ଅସହ୍ୟ ଅତ୍ୟାଚାର ତାତିଲେ ଟ୍ରକ୍‌ ମାଲିକ ‘ଦାବି ପୂରଣ ନ ହେଲେ ଧର୍ମଘଟ’

ଭୁବନେଶ୍ୱର: ଟ୍ରକ ମାଲିକଙ୍କ ଉପରେ ପୁଲିସ୍, ପରିବହନ କର୍ମଚାରୀ, ଟୋଲଗେଟ, ବଡ଼ ବଡ଼ ପରିବହନ କମ୍ପାନି ଓ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କର ଅତ୍ୟାଚାର ଅସହ୍ୟ ହେଉଛି। ବଡ଼ ପରିବହନ କମ୍ପାନିମାନେ ଉଚିତ ଭଡ଼ା ଦେଉ ନଥିବାରୁ ଟ୍ରକ ମାଲିକମାନେ ଋଣ କିସ୍ତି ଠିକ୍ ସମୟରେ ପୈଠ କରିପାରୁ ନାହାନ୍ତି। ଅର୍ଥଲଗାଣକାରୀ ସଂସ୍ଥା ରାସ୍ତା ମଝିରେ ଗୁଣ୍ଡା ଲଗାଇ ଟ୍ରକ ଜବତ କରୁଛନ୍ତି। ଏହା ଆଇନ ବିରୋଧୀ ଓ ସୁପ୍ରିମକୋର୍ଟଙ୍କ ଆଦେଶର ବିରୁଦ୍ଧାଚରଣ କରୁଛି। ଏମାନଙ୍କ ସହିତ ପୁଲିସର ଭିତିରି ବୁଝାମଣା ରହିଥିବାରୁ ଥାନାରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଆଜି ରୋଟାରି ଭବନ ପରିସରରେ ବସିଥିବା ଅଖିଳ ଭାରତ ମୋଟର ପରିବହନ କଂଗ୍ରେସ ରାଜ୍ୟ ଶାଖାର ଏକ ସାଧାରଣ ସଭାରେ ଏ ନେଇ ଟ୍ରକ୍‌ମାଲିକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସର୍ବଭାରତୀୟ ଉପସଭାପତି ରବିନାରାୟଣ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ସମସ୍ୟାରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ କି, କେଉଁ ଖାଦାନ ଆଇନ ସମ୍ମତ ତାହା ସାର୍ବଜନୀନ ହେଉନଥିବାରୁ ଟ୍ରକ୍‌ ମାଲିକମାନେ ଜାଣିନପାରି ବେଆଇନ ଖାଦାନରୁ ମାଲ୍‌ ପରିବହନ କରି ଧରାପଡ଼ୁଛନ୍ତି। ପୁଲିସ୍‌ ଓ ପରିବହନ ବିଭାଗର କର୍ମଚାରୀମାନେ ଚେକିଙ୍ଗ ଆଳରେ ଟ୍ରକପିଛା ପ୍ରତିମାସରେ ୧୨,୦୦୦ ଟଙ୍କା ଚାନ୍ଦା ଆଦାୟ କରୁଛନ୍ତି। ପ୍ରତିବାଦ କଲେ ଇ-ଚାଲାଣ କାଟୁଛନ୍ତି। ଗାଡ଼ି ଗ୍ୟାରେଜରେ ଥିଲାବେଳେ ମଧ୍ୟ ଇ-ଚାଲାଣ କଟାଯାଇଥିବା ପ୍ରମାଣ ରହିଛି। ଏହି ସବୁ ଅତ୍ୟାଚାରକୁ ବନ୍ଦ କରାନଗଲେ ଆଗାମୀ ଦିନରେ ଟ୍ରକ ଧର୍ମଘଟ କରାଯିବ ବୋଲି ରାଜ୍ୟ ଶାଖା ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି। ସଭାରେ ରାଜ୍ୟ ଶାଖା ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିବା ଅବସରରେ କହିଥିଲେ, ଟ୍ରକ୍‌ର ଉଚିତ୍‌ ଭଡ଼ାଧାର୍ଯ୍ୟ ପାଇଁ ଆଇନରେ ବ୍ୟବସ୍ଥା ରହିଛି। ଏ ନେଇ ବାରମ୍ବାର ରାଜ୍ୟସରକାରଙ୍କ ଦ୍ବାରା ଗଠିତ ବୈଷୟିକ କମିଟି ଭଡ଼ାଧାର୍ଯ୍ୟ ପାଇଁ ଅନୁମୋଦନ କରିଛି। କିନ୍ତୁ ଏ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରୁନାହାନ୍ତି। ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କର ଆଦେଶ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ରାଜ୍ୟ ସରକାର ବଡ଼ବଡ଼ ପରିବହନ କମ୍ପାନୀମାନଙ୍କ ଦ୍ବାରା ପ୍ରଭାବିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ମୁଖ୍ୟ ଅତିଥି ସମସ୍ତଙ୍କୁ ଶପଥପାଠ କରାଇଥିଲେ। ‘ଷ୍ଟ୍ରେସ୍‌ ଅନ୍‌ ରୋଡ୍‌ ଟ୍ରାନ୍ସପୋର୍ଟ ସର୍ଭିସେସ୍‌’ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ସଭା‌ପତି କୁମାର ପାଣି, ସାଧାରଣ ସମ୍ପାଦକ ପ୍ରଣବ ପରିଜା, ନିଖିଳ ଓଡ଼ିଶା ବସ୍‌ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ଅତ୍ୟାଚାର ଉପରେ ଆଲେକପାତ କରିଥିଲେ। ଏଥିରେ ଡିଜେଲ ଉପରେ ଜିଏସ୍‌ଟି, ଟ୍ରକ ଚେସିସ୍ ଓ ପାର୍ଟସ ଉପରୁ ଜିଏସ୍‌ଟି ହାର ବୃଦ୍ଧି ଓ ୧୫ ବର୍ଷର ପୁରୁଣା ଟ୍ରକକୁ ଅଚଳ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ପ୍ରତ୍ୟାହାର ଉପରେ ସରକାରଙ୍କୁ ଅବଗତ କରାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର