ପେଟ୍ରୋଲ ପମ୍ପରେ ବିସ୍ଫୋରଣ : ଭୟାବହତା ବଖାଣିଲେ ଟ୍ରକ୍‌ ଚାଳକ, ବଞ୍ଚିବି ବୋଲି ଭାବି ନଥିଲି

ଭୁବନେଶ୍ୱର :  ଗାଡ଼ିରେ ତେଲ ପକାଇ ସାରିଥିଲି। ଯିବା ପାଇଁ ପ୍ରସ୍ତୁତ ହେଉଥିଲି। ହଠାତ୍ ଗାଡ଼ି ଥରିବାକୁ ଲାଗିଲା। କିଛି ବୁଝିବା ପୂର୍ବରୁ ଲୁହା ତାରବାଡ଼, ଇଟା ପଥର, ଲୁହା ଖଣ୍ଡ ଗାଡ଼ିରେ ମାଡ଼ ହୋଇ କାଚ ଭାଙ୍ଗିଗଲା। ତୁରନ୍ତ ଗାଡ଼ିରୁ ଡେଇଁ ରାଜଭବନ ଆଡ଼କୁ ଜୀବନ ବିକଳରେ ଦୌଡ଼ିଲି, ପଡ଼ିଗଲି, ପୁଣି ଉଠି ଦୌଡ଼ିଲି। ଜୀବନ ବଞ୍ଚିବ ବୋଲି ଆଉ ଆଶା ନଥିଲା। କିନ୍ତୁ ଭଗବାନ ବଞ୍ଚାଇଦେଲେ। ମୋ ଜୀବନରେ କେବେ ଏମିତି ଦୁର୍ଘଟଣାକୁ ଆଖି ସାମ୍ନାରେ କେବେ ଦେଖି ନଥିଲି ବୋଲି କହିଛନ୍ତି ଡିଜେଲ ପକାଇବାକୁ ଆସିଥିବା ମିନିଟ୍ରକ୍‌ (ଓଡ଼ି୦୨-ଏକ୍ସ-୨୦୮୧)ର ଚାଳକ ଟିକିଆ ସାହୁ। ଏ କଥା ବଖାଣିଲା ବେଳେ ଟିକିଆଙ୍କର ଲୋମ ଟାଙ୍କୁରି ଯାଇଥିଲା। ଆଜି ଟିକିଆ ଓ ଗାଡ଼ି ମାଲିକ କ୍ୟାପିଟାଲ ଥାନାକୁ ଯାଇ ଏ ନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ଦିନଠାରୁ ପେଟ୍ରୋଲ ପମ୍ପରେ ଛିଡ଼ା ହୋଇରହିଛି। ଆଜି ପୁଲିସ ଓ ଗାଡ଼ି ମାଲିକ ଯାଇ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି।

୩୦ ଫୁଟ୍‌ ଖୋ​ଳିଲା ଜେସିବି
ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରଠାରୁ ୩୦ ଘଣ୍ଟାର ଉଦ୍ଧାର କାର୍ଯ୍ୟ ଗତକାଲି ସନ୍ଧ୍ୟାରେ ଶେଷ ହେବା ପରେ ଆଜି ଘଟଣାସ୍ଥଳକୁ ଯିବା ସମ୍ଭବ ହୋଇଛି। ଜେସିବି ସାହାଯ୍ୟରେ ପୂରା ଅଞ୍ଚଳକୁ ଖୋଳା ଯାଇଛି। ବିସ୍ଫୋରଣ ସ୍ଥଳ, ପାଚେରି ଓ ଆଖପାଖ ଅଞ୍ଚଳକୁ ଖୋଳା ଯାଇଛି। କା​ଳେ କିଏ ପୋତି ହୋଇ ରହିଥିବେ, ସନ୍ଦେହରେ ଖୋଳା ଯାଇଥିଲା। ଶରୀରର କିଛି ଅଂଶବିଶେଷକୁ ଛାଡ଼ି ଦେଲେ ସେପରି କିଛି ମିଳି ନାହିଁ। ଚାରିପାଖ ଭଲ ଭାବରେ ଖୋଳାଯିବା ପରେ ରାଜ୍ୟ ଫରେନସିକ୍ ଟିମ୍ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। କିଛି ନମୁନା ମଧ୍ୟ ଘଟଣାସ୍ଥଳରେ ସଂଗ୍ରହ କରାଯାଇଛି। ମେରୁଦଣ୍ଡ ସହ ଲାଗିଥିବା ପଞ୍ଜରା ହାଡ଼, କିଛି ମାଂସ ଖଣ୍ଡ ମିଳିଛି। ପ୍ରାୟ ୪ଘଣ୍ଟା ଧରି ଖୋଳାଖୋଳି କରାଯିବା ପରେ ସାଇଣ୍ଟିଫିକ୍‌ ଟିମ୍ ଯାଞ୍ଚ ଶେଷ କରିଥିଲା। ଘଟଣାସ୍ଥଳର ଗଭୀରତା, ବ୍ୟାସାର୍ଦ୍ଧ, ମାଂସ ଖଣ୍ଡଗୁଡ଼ିକ ପଡ଼ିଥିବା ସ୍ଥାନଠାରୁ ଘଟଣାସ୍ଥଳ ଏ ସବୁର ମାପଚୁପ କରାଯାଇଛି। ଏହା ତଦନ୍ତରେ ଯଥେଷ୍ଟ ସହାୟକ ହେବ ବୋଲି ଜଣାପଡ଼ିଛି। ଖୋଳାଯିବା ସମୟରେ ଟାଙ୍କିର ଖଣ୍ଡ, ଗ୍ୟାସ୍ ପାଇପ୍, କିଛି ଯନ୍ତ୍ରାଂଶ ଉଦ୍ଧାର କରାଯାଇଛି।

