ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ରସୁଲଗଡ଼ ଓଭରବ୍ରିଜ୍ ଉପରେ ଜଣେ ଟ୍ରକ୍ ଚାଳକଙ୍କ ଉନ୍ମତ୍ତକାଣ୍ଡ ଛାତି ଥରାଇଦେଇଥିଲା। ଟ୍ରକ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ୪ଟି କାର୍ ଓ ୩ ବାଇକ୍ ଚୁରମାର୍ ହୋଇଯାଇଛି। ଟ୍ରକ୍ଟି ଗୋଟିଏ ବାଇକ୍କୁ ରସୁଲଗଡ଼ରୁ ହଂସପାଳ ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ତେବେ ସୌଭାଗ୍ୟକୁ ଏହି ଭୟଙ୍କର ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇନାହାନ୍ତି।
ବରମୁଣ୍ଡା ପଟୁ କଟକ ଅଭିମୁଖେ ଯାଉଥିବା ଟ୍ରକ୍ଟି ପ୍ରଥମେ ଏକ କ୍ରେଟାକୁ ଧକ୍କା ଦେବା ପରେ ଏକ ବୋଲେରୋ ଓ ଆଉ ଦୁଇଟି କାର୍କୁ ପିଟିଥିଲା।
କାର୍ଗୁଡ଼ିକ ସବୁ ରାସ୍ତା କଡ଼ ବାଡ଼ରେ ଓ ପାଣି ପାଇପ୍ରେ ପିଟି ହୋଇ ଯାଇଥିଲା। ଦୁଇଟି କାର୍ ଓଲଟି ପଡ଼ିଥିଲା। ଏହା ପରେ ଟ୍ରକ୍ଟି ୩ଟି ବାଇକ୍କୁ ଧକ୍କା ଦେଇଥିଲା। ବାଇକ୍ ଆରୋହୀମାନେ ଛିଟିକି ପଡ଼ି ଆହତ ହୋଇଥିଲେ। ଗୋଟିଏ ବାଇକ୍ ଟ୍ରକ୍ରେ ଲାଗି ରହିବାରୁ ତାହା ହଂସପାଳ ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା। ଖବରରୁ ଜଣାପଡ଼ିଛି ଯେ ପ୍ରଥମେ ଟ୍ରକ୍ ଧକ୍କା ଦେଇଥିବା କ୍ରେଟାରେ ରସୁଲଗଡ଼ରେ ରହୁଥିବା ପିପିଲିର ଶ୍ରୀୟମ ବେହେରା ଓ ତାଙ୍କ ବଡ଼ ଭାଇ ପ୍ରିୟମ ଥିଲେ। ଶ୍ରୀୟମ୍ କାଶ୍ମୀରରୁ ପ୍ରି ଓ୍ବେଡିଂ ସୁଟ୍ ଶେଷ କରି ଆଜି ଭୁବନେଶ୍ବର ଫେରିଥିଲେ ଓ ବିମାନବନ୍ଦରରୁ ତାଙ୍କ ଭାଇ ପ୍ରିୟମ୍ ତାଙ୍କୁ ଘରକୁ ନେଇ ଫେରୁଥିଲେ। କ୍ରେଟାଟି ଓଲଟି ପଡ଼ିଥିବା ବେଳେ ଦୁଇ ଭାଇ ଆହତ ହୋଇଛନ୍ତି। ସେହିପରି ଜାମସେଦପୁରରେ ରହୁଥିବା କେନ୍ଦ୍ରାପଡ଼ାର ପ୍ରସନ୍ନ ନାୟକ ଭୁବନେଶ୍ୱରରେ ଏକ ବାହାଘର କାମ ସାରି କେନ୍ଦ୍ରାପଡ଼ା ଫେରୁଥିଲେ। କାର୍ରେ ତାଙ୍କ ସ୍ତ୍ରୀ ଓ ଝିଅ ଥିଲେ। ସେମାନେ ସମସ୍ତେ ଆହତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/55-1.jpg)