ତ୍ରିପୁରାରେ ଲେନିନ୍‌ଙ୍କ ପ୍ରତିମୂର୍ତି ଭଙ୍ଗା ଘଟଣା : ଅଭାବନୀୟ ନିନ୍ଦନୀୟ

ଗତ ଦୁଇ ଦିନ ଭିତରେ ବିଜେପି କର୍ମୀ ଓ ସମର୍ଥକମାନେ ତ୍ରିପୁରାର ବେଲୋନିଆ ଓ ସବ୍‌ରୁମ୍‌ ସହରରେ ଥିବା ଲେନିନ୍‌ଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ପରେ ଏହି ଅଭାବନୀୟ ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିକଟରେ ଏଠାରେ ନିର୍ବାଚନ ଜିତି କ୍ଷମତା ଦଖଲ କରିଥିବା ବିଜେପିର ଏଭଳି କାଣ୍ଡକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ବେଳେ ବୁଦ୍ଧିଜୀବୀମାନେ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। କାହାର ଭାବାବେଗକୁ ଆଘାତ କରିବା ତଥା ଜଣଙ୍କ ଦର୍ଶନ, ବିଚାରକୁ ଏଭଳି ଅପମାନିତ କରିବା ନିନ୍ଦନୀୟ ବୋଲି ମତ ପ୍ରକାଶ ପାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟର କିଛି ଆଗଧାଡ଼ିର ଲେଖକ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀଙ୍କ ମତାମତକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।

ଏହା ପୁଞ୍ଜିବାଦୀ ଶାସନର ପ୍ରମାଣ

ମୋ ମତରେ ଏହା ହେଉଛି ଏକ ଜଘନ୍ୟ ଅପରାଧମୂଳକ କାର୍ଯ୍ୟ। ସମସ୍ତଙ୍କ ମତ ଓ ବିଚାରକୁ ଗ୍ରହଣ କରିବା ଆମ ଭାରତୀୟ ସଂସ୍କୃତି ଆମକୁ ଶିଖାଇଛି। ହେଲେ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ନିହାତି ଭାବେ ନିନ୍ଦନୀୟ। ଶାସନ ଗାଦିକୁ ଆସିବା ପରେ ଏଭଳି କାର୍ଯ୍ୟ କେନ୍ଦ୍ର ଶାସକ ଦଳର ବିଚାରଧାରାକୁ ସ୍ପଷ୍ଟ କରୁଛି। ମୂର୍ତ୍ତି ଭାଙ୍ଗିଦେଲେ ସାଧାରଣ ଲୋକଙ୍କ ମନରୁ ଭାବମୂର୍ତ୍ତି ଆନ୍ଦୋଳିତ ହୋଇଯାଏନି, ଏହା ସମସ୍ତଙ୍କୁ ବୁଝିବା ଆବଶ୍ୟକ। ସାମ୍ୟବାଦକୁ ସମର୍ଥନ ନ କରି ପୁଞ୍ଜିବାଦରେ ବିଶ୍ୱାସ ରଖୁଥିବା ଲୋକଙ୍କ ଏହି କାର୍ଯ୍ୟ ଅଟେ।
ବିଭୂତି ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ

ନୀତି, ଆଦର୍ଶ ଲୋପ ପାଇଯାଉଛି
ଏହା ଏକ ରାଜନୈତିକ ଖେଳ। କ୍ଷମତା ଗାଦିରେ ବସି ଏଠି ଯିଏ ଯାହା ପାରିଲା କରୁଛନ୍ତି। ଧୀରେ ଧୀରେ ଦେଶରୁ ନୀତି ଆଦର୍ଶ ସବୁ ଲୋପ ପାଇବାରେ ବସିଲାଣି।
ଭବାନୀ ଚରଣ ପଟ୍ଟନାୟକ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ

ଏହି ଘଟଣା ବିଜେପିର ‘ଉତ୍ତମ ଶାସନ’ର ମୁଖା ଖୋଲି ଦେଇଛି
ଆନୁଷ୍ଠାନିକ ଭାବେ ଶାସନ ଭାର ନେବା ପୂର୍ବରୁ ବିଜେପି ପକ୍ଷରୁ ତ୍ରିପୁରାରେ ଯେଉଁଭଳି ତାଲିବାନୀୟ ହିଂସା କରାଯାଉଛି ତାହା ଅତ୍ୟନ୍ତ ଅସଭ୍ୟ, ଅଶୋଭନୀୟ ଓ ବର୍ବର କାର୍ଯ୍ୟକଳାପ। ଏହା ଗଣତନ୍ତ୍ର ପାଇଁ ବିଷାକ୍ତ ଓ ବିପଦଜ୍ଜନକ। ଗାନ୍ଧୀକୁ ହତ୍ୟା କରି କ’ଣ ଗାନ୍ଧୀଙ୍କ ବିଚାରକୁ ମାରି ଦିଆ ଯାଇପାରିଲା? ଏଥିରୁ ଅନ୍ତତଃ ଶିକ୍ଷା ଗ୍ରହଣ କରିବା କଥା ଯେ, ଭୋଟ ରାଜନୀତିରେ ବିଜୟ-ପରାଜୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ଏହି ତଥାକଥିତ ‘ତ୍ରିପୁରା ମଡେଲ୍‌’ ବିଜେପିର ବହୁପ୍ରଚାରିତ ‘ଉତ୍ତମ ଶାସନ’ର ମୁଖା ଖୋଲି ଦେଇଛି।
ଆମୀୟ ପାଣ୍ଡବ, ଯୁବ ନେତା

ବହୁବାଦରେ ବିଶ୍ୱାସ ରଖୁଥିବା ଦେଶରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ

ବିଜେପି ହିନ୍ଦୁ ଧର୍ମର ରକ୍ଷକ ବୋଲି ଦାବି କରେ। ସେହି ଦଳର ନେତାଏ ଜାଣିଥିବେ, ହିନ୍ଦୁ ଧର୍ମରେ ଜଣେ କି ଦି’ ଜଣ ନୁହେଁ, ୩୩ କୋଟି ଦେବାଦେବୀଙ୍କ ବର୍ଣ୍ଣନା କରିଅଛି। ଏ ଦେଶର ସଂସ୍କୃତି, ଦର୍ଶନ, ଚିନ୍ତା ଓ ବିଚାର ବହୁବାଦ ଉପରେ ବିଶ୍ୱାସ କରେ। ତେଣୁ ଲେନିନ୍‌ ହୁଅନ୍ତୁ ବା ଗାନ୍ଧୀ, ପେରିୟାର ହୁଅନ୍ତୁ କି ଆମ୍ବେଦକର, ସଭିଙ୍କର ପ୍ରାସଙ୍ଗିକତା ରହିଛି। ସଭିଙ୍କର ସମର୍ଥକ ରହିଛନ୍ତି। ତେଣୁ କାହାରି ପ୍ରତିମୂର୍ତ୍ତି ଭାଙ୍ଗିବା ଆଦୌ ଗ୍ରହଣଯୋଗ୍ୟ କାର୍ଯ୍ୟ ନୁହେଁ। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟ ମାରୁଛନ୍ତି।
ଗୌରହରି ଦାସ, ବିଶିଷ୍ଟ କଥାକାର

ଆଦର୍ଶକୁ ଏଭଳି ମାରିବା ଉଚିତ ନୁହେଁ

ଆଦର୍ଶକୁ ଏଭଳି ଭାବେ ହତ୍ୟା କରାଯାଇପାରିବ ନାହିଁ। ଏଭଳି ପ୍ରଥା ଯଦି ରାଜନୀତିରେ ଆରମ୍ଭ ହୁଏ, ତେବେ ବଡ଼ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି ହେବ। କାଲିକୁ ଆମେ ମଧୁ ବାବୁ ଓ ଗାନ୍ଧୀଙ୍କୁ ବି ହତ୍ୟା କରିଦେବୁ। ସଂସ୍କାର ଚିର ଦିନ ରୁହେ ନାହିଁ। କିନ୍ତୁ ସଂସ୍କାର ଆଣିଥିବା କିଛି ଲୋକଙ୍କୁ ଆମକୁ ବଞ୍ଚାଇ ରଖିବାକୁ ପଡ଼ିବ। ତେଣୁ ବିଜେପି କର୍ମୀଙ୍କ ଏଭଳି କାଣ୍ଡକୁ ମୁଁ ନିନ୍ଦା କରୁଛି।
ରବି କାନୁନ୍‌ଗୋ, ବରିଷ୍ଠ ସାମ୍ବାଦିକ

ଐତିହାସିକ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା ନିନ୍ଦନୀୟ
ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠାରେ ସବୁ ମତକୁ ସମ୍ମାନ ଦିଆଯିବା ଉଚିତ୍‌। ଲେନିନ୍‌ ଜଣେ ଐତିହାସିକ ବ୍ୟକ୍ତିତ୍ୱ। ଏଭଳି ହିଂସା ଓ ଭଙ୍ଗାରୁଜା ଅତ୍ୟନ୍ତ ନିନ୍ଦନୀୟ।
ଅବସର ବେଉରିଆ, ପୂର୍ବତନ ରାଷ୍ଟ୍ରଦୂତ

ସମ୍ବନ୍ଧିତ ଖବର