ଖଣ୍ଡଗିରି: ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟାବେଳେ ଜୟଦେବ ବାଟିକା-ତପୋବନ ରାସ୍ତାରେ ଏକ ଟ୍ରକ୍ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ତପୋବନ ବସ୍ତିରେ ରହୁଥିବା ଗଞ୍ଜାମର ମଦନ ଡାକୁଆଙ୍କ ଏକ ମାତ୍ର ପୁଅ ମାନସ(୧୪)। ମାନସ ସ୍ଥାନୀୟ ଏକ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି। ପୁଲିସ ଟ୍ରକ୍କୁ ଜବତ କରିବା ସହ ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି। ପୁଲିସ ସୂଚନାନୁସାରେ ମାନସ ଘରୁ ବାହାରି ଖଣ୍ଡଗିରି ପାହାଡ଼ ଆଡ଼କୁ ଚାଲି ଚାଲି ଯାଉଥିଲେ। ଆଜି ଖଣ୍ଡଗିରି ମେଳାର ଶେଷଦିନ ହୋଇଥିବାରୁ ମାନସ ମେଳା ବୁଲିବାକୁ ଯାଉଥିବା ଅନୁମାନ କରାଯାଉଛି। ସେ ଚାଲି ଚାଲି ଯାଉଥିବାବେଳେ ଏକ ବାଲି ବୋଝେଇ ଟ୍ରକ୍ (ଓଆର୨୩ଏ-୧୬୯୦) ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ମାନସର ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତୁରନ୍ତ ଖଣ୍ଡଗିରି ଥାନା ପିସିଆର୍ ଘଟଣାସ୍ଥଳରୁ ମାନସକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ପହଞ୍ଚିବାବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୃତ ମାନସ ହେଉଛନ୍ତି ୪ ଝିଅରେ ଗୋଟିଏ ପୁଅ। ବାପା ମଦନ ନାକାଗେଟ୍ ନିକଟରେ ଏକ ସେଲୁନ୍ କରି ପରିବାର ଚଳାଉଛନ୍ତି। ଏହି ଅଘଟଣ ପରେ ତପୋବନ ବସ୍ତିରେ ଶୋକର ଛାୟା ଖେଳି ଯାଇଛି।
ଟ୍ରକ୍ ଧକ୍କାରେ ବାଳକ ମୃତ
/sambad/media/post_attachments/wp-content/uploads/2018/02/road-accident.jpg)
/sambad/media/agency_attachments/2024-07-24t043029592z-sambad-original.webp)