ବାରଙ୍ଗ: ଆସନ୍ତା ୨୩ ତାରିଖଠାରୁ ବାଲି, ପଥର ଓ ମୋରମ୍ ପରିବହନ କରୁଥିବା ଟ୍ରକ୍ ଓ ହାଇୱା ଚଳାଚଳ ବନ୍ଦ ରହିବ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି କଟକ ଓ ଭୁବନେଶ୍ବର ଟ୍ରକ୍ ମାଲିକ ସଂଘ ଘୋଷଣା କରିଛି। ସରକାର ସେମାନଙ୍କ ଦାବି ନ ଶୁଣିବା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବାଲିଘାଟ ଓ ମୋରମ୍ ଖଣିରେ ଚଢ଼ଉ ନକରି ଅଯଥାରେ ରାସ୍ତାଘାଟରେ ଟ୍ରକ୍ ଉପରେ ବିପୁଳ ଜରିମାନା କରାଯାଉଥିବା ପ୍ରତିବାଦରେ ଟ୍ରକ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ତେଣୁ ଆଗକୁ କଟକ, ଭୁବନେଶ୍ବର ଓ ଉପକଣ୍ଠ ଗ୍ରାମାଞ୍ଚଳରେ ବାଲି ମୋରମ୍ ମିଳିବ ନାହିଁ। ଫଳରେ ଘରୋଇ କାମ ସହିତ ବିଭିନ୍ନ ସରକାରୀ ପ୍ରକଳ୍ପ ବା ଉନ୍ନୟନ କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଆଜି ବାରଙ୍ଗ ଟ୍ରକ୍ ମାଲିକ ସଂଘ ଗୃହରେ ସଭାପତି ବିଜୟ ପଣ୍ଡାଙ୍କ ଆବାହକତ୍ବର ୬ଟି ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ବୈଠକ କରିଥିଲେ। ବୈଠକରେ ବାରଙ୍ଗ, ବାଙ୍କୀ, କଟକ ସିଡିଏ, ପ୍ରତାପ ନଗରୀ, ଖୋର୍ଦ୍ଧା ଓ ଉତ୍ତରା ଟ୍ରକ ମାଲିକ ସଂଘ ସାମିଲ ହୋଇଥିଲେ। ସଂଘ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଲଘୁ ଖଣିଜ ଦ୍ରବ୍ୟ ପରିବହନ କାର୍ଯ୍ୟରେ ନିୟୋଜିତ ଟ୍ରକ୍ ବା ହାଇୱା ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ୱାଇ ଫର୍ମ ବିନା ମାଲ ପରିବହନ କରୁଥିଲେ ବାଟରେ ବିପୁଳ ଜରିମାନା କରାଯାଉଛି। ଗାଡ଼ି ପିଛା ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଉଛି। ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ଖଣି ବା ବାଲିଘାଟରେ ଚଢ଼ଉ ନକରି ଟ୍ରକ୍ ଉପରେ ଜରିମାନା କରାଯାଉଛି। ଏ ନେଇ ସଂଘ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଆପତ୍ତି କରିଥିଲେ ମଧ୍ୟ ସେମାନଙ୍କୁ ଗୁହାରି ପ୍ରତି ଆଖି ବୁଜି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/truck-1.jpg)