ସାମ୍ବାଦିକ ପାଇଁ କାଳ ଟିଆର୍‌ପି ପ୍ରତିଯୋଗିତା

ଆଜିକାଲି ଟିଆର୍‌ପି ପାଇଁ ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଫଳରେ ଏକ୍‌ସକ୍ଲୁସିଭ୍‌ ଖବର ଦେବା ପ୍ରୟାସରେ ସାମ୍ବାଦିକମାନେ ବିପଦମୁହଁକୁ ଡେଇଁ ପଡ଼ିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ବି ସଂସ୍ଥାର ମାଲିକମାନଙ୍କ ପକ୍ଷରୁ ପରୋକ୍ଷ ନିର୍ଦ୍ଦେଶ ରହୁଛି। ମାତ୍ର ଏହା ସମାଜ ପାଇଁ କ୍ଷତିକାରକ। କାରଣ ସାମ୍ବାଦିକମାନେ ସମାଜର ସମ୍ପତ୍ତି। ସେମାନେ ଅସୁରକ୍ଷିତ ହେଲେ, ସବୁ ଦିଗରୁ ସମାଜର ହିଁ କ୍ଷତି ହେବ। ତେଣୁ ଜଣେ ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରିବା ଭୁଲ୍‌ ନିଷ୍ପତ୍ତି। ସତର୍କ ଓ ସାବଧାନ ହୋଇ ବିପଦପୂର୍ଣ୍ଣ ପରିବେଶରୁ ଖବର ସଂଗ୍ରହ କରି ହେବ। ଆଜି ମହାନଦୀରେ ଏକ ହାତୀକୁ ଉଦ୍ଧାର କରାଯାଉଥିବା ବେଳେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି।

ଜଣେ ସାମ୍ବାଦିକ ସମାଜର ସମ୍ପତ୍ତି
ସବୁ ସମୟରେ ସାମ୍ବାଦିକମାନେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ। କାରଣ ସେମାନେ କେବଳ ନିଜ ପରିବାରର ନୁହଁନ୍ତି, ସେମାନେ ସମାଜର ସମ୍ପତ୍ତି। ସେମାନେ ସୁରକ୍ଷିତ ନ ରହିଲେ, ସମାଜର ବଡ଼ କ୍ଷତି ହେବ। ତେଣୁ ଟିଆର୍‌ପି ଗୋଟାଇବାକୁ ଯାଇ ସତର୍କ ଓ ସାବଧାନ ନ ହେଲେ ବିଭିନ୍ନ ଦିଗରୁ ସମାଜର କ୍ଷତି ‌ହୁଏ। ଅରିନ୍ଦମଙ୍କ ଅକାଳ ବିୟୋଗ ସମାଜ ପାଇଁ କ୍ଷତି।
ଲୀନା ନନ୍ଦିତା ପରିଡ଼ା

ଜୀବନ ଆଗ, ସାମ୍ବାଦିକତା ପଛ
ବିପଦପୂର୍ଣ୍ଣ ପରିବେଶରେ ଖବର ସଂଗ୍ରହ କରିବା ବେଳେ ସବୁ ଦିଗରୁ ସାବଧାନତା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପ୍ରଥମେ ଜୀବନ, ତା’ ପରେ ସାମ୍ବାଦିକତା। ପ୍ରତିକୂଳ ପରିବେଶରେ ଦୁଃସାହସିକତା ଦେଖାଇ ନିଜ ଜୀବନକୁ ବିପଦକୁ ଠେଲି ଦେବା ଠିକ୍ ନୁହେଁ।
ବିଭୁ ଭୂଷଣ ସ୍ୱାଇଁ

ଜୀବନକୁ ବାଜି ଲଗାଇବା ଅଧିକାର ବାହାରେ
କର୍ମ ହିଁ ପୂଜା। ତେବେ ଏହି ପୂଜା ପାଇଁ ଜୀବନ ଦରକାର। କୌଣସି ପରିସ୍ଥିତିରେ ବି ନିଜ ଜୀବନକୁ ବାଜି ଲଗାଇବା ଅଧିକାର କାହାକୁ ମିଳିନି। ନିଜକୁ ବିପଦକୁ ଠେଲି ଦେଇ କର୍ମ କରିହେବ ନାହିଁ। ତେଣୁ ପୂଜାର ପ୍ରଶ୍ନ ଉଠୁଛି କେଉଁଠୁ?
ସାଗରିକା ପଣ୍ଡା

ମାଲିକମାନେ ବାଧ୍ୟ କରନ୍ତୁ ନାହିଁ
ବେଳେବେଳେ ଭଲ ଖବର ପାଇଁ ଦୁଃସାହସିକ କାର୍ଯ୍ୟ କରିବାକୁ ମାଲିକମାନେ ସାମ୍ବାଦିକଙ୍କୁ ପରୋକ୍ଷରେ ବାଧ୍ୟ କରନ୍ତି। ଏହା ଭୁଲ୍‌। ମାଲିକ ଓ ସାମ୍ବାଦିକ ବନ୍ଧୁ ଏଭଳି କାମରୁ ନିବୃତ୍ତ ରହିବା ଦରକାର। ଜଣେ ପ୍ରତିନିଧିର ଜୀବନ କୌଣସି ବି ରିପୋର୍ଟଠାରୁ ଖୁବ୍ ଅଧିକ ଗୁରୁତ୍ବପୂର୍ଣ୍ଣ।
ରଜତ କୁମାର ପରିଡ଼ା

ଖବର ସଂଗ୍ରହ ପାଇଁ ମାର୍ଗଦର୍ଶିକା ରହିବା ଉଚିତ
ଖବର ସଂଗ୍ରହ ଓ ପ୍ରସାରଣ କରିବା ସାମ୍ବାଦିକର ଧର୍ମ। କିନ୍ତୁ ଏହାର ଅର୍ଥ ନୁହେଁ, ସାମ୍ବାଦିକ ତା’ର ଜୀବନକୁ ବିପନ୍ନ କରି ଖବର ସଂଗ୍ରହ କରିବ। ସାମ୍ବାଦିକତା ବୃତ୍ତିକୁ ଆପଣାଉଥିବା ଛାତ୍ରଛାତ୍ରୀଙ୍କୁ ଖବର ସଂଗ୍ରହ ବାବଦରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବା ସହ ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ ହେବା ଜରୁରୀ।
ଶିବରାମ ମହାପାତ୍ର, ଭୁବନେଶ୍ବର

ଟିଆର୍‌ପି ପାଇଁ ଜୀବନକୁ ବାଜି ଲଗାଇବା ଠିକ୍ ନୁହେଁ
ସାମ୍ବାଦିକର ଧର୍ମ ହେଉଛି ସାଧାରଣ ଜନତାକୁ ନ୍ୟାୟ ଦେବାରେ ସହାୟକ ହେବା। କିନ୍ତୁ ଜୀବନକୁ ବାଜି ଲଗାଇ ବିପଦ ଭିତରକୁ ଠେଲି ହୋଇଗଲେ, ପୀଡ଼ିତଙ୍କୁ ନ୍ୟାୟ କିଭଳି ଦେଇ ହେବ। ନିର୍ଭୀକତାର ଅର୍ଥ ନୁହେଁ, ଟିଆର୍‌ପି ଆଶାରେ ନିଜକୁ ମରଣମୁହଁକୁ ଠେଲି ଦେବା। ଅରିନ୍ଦମ ଦାସଙ୍କ ଭଳି ଦୁଃଖଦ ଘଟଣାର ପୁନରାବୃତ୍ତି ନହେଉ।
ରୋହନ ମହାପାତ୍ର, ଭୁବନେଶ୍ବର

ଜୀବନ ଥିଲେ, ବହୁ ଏକ୍ସକ୍ଲୁସିଭ୍‌ ଷ୍ଟୋରି ମିଳିବ
ଏକ୍‌ସକ୍ଲୁସିଭ୍‌ ନିଉଜ୍‌ ପାଇବାକୁ ସାଧାରଣତଃ ସବୁ ସାମ୍ବାଦିକ ଚାହାନ୍ତି। କିନ୍ତୁ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରିବା ଆଦୌ ବୁଦ୍ଧିମାନର କଥା ନୁହେଁ। ଜୀବନ ଥିଲେ ଅନେକ ଏକ୍ସକ୍ଲୁସିଭ୍‌ ଷ୍ଟୋରି ମିଳିବ। ଛୋଟଛୋଟ ଭୁଲ୍ ବା ଅସାବଧାନତା ପାଇଁ ଜଣେ ସାମ୍ବାଦିକର କ୍ଷତି ପ୍ରତ୍ୟକ୍ଷ ଭାବେ ସମାଜର ହିଁ କ୍ଷତି।
ଚନ୍ଦନ ଜେନା

ନିର୍ଭୀକ ସାମ୍ବାଦିକତାର ସଂଜ୍ଞା ଅଲଗା
ଆଜିକାଲି ଏକ୍ସକ୍ଲୁସିଭ୍‌ ଖବର ଓ ଟିଆର୍‌ପି ପାଇଁ ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥାମାନଙ୍କ ଭିତରେ ପ୍ରତିଯୋଗିତା ଲାଗି ରହିଛି। ଫଳରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଏପରି ଘଟଣା ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ।
ଶ୍ରୀକୃଷ୍ଣ ପତି

ବିପଦପୂର୍ଣ୍ଣ ସ୍ଥାନରେ ସାମ୍ବାଦିକ ଅଧିକ ସତର୍କ ହେବା ଜରୁରୀ
ଟିକିନିଖି ଖବର ସଂଗ୍ରହ କରିବା ଜଣେ ନିଷ୍ଠାବାନ ସାମ୍ବାଦିକର ଧର୍ମ। ତେବେ ବିପଦପୂର୍ଣ୍ଣ ସ୍ଥାନରେ ଅଧିକ ସତର୍କ ହେବା ବି ଜରୁରୀ। ନଚେତ ଭଲ ଖବର ସଂଗ୍ରହ କରିବାକୁ ଯାଇ ନିଜେ ଜୀବନ ହରାଇବା ଭଳି ସ୍ଥିତି ଆସିବ। ଏହା ଦ୍ବାରା କାହାର କିଛି ଲାଭ ହେବ ନାହିଁ। ସମସ୍ତଙ୍କର କ୍ଷତି ହିଁ କ୍ଷତି ଘଟିବ।
ଅଚ୍ୟୁତ କୁମାର ବେହେରା

ସବୁ ଦିଗକୁ ଧ୍ୟାନ ଦେବା ବିଧେୟ
ସାଧାରଣ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ଜଣେ ସାମ୍ବାଦିକର ଧର୍ମ। ତେବେ ଏଥିପାଇଁ ଜୀବନକୁ ବାଜି ଲଗାଇବା ଜରୁରୀ ନୁହେଁ। ବିପଦରୁ ନିଜକୁ ବଞ୍ଚାଇବା ବି ଗୁରୁତ୍ବପୂର୍ଣ୍ଣ। ଟିଆର୍‌ପି ପଛରେ ପଡ଼ି ବିପଦକୁ ଆମନ୍ତ୍ରଣ କରିବା ମୋଟେ ଉଚିତ ନୁହେଁ। ଘର ପରିବାର କଥା ଭାବିବା ମଧ୍ୟ ଉଚିତ।
ବିନିତ୍ ରାଉତ

ପରିବାରର କ୍ଷତି କେମିତି ଭରଣା ହେବ
ଖବର ପରିବେଷଣ କରିବା ସାମ୍ବାଦିକର ବୃତ୍ତି ଓ କର୍ତ୍ତବ୍ୟ। କିନ୍ତୁ ବିପଦପୂର୍ଣ୍ଣ ସ୍ଥାନରେ ରିପୋର୍ଟିଂ କଲା ବେଳେ ନିଜର ସୁରକ୍ଷା ପ୍ରତି ସବୁବେଳେ ଧ୍ୟାନ ଦେବା ଆବଶ୍ୟକ। ସାମ୍ବାଦିକର କିଛି ହୋଇଗଲେ ଗଣମାଧ୍ୟମ ସଂସ୍ଥା ପାଇଁ ବହୁତ ସାମ୍ବାଦିକ ମିଳିଯିବେ। କିନ୍ତୁ ସଂପୃକ୍ତ ସାମ୍ବାଦିକର ପରିବାର ଯେଉଁ କ୍ଷତି ସହିବେ, ତାହାକୁ କିଏ ଭରଣା କରିବ? ତେଣୁ ଏ ଦିଗ ପ୍ରତି ସବୁ ସାମ୍ବାଦିକ ଯତ୍ନବାନ ‌ହେବା ଆବଶ୍ୟକ।
ତନ୍ମୟୀଶ୍ବେତା ତ୍ରିପାଠୀ, ଟଙ୍କପାଣି ରୋଡ୍‌

ସମ୍ବନ୍ଧିତ ଖବର