ରାଜଧାନୀରେ ଆଲୋଡ଼ନ: ମାସେ ହେଲା ଯୁବତୀଙ୍କ ପତ୍ତା ମିଳୁନି

ବିବାହ ପାଇଁ ଘରୁ ନେଇ ଆସିଥିଲେ ଯୁବକ, ଖୋଜି ଖୋଜି ନିରାଶ ପରେ ଥାନାରେ ଅଭିଯୋଗ

ଭୁବନେଶ୍ବର: ବିବାହ ପାଇଁ ଯୁବତୀଙ୍କୁ ଘରୁ ନେଇ ଆସିଥିଲେ ଯୁବକ। କିନ୍ତୁ ମାସେ ହେଲା ଯୁବତୀଙ୍କର କୌଣସି ପତ୍ତା ମିଳୁନାହିଁ। ଜୀବନରୁ ମାରି ଦେବାକୁ ଷଡଯନ୍ତ୍ର କରୁଥିବା ଯୁବତୀ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ଏହା ପରଠାରୁ ଫୋନ୍ ସୁଇଚ୍ ଅଫ୍। ଖୋଜି ଖୋଜି ନିରାଶ ହେବା ପରେ ଯୁବତୀଙ୍କ ବାପା ଶେଷରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତନାଘନା ଆରମ୍ଭ କରିଛି। ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି।
ଅଭିଯୋଗ ଅନୁସାରେ, ଯୁବତୀଙ୍କ ଘର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କ୍ଷେତ୍ରପାଳ ଅଞ୍ଚଳର ସୋମନାଥ ସାହୁ ନାମକ ଜଣେ ଯୁବକ ଯୁବତୀଙ୍କୁ ବିବାହ ପାଇଁ ଘରୁ ନେଇ ପଳାଇ ଆସିଥିଲେ। ଏ ନେଇ ଯୁବତୀଙ୍କ ବାପା ଆନନ୍ଦପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। କିନ୍ତୁ ଗତ ମାସ ୨୭ ତାରିଖରେ ତାଙ୍କ ଝିଅ ଫୋନ୍ କରି ତାଙ୍କୁ ଡୁମୁଡୁମା ଅଞ୍ଚଳର ଏକ ବନ୍ଦ ଘରେ ରଖା ଯାଇଥିବା କହିଥିଲେ। ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରୁଛନ୍ତି। ସୋମନାଥଙ୍କ ସହ ଆହୁରି ୪ ଜଣ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଏହା ପରଠାରୁ ତାଙ୍କର ଫୋନ୍ ସୁଇଚ୍ ଅଫ୍ ରହିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଯାହାକୁ ନେଇ ପରିବାର ଲୋକ ଭୟଭୀତ ହୋଇ ରହିଛନ୍ତି। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଗତ ୧୮ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଯୁବତୀଙ୍କ ଫୋନ୍ କଲ୍ ଡିଟେଲ୍ସ ରିପୋର୍ଟ(ସିଡିଆର) ଯାଞ୍ଚ କରାଯାଇଛି। ଯୁବତୀ କେଉଁ ପରିସ୍ଥିତିରେ, କୁଆଡ଼େ ଗଲେ ତାକୁ ନେଇ ତନାଘନା ଚାଲିଛି। ଯଦି ଯୁବତୀଙ୍କୁ ଅପହରଣ କରାଯାଇଛି ସେ କେଉଁଠାରେ ଓ କେଉଁ ଅବସ୍ଥାରେ ଅଛନ୍ତି? ତଦନ୍ତ ପରେ ପୂରା ଘଟଣା ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

 ବିବାହ ପାଇଁ ଘରୁ ନେଇ ଆସିଥିଲେ ଯୁବକ
 ଖୋଜି ଖୋଜି ନିରାଶ ପରେ ଥାନାରେ ଅଭିଯୋଗ
 ଫୋନ୍ ସୁଇଚ୍ ଅଫ୍, ପୁଲିସର ତନାଘନା

ୱେବ୍‌ ଚ୍ୟାନେଲରେ କାମ କରୁଥିବା ଯୁବତୀ ନିଖୋଜ

ଭୁବନେଶ୍ବର: ନୟାପଲ୍ଲୀ ସାଲିଆସାହି ଅଞ୍ଚଳରେ ୱେବ୍‌ ଚ୍ୟାନେଲରେ କାମ କରୁଥିବା ଜଣେ ଯୁବତୀ ନିଖୋଜ ହୋଇ ଯାଇଛନ୍ତି। ଏ ନେଇ ତାଙ୍କ ସାନଭଉଣୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଛି। ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ଘର ରାୟଗଡ଼ାରେ। ଗତ ୪ ମାସ ହେଲା ସେ ଉକ୍ତ ୱେବ୍‌ ଚ୍ୟାନେଲରେ କାମ କରୁଥିଲେ। ଗତ ୫ ତାରିଖରେ ଘରକୁ ଯାଇ ଫେରିଥିଲେ। ତାଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ରହିଥିଲା। ବହୁ ଖୋଜାଖୋଜି ପରେ ପତ୍ତା ନ ମିଳିବାରୁ ଏ ନେଇ ଯୁବତୀଙ୍କ ଭଉଣୀ ଆଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି। ବିଭିନ୍ନ ଥାନାକୁ ଯୁବତୀଙ୍କ ଫଟୋ ପଠାଯିବା ସହ ମୋବାଇଲ ଲୋକେସନ ଠାବ କରିବା ପାଇଁ ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର