଲ ୧୯ ତାରିଖରେ ଏନ୍‌ ତ୍ରିନାଥଙ୍କ ଅବସ୍ଥା ଗୁରୁତର ହେବାରୁ ପୁରୀ କୋଭିଡ୍ ହସ୍ପିଟାଲ୍‌ରୁ ତାଙ୍କୁ ଭୁବନେଶ୍ବରର ଏକ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ତ୍ରିନାଥ ଭୁବନେଶ୍ବରର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଅନ୍ୟ ଆକ୍ରାନ୍ତଙ୍କ ମୁହଁରୁ ଭେଣ୍ଟିଲେଟର୍ ଓ ମାସ୍କ୍ ଖୋଲିଦେଉଛନ୍ତି ବୋଲି କହି ତା’ ପରଦିନ ତାଙ୍କୁ ଡୁମୁଡୁମା କୋଭିଡ୍ ସେଣ୍ଟର୍‌କୁ ପଠାଇ ଦିଆଗଲା। ସେହିଦିନ ହିଁ କୁଆଡ଼େ ତ୍ରିନାଥଙ୍କର ମୃତ୍ୟୁ ଘଟିଲା ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ ଆଇଏଚ୍‌ଆର୍‌ସି ନାମକ ଏକ ସଂସ୍ଥାକୁ ସୂଚନା ଦେଇଛନ୍ତି। ମାତ୍ର ଯଦି ତ୍ରିନାଥଙ୍କର ମାନସିକ ବିକୃତି ଥିଲା, ତେବେ ସେ କୋଭିଡ୍‌ରେ ମଲେ ନା କିଛି ଅଘଟଣ ଘଟିବା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଲା, ସେନେଇ କୌଣସି ତଥ୍ୟ ଦେଇ ନାହାନ୍ତି। ଅପରପକ୍ଷରେ ତ୍ରିନାଥଙ୍କ ମାନସିକ ବିକୃତି ଥିବା କଥାକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ତାଙ୍କ ପୁଅ ଭାସ୍କର। ଭାସ୍କରଙ୍କ କହିବା କଥା, ବାପାଙ୍କର କେବଳ ବାତରୋଗ ଅଛି। ବାତ ମାରିଲେ ସେ ଅଚେତ ହୋଇଯାଆନ୍ତି। ହେଲେ କେବେ ପାଗଳାମି କରିବା କି କାହାକୁ ମାରଧର୍ କରିବା ଭଳି କିଛି ଘଟାଇ ନାହାନ୍ତି।

ଏହାକୁ ନେଇ ଆଇଏଚ୍‌ଆର୍‌ସି କର୍ତ୍ତୃପକ୍ଷ ହସ୍ପିଟାଲ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ, ତ୍ରିନାଥ ପୁରୀରୁ ଭୁବନେଶ୍ବର କୋଭିଡ୍ ହସ୍ପିଟାଲ୍‌କୁ ଆସିବା ସମୟରେ ତାଙ୍କର ସମସ୍ତ ତଥ୍ୟ ଏହି କୋଭିଡ ହସ୍ପିଟାଲ୍‌ରେ ରହିଲା। ଏହା ପରେ ତ୍ରିନାଥଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରୁ ଡୁମୁଡୁମା କୋଭିଡ୍ ସେଣ୍ଟର୍‌କୁ ନିଆଯିବା ସମୟରେ କର୍ତ୍ତୃପକ୍ଷ ନିଶ୍ଚୟ ତ୍ରିନାଥଙ୍କ ସ୍ଥାନାନ୍ତରକୁ ନେଇ କଥା ହୋଇଥିବେ ଏବଂ ତାଙ୍କ ବାବଦରେ ଥିବା ସବୁ ତଥ୍ୟ ଓ କାଗଜପତ୍ର ମଧ୍ୟ ଦେଇଥିବେ। ତେବେ ତ୍ରିନାଥ ଡୁମୁଡୁମା କୋଭିଡ୍‌ ସେଣ୍ଟର ପାଇଁ ଅଜଣା ଅଚିହ୍ନା ହେଲେ କିପରି? ଏହାଛଡ଼ା ଯେଉଁଠି କୋଭିଡ୍ ଆକ୍ରାନ୍ତ ଗୁରୁତର ହୋଇ ପୁରୀରୁ ରାଜଧାନୀ ହସ୍ପିଟାଲ ଆସୁଛନ୍ତି, ସେଠାରେ ପରିବାରଲୋକଙ୍କୁ ନ ଜଣାଇ କିଭଳି ଗୁରୁତର ଆକ୍ରାନ୍ତଙ୍କୁ କୋଭିଡ୍ ସେଣ୍ଟର୍‌କୁ ପଠାଇ ଦିଆଗଲା?

