ତ୍ରିପୁରା ହିଂସା, ପ୍ରତିମୂର୍ତ୍ତି ଭଙ୍ଗାକୁ ବିରୋଧ

ସିପିଆଇର ବିକ୍ଷୋଭ, ସିପିଏମ୍‌ର ଶୋଭାଯାତ୍ରା

ଭୁବନେଶ୍ୱର,: ତ୍ରିପୁରାରେ ବିଜେପି କର୍ମୀଙ୍କ ଦ୍ୱାରା ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ସହ ଦେଶର ବିଭିନ୍ନ ପ୍ରାନ୍ତରେ ମହାତ୍ମାଗାନ୍ଧୀ, ଆମ୍ବେଦକର, ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଳି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ପ୍ରତିବାଦ କରି ଆଜି ସିପିଆଇ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଜୋନ୍‌ ସମ୍ପାଦକ ସୁର ଜେନାଙ୍କ ନେତୃତ୍ୱରେ ସଂଗଠନର ଶତାଧିକ କର୍ମୀ ସିପିଆଇ ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ସମଗ୍ର ଅଶୋକ ନଗର ଅଞ୍ଚଳ ପରିକ୍ରମା କରିଥିଲେ। ଏହାପରେ ରାଜମହଲ ଛକ ନିକଟରେ ପହଞ୍ଚିବା ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆୟୋଜିତ ଏକ ସଭାରେ ସିପିଆଇ ସମ୍ପାଦକମଣ୍ଡଳୀ ସଭ୍ୟ ଅଭୟ ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନା, ଦାମୋଦର ବେହେରା, ରମଣୀରଞ୍ଜନ ରାଉତରାୟ, ଦାମୋଦର ମହାପାତ୍ର, ବିଜୟ ଜେନା ଓ ବନଲତା ଜେନା ପ୍ରମୁଖ ଉଦ୍‌ବୋଧନ ଦେଇ ସାଂପ୍ରଦାୟିକ ଶକ୍ତିମାନଙ୍କର ଏହି କୁତ୍ସିତ କାର୍ଯ୍ୟକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ଏହା ଗଣତନ୍ତ୍ରର ଆତ୍ମା ଉପରେ ଆକ୍ରମଣ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ମହିଳା ସମିତିର ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ, ସମ୍ପାଦିକା ପ୍ରଭାବତୀ ଦାସ, ବାସନ୍ତୀ ପ୍ରଧାନ, ପ୍ରଣତି ମହାନ୍ତି, ରୀତା ସେଠୀ, କୈଳାସ ପୁହାଣ, ଛେତମ୍ବର ଭୋଇ ପ୍ରମୁଖ ବିକ୍ଷୋଭ ଓ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

ଭୁବନେଶ୍ୱର: ତ୍ରିପୁରାଠାରେ ହିଂସା, ବର୍ବରତା ଏବଂ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ବିରୋଧ କରି ଆଜି ସିପିଆଇ (ଏମ୍‌) ପକ୍ଷରୁ ରାଜଧାନୀରେ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସିପିଆଇ (ଏମ୍‌)ର ଶତାଧିକ କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ରେଳ ଷ୍ଟେସନ୍‌ଠାରୁ ଶୋଭଯାତ୍ରାରେ ବାହାରି ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ବିକ୍ଷୋଭକାରୀମାନେ ଏଭଳି କାଣ୍ଡ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଆୟୋଜିତ ଏକ ପ୍ରତିବାଦ ସଭାରେ କର୍ମୀମାନେ ପ୍ରତିମୂର୍ତ୍ତି ଭଙ୍ଗା କାର୍ଯ୍ୟରେ ସଂପୃକ୍ତ ଦୁର୍ବୃତ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ବିଜେପିର ଗଣତନ୍ତ୍ର ବିରୋଧୀ ଓ ଲୋକବିରୋଧୀ ନୀତିକୁ ତୀବ୍ର ବିରୋଧ କରିବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର ତ୍ରିପୁରାରେ ଶାନ୍ତି ପ୍ରତିଷ୍ଠା, ଜନଜୀବନର ନିରାପତ୍ତା ପାଇଁ ସମସ୍ତ ପ୍ରକାର ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶାର ବାମପନ୍ଥୀ ଦଳ ଏବଂ ବୁଦ୍ଧିଜୀବୀମାନେ ଦାବି ଜଣାଇଛନ୍ତି।
ଆଜିର ବିକ୍ଷୋଭରେ ସିପିଆଇ (ଏମ୍‌) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ସନ୍ତୋଷ ଦାସ, ସୁରେଶ ପାଣିଗ୍ରାହୀ, ବିଷ୍ଣୁ ମହାନ୍ତି, ଦୁଷ୍ମନ୍ତ ଦାସ, ଶିବରାମ, ଓଡ଼ିଶା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ସ୍ତମ୍ଭକାର ତୁଷାରକାନ୍ତ, ନବ ମହାନ୍ତି, ଜଗଦୀଶ ଜେନା, ଚାମ୍ବୁର ସୋରେନ୍‌, ପ୍ରଭାତ ପାଣିଗ୍ରାହୀ, ବିକ୍ରମ ନାୟକ, ଫ୍ରଫୁଲ୍ଲ ଭୋଇ, ମିନତି ପାଣିଗ୍ରାହୀ, ରବୀନ୍ଦ୍ର ଟୁଡ଼ୁ, ସୁରେଶ ରାଉତରାୟ, ନୟନା ନାୟକ, ବାସୁଦେବ ତ୍ରିପାଠୀଙ୍କ ସମେତ ଜନ ଆନ୍ଦୋଳନର ବହୁ ନେତୃବୃନ୍ଦ ଯୋଗଦେଇ ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର