ସିଆର୍‌ପି ଓଭରବ୍ରିଜ୍‌ ଉପରେ ଦୁର୍ଘଟଣା : ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌, ଚାଳକ ଗୁରୁତର

ଭୁବନେଶ୍ୱର : ସିଆର୍‌ପି ଓଭରବ୍ରିଜ୍‌ ଉପରେ ଏକ ଟ୍ରକ(ଓଆର-୦୫-ଜେ-୬୩୪୭) ଅନ୍ୟ ଏକ ଟ୍ରକ(ଓଆର-୧୯-ବି-୬୭୬୭) ପଛକୁ ଧକ୍କା ଦେବାରୁ ଧକ୍କା ଦେଇଥିବା ଟ୍ରକ ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବଂଶୀଧର ଶତପଥୀ ଓରଫ ନରୁ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନରୁକୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଅନ୍ୟପଟେ ଏନେଇ ପୁଲିସ ଏକ ମାମଲା ରୁଜୁ କରି ଦୁଇଟି ଟ୍ରକକୁ ଜବତ କରି ଥାନାକୁ ଆଣିଥିଲା।

ପୁଲିସ ସୂଚନା ମୁତାବକ, ବୁଧବାର ଭୋର ପ୍ରାୟ ୫ଟାରେ (ଓଆର-୦୫-ଜେ-୬୩୪୭) ଟ୍ରକ୍‌ଟି ବାଣୀବିହାରରୁ ବରମୁଣ୍ଡା ଆଡ଼କୁ ଯାଉଥିଲା। ସିଆର୍‌ପି ଓଭରବ୍ରିଜ୍‌ ଉପରେ ଚାଳକ ନରୁ ଭାରସାମ୍ୟ ହରାଇ (ଓଆର-୧୯-ବି-୬୭୬୭) ଟ୍ରକ ପଛକୁ ଧକ୍କା ଦେଇଥିଲେ। ଫଳରେ ନରୁ ଟ୍ରକ ଷ୍ଟିୟରିଂରେ ଚାପି ହୋଇଯାଇଥିଲେ। ଜୀବନ ବିକଳରେ ନରୁ ବଞ୍ଚାଓ ବଞ୍ଚାଓ ବୋଲି ଚିତ୍କାର କରି ଥିଲେ। ନରୁଙ୍କ ପାଟି ଶୁଣି ବାଟରେ ଯାଉଥିବା ଜଣେ ଯୁବକ ତୁରନ୍ତ ଟ୍ରକ ନିକଟକୁ ଯାଇ ନରୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ନଥିଲା। ୁ ସେ ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନରୁଙ୍କୁ ଗୁରୁତର ଅବସ୍ଥାରେ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌କଟର୍‌ରେ ଲୁହାକାଟି ନରୁକୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର