ଭୁବନେଶ୍ବର : ବାଣୀବିହାର ପ୍ରତି ମାତୃ ସୁଲଭ ଆତ୍ମୀୟତା ଆଜି ବି ଟାଣି ଆଣିଥିଲା ଶହଶହ ପୁରାତନ ଛାତ୍ରଛାତ୍ରୀଙ୍କୁ। ତେବେ ଗୋଟିଏ ମଞ୍ଚରେ ଗୁରୁ-ଶିଷ୍ୟ-ଅଭିଭାବକଙ୍କ ତ୍ରିବେଣୀ ସଙ୍ଗମ ବାଣୀବିହାରର ଗରିମା ଆହୁରି ବଢ଼ାଇ ଦେଇଥିଲା। ଗତକାଲି ଏଇ ମାଟିରେ ଅନେକ ପୁରାତନ ଛାତ୍ରଛାତ୍ରୀ ସ୍ମୃତି ସାଉଁଟୁ ସାଉଁଟୁ ତାଙ୍କ ଆଖିରୁ ସ୍ମୃତିର ଲୁହ ନିଗିଡ଼ି ଆସିଥିବା ବେଳେ ଆଜି ଏଇ ମାଟି ସେଇ ବରେଣ୍ୟ ଗୁରୁମାନଙ୍କ ପାଦ ସ୍ପର୍ଶରେ ଧନ୍ୟ ହୋଇଥିଲା। ପରିଣତ ବୟସରେ ନିଜ କର୍ମକ୍ଷେତ୍ରକୁ ପୁଣି ଥରେ ଆଖି ପୂରେଇ ଦେଖିନେବାର ଅଭିଳାଷ ହିଁ ସୂଚେଇ ଦେଉଥିଲା ସେମାନଙ୍କର ଏ ମାଟି ପ୍ରତି କେତେ ଆତ୍ମୀୟତା।
ହାଲ୍କା ଶୀତର ପରଶ ଓ କୁହୁଡ଼ିର ଚାଦରକୁ ଖାତିର ନକରି ସକାଳୁ ବାଣୀବିହାରକୁ ଶିକ୍ଷକମାନଙ୍କର ସୁଅ ଛୁଟିଥିଲା। କାର୍ଯ୍ୟସୂଚୀ ମୁତାବକ ଆଜି ଅବସରପ୍ରାପ୍ତ ଶିକ୍ଷକ ଓ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସମ୍ମିଳନୀ ଥିଲା। ମାତ୍ର ଗତକାଲି ନିଜ ବିଶ୍ବବିଦ୍ୟାଳୟ ମାଟି ମାଡ଼ିପାରିନଥିବା ପୁରାତନ ଛାତ୍ରଛାତ୍ରୀ ଆଜି ବି ଏକାଠି ହୋଇଥିଲେ। ଅନେକ ଛାତ୍ରଛାତ୍ରୀ ନିଜର ପୁରୁଣା ଦିନର ଗୁରୁମାନଙ୍କୁ ଦେଖିବା ପାଇଁ ଚାଲି ଆସିଥିଲେ। ଗୁରୁମାନେ ବି ଛାତ୍ରଛାତ୍ରୀଙ୍କୁ ଦେଖିବା ମାତ୍ରେ ପଚାରି ଦେଉଥିଲେ ଆରେ କେମିତି ଅଛ, କ’ଣ କରୁଛ? ବିଶ୍ବବିଦ୍ୟାଳୟର ବିସ୍ତୃତ ପରିସରକୁ ନେଇ ଅନେକ ଗୁରୁ ସନ୍ତୋଷ ଜାହିର କରିଥିଲେ ହେଁ, ପ୍ରଫେସରମାନଙ୍କ ଅଭାବକୁ ନେଇ ଅନେକ ମ୍ରିୟମାଣ ହୋଇ ପଡ଼ୁଥିଲେ।
ବାଣୀବିହାରର ଅନ୍ୟତମ ଆକର୍ଷଣ ପାଲଟିଥିଲେ ଅଭିଭାବକ। ୭୫ ବର୍ଷୀୟା ବାଣୀବିହାର ମାଟି ମାଡ଼ିବା ପରେ ବିସ୍ତୃତ ପରିସର ଦେଖି ଅଭିଭୂତ ହୋଇଯାଉଥିଲେ। ନିଜ ପୁଅ/ଝିଅ ପଢ଼ୁଥିବା ଶ୍ରେଣୀଗୃହ ବୁଲି ଦେଖିବା, ନିଜ ପିଲାମାନଙ୍କ ସୁନାମ ଓ ଭବିଷ୍ୟତ ସମ୍ପର୍କରେ ଶୁଣିବା ଏବଂ ଗୁରୁମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବାର ଚିତ୍ର ନିଆରା ପରିବେଶ ସୃଷ୍ଟି କରିଥିଲା। କିଛି ବିଭାଗର ଛାତ୍ରଛାତ୍ରୀମାନେ ଅଭିଭାବକମାନଙ୍କୁ ସ୍ମାଇଲ୍ ବ୍ୟାଚ୍ ପିନ୍ଧାଇ ଶ୍ରେଣୀ ଗୃହକୁ ପାଛୋଟି ନେଉଥିଲେ ତ କେଉଁଠି ଛାତ୍ରଛାତ୍ରୀମାନେ ଗୋଲାପ ଫୁଲଟିଏ ବଢ଼ାଇ ଦେଇ ଆତିଥ୍ୟ ବାଣ୍ଟୁଥିଲେ। ପୁଣି ଅଭିଭାବକଙ୍କ ହାତ ଧରି ମଞ୍ଚ ସମ୍ମୁଖକୁ ନେଇ ଯାଉଥିଲେ। ମଣିଷ ନିର୍ମାଣର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ବାଣୀବିହାରର ପ୍ଲାଟିନମ ଜୁବିଲିର ପ୍ରତିଟି କ୍ଷଣ ଓ ଆତ୍ମୀୟତାର ଚିତ୍ର ଗୋଟେ ଗୋଟେ ପୃଷ୍ଠାର ଇତିହାସ ସଂରଚନା କରୁଥିଲା।
ଉତ୍କଳ ବିଶ୍ବବିଦ୍ୟାଳୟ ମୋ ଜନ୍ମ ମାଟି: ଉତ୍କଳ ବିଶ୍ବବିଦ୍ୟାଳୟ ସହ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି। ମୋ ବାପା ୧୯୪୪ରେ ବିଶ୍ବବିଦ୍ୟାଳୟର ପ୍ରଥମ କୁଳସଚିବ ଭାବେ ୧୯୪୮ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ। ରେଭେନ୍ସା କଲେଜ କ୍ୟାମ୍ପସରେ ବିଶ୍ବବିଦ୍ୟାଳୟ ଚାଲିଥିବା ବେଳେ ମୁଁ ସେଠାରେ ଜନ୍ମ ହୋଇଥିଲି। ଆଉ ଉତ୍କଳ ବିଶ୍ବବିଦ୍ୟାଳୟ ଛୁଆ ଭାବେ ନିଜର ପରିଚୟ ପାଇଥିଲି। ତେଣୁ ଉତ୍କଳ ବିଶ୍ବବିଦ୍ୟାଳୟ ମୋର ଜନ୍ମମାଟି ବୋଲି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ କହିଛନ୍ତି। ଓଡ଼ିଆ ଭାଷା ସମ୍ପର୍କରେ ସେ କହିଥିଲେ ଯେ ମୁଁ ଏଠାରେ ଓଡ଼ିଆରେ କହିବି। କାରଣ ମାଟିର ଭାଷା ମାଟି ବୁଝିବ।
୨୭ କୁଳପତି କୁଆଡ଼େ ଗଲେ?: ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରି ପରବର୍ତୀ ସମୟରେ ୩୫ ଜଣ ପ୍ରଫେସର ଓଡ଼ିଶା ସମେତ ଜାତୀୟସ୍ତରରେ କୁଳପତି, କୁଳାଧିପତି ଆଦି ପଦରେ ଅଧିଷ୍ଠିତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଆଜି ପ୍ରାୟ ୮ ଜଣଙ୍କୁ ଦେଖିବାକୁ ମିଳିଥିଲା। ବାକି ପ୍ରାୟ ୨୭ ଜଣ ଆସି ନଥିଲେ। କେତେଜଣ କୁଳପତି କହିଛନ୍ତି ଯେ ଆମକୁ କେହି ଡାକିନାହାନ୍ତି। ପ୍ଲାଟିନମ୍ ଜୟନ୍ତୀ ପାଳନ ହେଉଛି ବୋଲି ଗଣମାଧ୍ୟମରୁ ଯାହା ଜାଣିବାକୁ ପାଉଛୁ। ଆଉ କିଛି ଜଣ କହିଛନ୍ତି ଯେ ଏଠି ରାଜନେତା ଓ ପ୍ରଶାସକଙ୍କ ମିଳନ ଚାଲିଛି। ଆମକୁ ପଚାରେ କିଏ।
ଅତିଥି ସଂଖ୍ୟାରେ ବି ଭୂତାଇଲେ: ସମ୍ମିଳନୀରେ ପ୍ରତିଦିନ ୧୦ ହଜାର ଅତିଥି ଯୋଗଦେଉଛନ୍ତି ବୋଲି ଆୟୋଜକମାନେ ବାରମ୍ବାର କହୁଛନ୍ତି। ତେବେ ଆଜି ଅତିଥିଙ୍କୁ ଖାଇବାକୁ ନ ମିଳିବା ପରେ ପ୍ରକୃତ ତଥ୍ୟ ପଦାକୁ ଆସିଛି। ଆୟୋଜକମାନେ ଗଣମାଧ୍ୟମ ସମେତ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇଥିବା ଜଣାପଡ଼ିଛି। ଉତ୍ସବ ପାଇଁ ଟେଣ୍ଟ ସଂସ୍ଥା ମୋଟ ୫ ହଜାର ଚେୟାର ଦେଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୪ ହଜାର ଚେୟାର ପଡ଼ିଛି। ଆହୁରି ୮୦୦ରୁ ଏକ ହଜାର ଚେୟାର ପଡ଼ିପାରିନି। ପଛପାର୍ଶ୍ବରେ ଥୁଆଯାଇଛି। ନାଁ କମାଇବା ପାଇଁ ଏଭଳି ମିଥ୍ୟା ତଥ୍ୟ ଦେବାର କାରଣ କ’ଣ ବୋଲି ଏବେ ପ୍ରଶ୍ନ ଉଠିଛି।