ତ୍ରିନାଥଙ୍କ ପୁଅ ଭାସ୍କରଙ୍କ କହିବାନୁଯାୟୀ, ବାପାଙ୍କୁ କୋଭିଡ୍ ହସ୍ପିଟାଲ୍‌ରୁ ଡୁମୁଡୁମା କୋଭିଡ୍‌ କେୟାର ସେଣ୍ଟର୍‌କୁ ସ୍ଥାନାନ୍ତର କଲା ବେଳେ କିଛି ସୂଚନା ଦିଆଗଲା ନାହିଁ। ଯଦି ତା’ ପରଦିନ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା, ଏ ଖବର ବି ପରିବାରକୁ ଦିଆଗଲା ନାହିଁ କାହିଁକି? ଖାଲି ଏତିକିରେ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ ଖାମଖିଆଲି ସୀମିତ ରହିନାହିଁ। ବିଏମ୍‌ସିର ନିୟମ ଅନୁସାରେ, କୌଣସି ଅଚିହ୍ନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲା ପରେ ଶବକୁ ସାଙ୍ଗେ ସାଙ୍ଗେ ଦାହ କରାଯାଏ ନାହିଁ। ପରିବାରଲୋକଙ୍କୁ ସୂଚନା ଦେବା ପାଇଁ ସ୍ଥିର ହୋଇଥିବା ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଯାଏ। ଏହାପରେ ବି ଯଦି କେହି ଯୋଗାଯୋଗ ନ କରନ୍ତି, ତେବେ ମୃତକଙ୍କ ପରିଚୟ ଖୋଜିବା ଲାଗି ଏକ ଖବରକାଗଜରେ ଖବର ପ୍ରକାଶନ ପାଇଁ ଦିଆଯିବା କଥା। ମାତ୍ର ତ୍ରିନାଥଙ୍କ କ୍ଷେତ୍ରରେ ବିଏମ୍‌ସି କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ସମୟ ଅପେକ୍ଷା କରିନାହାନ୍ତି କି ଖବରକାଗଜରେ ଏ ନେଇ ଖବର ମଧ୍ୟ ଦେଇ ନାହାନ୍ତି। ତେବେ କେଉଁ ଆଧାରରେ ପରିବାରଲୋକଙ୍କୁ ନ ଜଣାଇ ଶବଦାହ କରାଗଲା, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଅପରପକ୍ଷରେ ଏନେଇ ତ୍ରିନାଥଙ୍କ ପରିବାର ଭରତପୁର ଥାନା‌‌‌‌‌ରେ ଗତ ମେ’ ୨୨ ତାରିଖରୁ ଏତଲା ଦେଇଥିଲେ ହେଁ ଏଯାଏ ତଦନ୍ତ ଯେଉଁଠିକୁ ସେଇଠି ଅଟକି ରହିଛି। ତଦନ୍ତ ଅଧିକାରୀ ଛୁଟିରେ ଥିବାରୁ ତଦନ୍ତ ଆଗେଇ ପାରିନଥିବା କୁହାଯାଉଛି। ମାମଲାକୁ ୧୭ଦିନ ବିତିଥିଲେ ବି ଏନେଇ କୌଣସି ନିଷ୍କର୍ସ ନ ବାହାରିବା ପୁଲିସ୍‌ର ଦାୟିତ୍ବହୀନତା ଓ ଅପାରଗତାକୁ ଇଙ୍ଗିତ କରୁଛି। ଏ ନେଇ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ନକରି ତଦନ୍ତକାରୀ ପୁଲିସ୍ ଅଧିକାରୀଙ୍କର ଏମିତି କ’ଣ ଜରୁରୀ କାମ ପଡ଼ିଲା ଯେ ସେ ଛୁଟି ନେଇ ଚାଲିଗଲେ? ଯଦି ଜରୁରୀକାଳୀନ ସ୍ଥିତିରେ ଛୁଟି ନେଇଥିଲେ, ତେବେ ଛୁଟିରେ ଯିବା ପୂର୍ବରୁ କାହିଁକି ଅନ୍ୟ ପୁଲିସ୍‌ କର୍ମଚାରୀଙ୍କୁ ତଦନ୍ତଭାର ହସ୍ତାନ୍ତର କଲେ ନାହିଁ? ଭୁବନେଶ୍ବର ଡିସିପିଙ୍କ ସର୍କୁଲାର୍ ଅନୁଯାୟୀ, ଏଭଳି ଘଟଣାରେ ଉକ୍ତ ପୁଲିସ୍ ଅଧିକାରୀଙ୍କଠାରୁ ଦାୟିତ୍ବ ନେଇ ଅନ୍ୟଜଣେ ଅଧିକାରୀଙ୍କୁ ଦିଆଯିବା କଥା। ମାତ୍ର ଏ କ୍ଷେତ୍ରରେ କାହିଁକି ସେ କଥାକୁ କାର୍ଯ୍ୟକାରୀ କରାଗଲା ନାହିଁ?

ହସ୍ପିଟାଲ, ପୁଲିସ୍‌ଠୁ ଆରମ୍ଭ କରି ବିଏମ୍‌ସି ପର୍ଯ୍ୟନ୍ତ ସମସ୍ତେ ଏଭଳି ବେପାରୁଆ ଓ ମନମୁଖୀ କାମ କରିଥିବାରୁ ତ୍ରିନାଥଙ୍କ ପରିବାରକୁ ଏତେ ଦିନ ହେଲା ଘୋର ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଦିନ କାଟିବାକୁ ପଡ଼ିଛି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର