ଟ୍ରକ ଧକ୍କାରେ ମା’ ପୁଅ ଗୁରୁତର

ଟ୍ରକ ଜବତ ଓ ଚାଳକ ଫେରାର୍‌

ଭୁବନେଶ୍ୱର: ବାଣୀବିହାର ରେଲେଓ୍ଵ ଓଭରବ୍ରିଜ୍‌ ନିକଟରେ ଏକ ଟ୍ରକ ଧକ୍କା ଯୋଗୁଁ ମା’ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ଓ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସେମାନେ ହେଲେ ଢ଼େଙ୍କାନାଳ ଅଞ୍ଚଳର ପୁଅ ରୋହିତ ବେହେରା ଓ ମା’ ଜେମାମଣି ବେହେରା। ଏଠାରେ ଶ୍ରମିକ କାମ କରନ୍ତି।
ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଚାଳକ ଜଣଙ୍କ ଟ୍ରକଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।
ପୁଲିସ ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ରୋହିତ ଓ ତାଙ୍କ ମା’ ବାଣୀବିହାର ରେଲେଓ୍ଵ ଓଭରବ୍ରିଜ୍‌ ନିକଟରେ ରାସ୍ତା ପାରି ହେଉଥିବା ସମୟରେ ରସୁଲଗଡ଼ ପଟୁ ବାଣୀବିହାର ଆଡ଼କୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରୋହିତଙ୍କ ଡାହାଣ ହାତ ଭାଙ୍ଗିଯିବା ସହ ତାଙ୍କ ମାଙ୍କ ମୁଣ୍ଡ ଫାଟି ଯାଇଥିଲା। ଉଭୟ ରାସ୍ତା ଉପରେ ପଡ଼ିରହି ଚିତ୍କାର କରିଥିଲେ। ଚିତ୍କାର ଶୁଣି ସେଠାରେ ଥିବା ଲୋକମାନେ ଧାଇଁ ଆସି ରୋହିତ ଓ ତାଙ୍କ ମା’ଙ୍କୁ ଉଦ୍ଧାର କରି ପୁଲିସକୁ ଫୋନ୍‌କରିଥିଲେ। ତେବେ ଦୁର୍ଘଟଣା ଯୋଗୁଁ ସେଠାରେ ଅଧ ଘଣ୍ଟାଏ କାଳ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୋହିତ ଓ ତାଙ୍କ ମା’ଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏହାପରେ ସେଠାରୁ ଟ୍ରକ୍‌କୁ ଜବତ କରି ଥାନାକୁ ନେବା ପରେ ରାସ୍ତାରେ ଯାତାୟତ ସ୍ୱଭାବିକ୍‌ ହୋଇଥିଲା।

ସମ୍ବନ୍ଧିତ ଖବର