ଭୁବନେଶ୍ୱର: କରୋନା ଭୂତାଣୁରୁ ଅନେକେ ବର୍ତ୍ତି ଯାଇଛନ୍ତି ସିନା, ହେଲେ ଅନେକଙ୍କର ରୋଜଗାର ଛଡ଼ାଇ ନେଇଛି। ଦିନ ମଜୁରିଆ ପାଇଁ କାମ ନାହିଁ କି ମଜୁରୀ ନାହିଁ, ଅଟୋ ଚାଳକ ହାତ ବାନ୍ଧି ବସିଛି। ବସ୍ କଣ୍ଡକ୍ଟର, ଡ୍ରାଇଭର, ହେଲ୍ପର ବେରୋଜଗାର ହୋଇପଡ଼ିଛନ୍ତି। ପାନ ଦୋକାନୀ ଭୋକରେ ଦିନ କାଟୁଛନ୍ତି। ଏଭଳି ସ୍ଥିତିରେ ବିଭିନ୍ନ ସ୍ତରର ଲୋକ ରହିଛନ୍ତି। ପୂର୍ବରୁ ସରକାରୀ କଟକଣା ଯୋଗୁଁ ଅନେକେ ରୋଜଗାର କରି ପାରୁ ନ ଥିଲେ। କିନ୍ତୁ ଚତୁର୍ଥ ଲକ୍ଡାଉନ୍ରେ କଟକଣା କିଛି କୋହଳ ହୋଇଛି ଏବଂ ରୋଜଗାରର ବାଟ ଖୋଲିଛି ସତ ହେଲେ ରୋଜଗାର ସ୍ରୋତରେ ସାମିଲ ହେବା ଏବେ ଏତେ ସହଜ ହୋଇ ନାହିଁ। ଟ୍ରକ୍ ବ୍ୟବସାୟ ଏବେ ବିଚିତ୍ର ମୋଡ଼ରେ ପହଞ୍ଚିଛି। ଟ୍ରକ୍ ଚଲାଇବାରେ କୌଣସି ସମସ୍ୟା ନ ଥିବା ସରକାର ଘୋଷଣା କରିଛନ୍ତି। ହେଲେ ଟ୍ରକ୍ ଚାଲି ପାରୁନି। କାରଣ ଟ୍ରକ୍ ଡ୍ରାଇଭର କିମ୍ବା ହେଲ୍ପରଙ୍କର ଅଭାବ ଦେଖାଦେଇଛି। ଯିଏ ଥିଲେ ସେମାନେ ସବୁ ଘର ମୁହାଁ। ଯିଏ ଯାଇଥିଲେ ଆଉ ଫେରୁନାହାନ୍ତି। ଫଳରେ ରାଜ୍ୟରେ ପାଖାପାଖି ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଟ୍ରକ୍ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେବଳ ଟ୍ରକ୍ ମାଲିକ ନୁହନ୍ତି, ୩ ଲକ୍ଷରୁ ଊର୍ଦ୍ଧ୍ବ ଚାଳକ, ହେଲ୍ପର ଓ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାର ବି ରୋଜଗାର ହରାଇଛନ୍ତି।
ରାଜ୍ୟରେ ପ୍ରାୟ ୧ ଲକ୍ଷ ୯୦ ହଜାର ଟ୍ରକ୍ ଥିବା ବେଳେ ରାଜଧାନୀରେ ୧୦ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍ ରହିଛି। ଏହିସବୁ ଟ୍ରକ୍ ଉପରେ ପାଖାପାଖି ୪ ଲକ୍ଷ ଚାଳକ ଓ ହେଲ୍ପର ନିର୍ଭର କରିଥାନ୍ତି। ସେମାନଙ୍କ ରୋଜଗାର ଉପରେ ପରିବାର ନିର୍ଭର କରେ। ସେଥିରେ ପୁଣି ଅର୍ଧାଧିକ ଚାଳକ ଓ ହେଲ୍ପର ବାହାର ରାଜ୍ୟର। ମାରାତ୍ମକ କରୋନା ରୋଗ ଭୟରେ ସେମାନେ ନିଜ ଅଂଚଳକୁ ଫେରି ଯାଇଛନ୍ତି। କରୋନା ବ୍ୟାପୁଥିବା ବେଳେ କିଛି ଚାଳକ ରାସ୍ତାରେ ଗାଡ଼ି ରଖି ବି ଫେରି ଯାଇଛନ୍ତି। ସେହିପରି ଚାଳକ ଓ ହେଲ୍ପର ଏବେ କାମକୁ ଫେରି ଆସିବାକୁ ଚାହୁଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟ ସେମାନଙ୍କୁ ଛାଡ଼ିବାକୁ ରାଜି ନାହାନ୍ତି। ଫଳରେ ଏପରି ଅଚଳାବସ୍ଥା ଉପୁଜିଛି। କେତେକ ଟ୍ରକ୍ ମାଲିକଙ୍କ ମତରେ ଟ୍ରକ୍ଗୁଡ଼ିକ ଅଧିକାଂଶ ଶିଳ୍ପ ସଂସ୍ଥା ଉପରେ ଭରସା କରିଥାନ୍ତି। ହେଲେ ଅଧିକାଂଶ ଶିଳ୍ପସଂସ୍ଥା ବନ୍ଦ ରହିଛି। ଏବେ କେବଳ କୋଇଲା, ଅତ୍ୟାବଶ୍ୟକ ସାମଗ୍ରୀ ଓ ଲୁହାପଥର ପରିବହନ ପାଇଁ ୧୦ ପ୍ରତିଶତ ଟ୍ରକ୍ ବ୍ୟବହାର ହେଉଛି। କୋଇଲା ବି କେବଳ ପାୱାର ପ୍ଲାଣ୍ଟକୁ ଯାଉଛି। ଗୋପାଳପୁର, ପାରାଦୀପ ଓ ଅନୁଗୁଳରେ ଚାଲୁଥିବା ଏହି ସବୁ ଟ୍ରକ୍କୁ ଓଡ଼ିଆ ଚାଳକମାନେ ହିଁ ଚଳାଉଛନ୍ତି। ଏଭଳି ଚାଳକ କାମ କରିବାକୁ ଚାହୁଥିଲେ ମଧ୍ୟ କରୋନା ଭୟ ସେମାନଙ୍କୁ ଆତଙ୍କିତ କରୁଛି।
ଏ ନେଇ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସ୍ପୋର୍ଟ କଂଗ୍ରେସ ସମ୍ପାଦକ ପ୍ରଣବ ପରିଜା ଏବଂ ସଭାପତି ଦିଲୀପ ପାଣି କହିଛନ୍ତି, ପରିସ୍ଥିତି ଅସମ୍ଭାଳ ହୋଇଛି। ଏପ୍ରିଲରୁ ସେପ୍ଟେମ୍ବର ଏମ୍ଭି ଟ୍ୟାକ୍ସ ଛାଡ଼ ପାଇଁ ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ। ୩ ମାସ ପାଇଁ କୋହଳ ହୋଇଥିବା ଋଣ କିସ୍ତି ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରିବା, ଟୋଲ ଟ୍ୟାକ୍ସ କୋହଳ, କୋଭିଡ୍-୧୯ ମୁକାବିଲା କାମରେ ଲାଗିଥିବା ଟ୍ରକ୍ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହ ସେମାନଙ୍କ ପାଇଁ କଳ୍ୟାଣକାରୀ ପ୍ୟାକେଜ୍ ଘୋଷଣା ପାଇଁ ମଧ୍ୟ କହିଥିଲୁ। ହେଲେ କିଛି ବ୍ୟବସ୍ଥା ହୋଇନାହିଁ ବୋଲି ସେମାନେ କହିଛନ୍ତି।