ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ଆମେଣାକୁଦ ଗାଁରେ ଗତକାଲି ରାତିରେ ଏକ ଖାଲି ଗୋରୁ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ଭିତରେ ଟ୍ରକ୍ଟି ଯୁବକଙ୍କୁ ପଛପଟୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ରାତାରାତି ତାଙ୍କୁ ପ୍ରଥମେ ଅଡ଼ଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଭୋର୍ରୁୁ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାକୁ ଓହ୍ଲାଇଥିଲେ ଏବଂ ନଖରା-ନିଆଳି ରାସ୍ତାରେ ଦୀର୍ଘ ୫ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କଠାରୁ କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ମିଳିବାରୁ ରାସ୍ତାରୋକ ହଟିଥିଲା।
ବୁଧବାର ରାତି ପ୍ରାୟ ୮ଟା ସମୟରେ ଆମେଣାକୁଦ ଗାଁର ଜୟଦୀପ ମହାନ୍ତି(୩୮) ନାମକ ଜଣେ ଯୁବକ ସାଇକେଲରେ ଘରକୁ ଫେରୁଥିଲେ। ଘରଠାରୁ ମାତ୍ର କେଇ ହାତ ଦୂରରେ ଏକ ଖାଲି ଗୋରୁ ଟ୍ରକ୍ ତାଙ୍କ ପଛପଟୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ତାଙ୍କ ଅଣ୍ଟା ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଅନ୍ୟପକ୍ଷରେ ନିଆଳି ଆଡ଼କୁ ଯାଉଥିବା ଟ୍ରକ୍ଟି ସେଠାରୁ ଖସି ପଳାଇଥିଲା। ଗାଁ ଲୋକେ ଜୟଦୀପଙ୍କୁ ମେଡିକାଲ ନେଉଥିବାବେଳେ ଠିକ୍ ସେହି ସମୟରେ ଆଉ ଏକ ଖାଲି ଗୋରୁ ଟ୍ରକ୍ ସେଠାରେ ପହଞ୍ଚିଥିଲା। ଯାହାକୁ କି ସ୍ଥାନୀୟ ଲୋକେ ଅଟକାଇ ଦେଇଥିଲେ। ଜୟଦୀପଙ୍କୁ ଅଡ଼ଶପୁର ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରାତି ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଜୟଦୀପଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାକ୍ଷଣି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।ଉତ୍ତ୍ୟକ୍ତ ଲୋକେ ଅଟକ ରଖିଥିବା ଟ୍ରକ୍କୁ ଆଉ ଛାଡ଼ି ନଥିଲେ। ଆଜି ଭୋରରୁ ନଖରା-ନିଆଳି ରାସ୍ତାର ଆମେଣାକୁଦ ଛକରେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ। ଟାୟାର୍ ଜାଳି ରାସ୍ତାରୋକ କରିବା ଫଳରେ ରାସ୍ତାର ଉଭୟ ପଟେ ଶହଶହ ଗାଡ଼ିମଟର ଅଟକି ରହିଥିଲା। ସକାଳ ୬ଟା ରୁ ପ୍ରାୟ ଦିନ ୧୧ଟା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିଲା। ଖବର ପାଇ ଘଟଣାସ୍ଥଳରେ ଜୋନ-୪ ଏସିପି, ବାଲିପାଟଣା ଥାନା ଅଧିକାରୀ ରବି ନରାୟଣ ଭଞ୍ଜ, ସ୍ଥାନୀୟ ତହସିଲଦାର ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଧକ୍କା ଦେଇଥିବା ଟ୍ରକ୍ ମାଲିକ କ୍ଷତିଗ୍ରସ୍ତ ପରିବାରକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଓ ଏଥିସହ ରେଡ୍କ୍ରସ୍ ପକ୍ଷରୁ ୧୦ହଜାର, ରାଜସ୍ୱ ବିଭାଗ ପକ୍ଷରୁ ୧୦ହଜାର ଟଙ୍କାର ପ୍ରଶାସନିକ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/BALIPATANA-ACCIDENT.jpg)