ଅଟୋଷ୍ଟାଣ୍ଡରେ ପଶିଲା କଣ୍ଟେନର୍‌ : ୫ ଅଟୋ ଭାଙ୍ଗିଲା, ୩ ଆହତ, ବର୍ତିଲେ ୧୦

ଖଣ୍ଡଗିରି : ସୋମବାର ଅପରାହ୍ଣରେ ବରମୁଣ୍ଡା ଓଭରବ୍ରିଜ୍‌ ନିକଟସ୍ଥ ଅଟୋଷ୍ଟାଣ୍ଡରେ ଏକ କଣ୍ଟେନର୍‌ ଧସେଇ ପଶିବାରୁ ୫ଟି ଅଟୋ ଭାଙ୍ଗି ଚୂର୍‌ମାର୍‌ ହେବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଡୁମୁଡୁମା ଅଞ୍ଚଳର ଜଗନ୍ନାଥ ସାହୁ, ଅଜୟ ପଣ୍ଡା ଓ ପବିତ୍ର ସାହୁ। ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ତେବେ ସୌଭାଗ୍ୟକୁ ଏହି ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି। ତେବେ କଣ୍ଟେନର୍‌ଟି ଜନଗହଳିପୂର୍ଣ ସ୍ଥାନରେ ଭୟଙ୍କରଭାବେ ପଶି ଯାଇଥିଲେ ବି ଭାଗ୍ୟକୁ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ। ଖଣ୍ଡଗିରି ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁସାରେ ଅପରାହ୍ଣ ପ୍ରାୟ ୪ଟାରେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍‌ ଆରମ୍ଭ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଖୋର୍ଧା, ଡୁମୁଡୁମା, କଳିଙ୍ଗବିହାର ଆଦି ଅଞ୍ଚଳକୁ ଯିବା ପାଇଁ ଯାତ୍ରୀମାନେ ବସ୍‌ ଓ ଅଟୋକୁ ଅପେକ୍ଷା କରିଥିଲେ। ଅବଶ୍ୟ ଯାତ୍ରୀ ସଂଖ୍ୟା ସେତେ ବେଶି ନଥିଲା। ସେଠି ଥିବା ଅଟୋଷ୍ଟାଣ୍ଡର କିଛି ଅଟୋ ଯାତ୍ରୀ ଭର୍ତି କରି ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ଓ ଆଉ କିଛି ଅଟୋ ପଛକୁ ପଛ ଯାତ୍ରୀ ନେବା ପାଇଁ ଅପେକ୍ଷାରେ ଥିଲେ। ଏତିକିବେଳେ ହଠାତ୍‌ ବାଣୀବିହାର ଦିଗରୁ ଆସୁଥିବା ଏକ କଣ୍ଟେନର୍‌ (ଓଆର୍‌୦୨ଏଆର୍‌-୬୩୬୫) ଅଟୋ ଷ୍ଟାଣ୍ଡ ଭିତରକୁ ଧସେଇ ପଶି ଆସିଲା। କେହି କିଛି ବୁଝିବା ପୂର୍ବରୁ କଣ୍ଟେନରଟି ପ୍ରଥମେ ଶଶିକାନ୍ତ ସାହୁଙ୍କ ଅଟୋ(ଓଆର୍‌୦୨ ବିଆର୍‌-୬୨୩୨)କୁ ଧକ୍କା ଦେଇଥିଲା। କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କଣ୍ଟେନର୍‌ଟି ଅଟୋ ଉପରେ ସିଧା ମାଡ଼ି ଯାଇ ନଥିଲା। ଗୋଟିଏ ଅଟୋକୁ ଧକ୍କା ଦେବା ପରେ ପରେ କଣ୍ଟେନର୍‌ଟି ଦୁଃଖିଶ୍ୟାମ ଜେନାଙ୍କ ଅଟୋ(ଓଡି୩୩ ବି-୭୦୫୧), ସୁଶାନ୍ତ ସୁବୁଦ୍ଧିଙ୍କ ଅଟୋ(ଓଆର୍‌୦୨ବିକ୍ୟୁ-୩୫୦୫), ଭାସ୍କର ରାଉତଙ୍କ ଅଟୋ(ଓଡି୩୩ଏନ୍‌-୭୫୧୦) ଓ ପରେ ରାଜୁ ମୀରାଙ୍କ ଅଟୋ(ଓଡି୩୩କେ-୯୦୪୧)କୁ ପିଟି ଥିଲା। ହେଲେ ପ୍ରଥମ ଅଟୋକୁ ଧକ୍କା ଲାଗିବା ଦେଖି ଭୟରେ ଅନ୍ୟ ଅଟୋରେ ଥିବା ଲୋକେ ଡେଇଁ ପଡ଼ି ଏଣେତେଣ ଧାଇଁ ବର୍ତି ଯାଇଥିଲେ। ସେହିଭଳି ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀମାନେ ମଧ୍ୟ ପ୍ରାଣବିକଳରେ ଦୌଡ଼ି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପ୍ରାୟ ୫ ମିନିଟ୍‌ ପର୍ଯ୍ୟନ୍ତ ସେଠାରେ ଏକ ଆତଙ୍କର ବାତାବରଣ ଖେଳି ଯାଇଥିଲା। ପ୍ରାୟ ୧୦ ଜଣ ଲୋକ ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତି ଯାଇଥିଲେ। କିନ୍ତୁ ପ୍ରଥମେ ଧକ୍କା ଖାଇଥିବା ଶଶିକାନ୍ତଙ୍କ ଅଟୋରେ ଥିବା ଜଗନ୍ନାଥ, ଅଜୟ ଓ ପବିତ୍ର ବର୍ତି ପାରି ନଥିଲେ। ସେମାନେ ଗୁରୁତରଭାବେ କ୍ଷତବିକ୍ଷତ ହୋଇଥିଲେ। କଣ୍ଟେନର୍‌ଟି ଅଟୋମାନଙ୍କୁ ଧକ୍କା ଦେଇ ଦେଇ କିଛି ବାଟରେ ଅଟକି ଯାଇଥିଲା ଓ ଏହି ମଉକାରେ ଡ୍ରାଇଭର୍‌ ଗହଳି ଭିତରେ ଗାଡ଼ି ଛାଡ଼ି ଖସି ଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା।

ମନେ ପକାଇଥିଲା ୨୦୧୩ ମସିହାର ହାଇଓ୍ଵା କଥା
ଆଜିର ଏହି ଦୁର୍ଘଟଣା ୨୦୧୩ ମସିହା ଡିସେମ୍ବର ୨ ତାରିଖର ସନ୍ଧ୍ୟାର ଭୟଙ୍କର ଦୁର୍ଘଟଣାକୁ ସ୍ମରଣ କରାଇଥିଲା। ସେଦିନ ଖଣ୍ଡଗିରି ପାହାଡ଼ ଦିଗରୁ ମାଡ଼ି ଆସିଥିବା ଏକ ଜାଲ୍‌ ନମ୍ବରର ହାଇଓ୍ଵା ଖଣ୍ଡଗିରି ଟ୍ରାଫିକ୍‌ ଛକରେ ଲୋକଙ୍କ ଉପରେ ମାଡ଼ିଯାଇ ୩ ଜଣଙ୍କ ଜୀବନ ନେଇଥିଲା। ଏଥିରେ ୧୨ଟି ଗାଡ଼ି ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଥିଲା ଓ ୧୦ରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ। ତେବେ ବଡ଼ ଦୁଃଖର କଥା ଥିଲା, ୧୪ ଦିନ ପରେ ବିବାହ କରିବାକୁ ଥିବା ମୋନାଲିସା ସାମଲ ବଡ଼ ଦୟନୀୟଭାବେ ସେଦିନ ହାଇଓ୍ଵା ଚକାତଳେ ପ୍ରାଣ ହରାଇଥିଲେ। ବ୍ରେକ୍‌ ଫେଲ୍‌ ହୋଇଯିବାରୁ ହାଇଓ୍ଵା ଏଭଳି ଦୁର୍ଘଟଣା ଘଟାଇଥିଲା। ଆଜି ସେମିତି କଣ୍ଟେନର୍‌ଟିର ବ୍ରେକ୍‌ ଫେଲ୍‌ ହେବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର