ବିଷ ଖାଇ ଟ୍ରକ୍‌ ମାଲିକଙ୍କ ଆତ୍ମହତ୍ୟା

ଧଉଳି : ଧଉଳି ଥାନା ଅଧୀନ ସରଦେଇପୁର ଗ୍ରାମର ରବୀନ୍ଦ୍ର ବେହେରା (୩୨) ନାମକ ଜଣେ ଟ୍ରକ ମାଲିକ ଆଜି ପୂର୍ବାହ୍ନରେ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଲୋକ ରବୀନ୍ଦ୍ରଙ୍କୁ ଖୁବ୍‌ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ଖବର ପାଇ ଧଉଳି ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମାନସିକ ଭାରସାମ୍ୟ ହରାଇ ରବୀନ୍ଦ୍ର ବିଷ ଖାଇ ଦେଇଥିବା ତାଙ୍କ ଘରଲୋକ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ କେସ୍‌ ନଂ ୩ / ୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ସେ ଆତ୍ମହତ୍ୟା କରିବାର ପ୍ରକୃତ କାରଣ କ’ଣ ଏଯାଏ ଜଣାପଡ଼ି ନଥିବା ବେଳେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ନେଇ ଅଲୋଚନା ହେଉଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ଦିନ ପ୍ରାୟ ୧୦ଟା ସମୟରେ ରବୀନ୍ଦ୍ର ବଜାରରୁ ମାଛକିଣି ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଡାକବଙ୍ଗଳା ନିକଟରେ ଟଳି ପଡ଼ିଥିଲେ ।

ସମ୍ବନ୍ଧିତ ଖବର