ଅତିଥିଙ୍କୁ ଖାଇବାକୁ ଦେଲେନି
କଥାଟା ଶୁଣି ଅଡ଼ୁଆ ଲାଗୁଥିବ ନିଶ୍ଚିତ। ତେବେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବିଲି ଉତ୍ସବରେ। ଛାତ୍ରଛାତ୍ରୀଙ୍କ ଅଭିଭାବକ, ପୁରାତନ ପ୍ରଫେସର ଓ କର୍ମଚାରୀଙ୍କୁ ଅତିଥି ଭାବେ ଉତ୍ସବକୁ ଡକାଯାଇଥିଲା। ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବାହସ୍ପଟ ମାରୁଥିଲେ। ତେବେ ମଧ୍ୟାହ୍ନ ବେଳକୁ ଆୟୋଜନର ଅବ୍ୟବସ୍ଥା ପଦାରେ ପଡ଼ିଥିଲା। ଅତିଥିଙ୍କୁ ଖାଇବାକୁ ମିଳି ନଥିଲା। କେଉଁ ଷ୍ଟଲରେ ଡିସ୍ ତଳେ ଗଡ଼ୁଥିଲା ତ ଆଉ କେଉଁଠି ଖାଲି ଭାତ, ଡାଲି ପରସା ଯାଉଥିଲା। ଏହାକୁ ନେଇ ଅଭିଭାବକ, ପୁରାତନ ପ୍ରଫେସର, କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରି ଅଧାରୁ ପଳାଇ ଯାଇଥିଲେ। କ୍ୟାମ୍ପସ ବାହାରେ ଥିବା ହୋଟେଲରେ ଖାଇଥିଲେ। କିଛି ଛାତ୍ରଛାତ୍ରୀ ଖାଇବାକୁ ନ ପାଇ ରୋଷେଇ ଶାଳ ଭିତରେ ପଶି ଭାତ ଓ ଖିରିି ଡିସ୍ ଉଠାଇ ନେଇଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗତକାଲି ବଡ଼ବଡ଼ିଆ ବାବୁମାନେ ଅତିଥି ସେମାନଙ୍କୁ ଆତିଥ୍ୟ ଦେବାକୁ ସମସ୍ତେ ଆଗେଇ ଆସିଥିଲେ। ତେବେ ଆଜି ଅଭିଭାବକମାନେ ଅତିଥି ହୋଇଥିବାରୁ ସେମାନଙ୍କୁ ଆତିଥ୍ୟ ଦେବାକୁ କେହି ନଥିଲେ। ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବ, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରମୁଖ ମଞ୍ଚ ଉପରର ଅତିଥିଙ୍କୁ ସନ୍ତୁଷ୍ଟ କରିବାକୁ ଲାଗିପଡ଼ିଥିଲେ।
ଆଜି ପୁଣି ପାଗଳାମି
ତିନି ଦିନ ନ ବିତୁଣୁ ଆଜି ପୁଣିଥରେ କ୍ୟାମ୍ପସରେ ଜଣେ ପାଳଗର ପାଗଳାମି ଦେଖିବାକୁ ମିଳିଥିଲା। ଭିକ୍ଷା ବୃତ୍ତି ଆଳରେ ଆଜି ଜଣେ ଯୁବକ ଉତ୍ସବ ସ୍ଥଳକୁ ଯିବାକୁ ଉଦ୍ୟମ କରିଥିଲେ। ତେବେ ଏହି ବ୍ୟକ୍ତି ଜଣକ ଭିକାରି ପରି ଦେଖାଯାଉ ନଥିଲେ। ତାଙ୍କ ହାତରେ ପ୍ରାୟ ୨୦ ହଜାର ଟଙ୍କାର ମୋବାଇଲ୍ ରହିଥିଲା। ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ। ଭିତରକୁ ପ୍ରବେଶ ଲାଗି ଅନୁମତି ଦେଇ ନଥିଲେ। ଏହାକୁ ନେଇ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।