ଯିଏ ଯାଉଛି ସେ ଚାହୁଁଛି
ଗତକାଲି ସନ୍ଧ୍ୟାରେ ରାଜଭବନ-ଗୋପବନ୍ଧୁ ଛକ ରାସ୍ତା ଖୋଲିଯିବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ସେହି ରାସ୍ତା ଦେଇ ଶହ ଶହ ଗାଡ଼ି ଚଳପ୍ରଚଳ କରିଛି। ବିସ୍ଫୋରଣ ଘଟଣା ରାଜଧାନୀବାସୀଙ୍କ ମନରୁ ଲିଭି ପାରି ନାହିଁ। ଯିଏ ଯାଉଛି ସିଏ ଛିଡ଼ା ହୋଇ ଘଡ଼ିଏ ଚାହୁଁଛି। ପେଟ୍ରୋଲ ପମ୍ପ କଡ଼ରେ ଗାଡ଼ି ଧରି ଛିଡ଼ା ହେବାରୁ ଟ୍ରାଫିକ ଜାମ୍ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଟ୍ରାଫିକ ଜାମ୍ ଘଉଡ଼ାଇବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି। ଖାଲି ଲୋକ ଛିଡ଼ା ହୋଇ ଅନାଉ ନାହାନ୍ତି ବରଂ ମୋବାଇଲରେ ଫଟୋ ମଧ୍ୟ ଉଠାଉଛନ୍ତି। ରାସ୍ତାର ଉଭୟ ପାର୍ଶ୍ବରେ ଲୋକଙ୍କ ଗହଳି ଲାଗୁଛି। ପେଟ୍ରୋଲ ପମ୍ପ ପଛ ପାଖ ରାସ୍ତା ଏବେ ବି ବନ୍ଦ ରହିଛି। ସେହି ରାସ୍ତାରେ ମାଟି ଗଦା ହୋଇଥିବା ବେଳେ ପୁଲିସ ପକ୍ଷରୁ ବନ୍ଦ ରଖାଯାଇଛି। ସମ୍ଭବତଃ ଦିନେ କିମ୍ବା ଦୁଇ ଦିନ ଭିତରେ ସେହି ରାସ୍ତା ଖୋଲିବ।

ପଡ଼ିଛି ପୋଡ଼ା ଚପଲ, ଛାତ ଉପରେ ତେଲ ଗ୍ୟାସ ପାଇପ୍
ଘଟଣାସ୍ଥଳ ପୂରା ଖିନଭିନ୍ ହୋଇ ଯାଇଥିବା ବେଳେ ଏବେ ବି ଭଙ୍ଗାରୁଜା ଅବସ୍ଥାରେ ବାଇକ୍, କାର ପଡ଼ି ରହିଛି। ସେହିପରି ପୋଡ଼ା ଚପଲ ମଧ୍ୟ ପଡ଼ିଛି। ଯାହା ବିସ୍ଫୋରଣର ଭୟାବହତା ବଖାଣୁଛି। ବିରାଟ ଲୁହା ପାଇପ୍ ଖଣ୍ଡ ପେଟ୍ରୋଲ ପମ୍ପର ଛାତ ଉପରେ ପଡ଼ି ରହିଛି। ଛାତର ଉଚ୍ଚତା ପ୍ରାୟ ୨୦ ଫୁଟ ହେବ ବୋଲି ଜଣାପଡ଼ିଛି। ଏଥିରୁ ଅନୁମାନ କରାଯାଉଛି ବିସ୍ଫୋରଣର ପ୍ରକୋପ କେତେ ଥିଲା। କେତେ ଉପରକୁ ଲୁହା ଖଣ୍ଡ, ଇଟା ପଥର ଏ ସବୁ ସାମଗ୍ରୀ ଯାଇଛି। ଖାଲି ଏତିକି ନୁହେଁ, ଆଖପାଖ ଅଞ୍ଚଳରେ ବିସ୍ଫୋରଣ ହୋଇଥିବା ଟାଙ୍କିର ବଡ଼ ବଡ଼ ଲୁହା ଖଣ୍ଡ ପଡ଼ିଛି। ନିକଟରେ ଥିବା କାଉଣ୍ଟର ପୂରା ଛାରଖାର ହୋଇଯାଇଛି। କାଉଣ୍ଟର ଭିତରେ ଥିବା କମ୍ପ୍ୟୁଟର, ଅନ୍ୟ ସାମଗ୍ରୀ ଭାଙ୍ଗିରୁଜି ଛାରଖାର ହୋଇଯାଇଛି।

ସମ୍ବନ୍ଧିତ ଖବର