ଚଢ଼େଇ ଫାଶରେ ପଡ଼ି ତମ୍ପ ଆହତ, ଓୟୁଏଟିରେ ହେଲା ଅପରେସନ୍‌

ପୁରୁଣା ଭୁବନେଶ୍ବର: ଚଢ଼େଇ ଧରିବା ପାଇଁ କ୍ଷେତରେ ବସା ଯାଇଥିଲା ଫାଶ। ହେଲେ ଚଢ଼େଇ ବଦଳରେ ଫସିଗଲା ତମ୍ପ। ଏପରି ଘଟଣା ଘଟିଛି ଟଙ୍କପାଣି ରୋଡ୍‌ ଚିଲି ପୋଖରୀ ନିକଟ ଶିବନଗର ତେଲୁଗୁ ବସ୍ତିରେ। ସେଠାରେ ରହୁଥିବା ଏନ. ତିରୁପତିଙ୍କ ଘରୁ ୫ଫୁଟ୍‌ ଲମ୍ବର ବଡ଼ ତମ୍ପ ସାପକୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ୍‌ ସଦସ୍ୟ ଅରୁଣ ବରାଳ। ଉଦ୍ଧାର ବେଳେ ସାପଟିର ଲାଞ୍ଜଠାରୁ ପ୍ରାୟ ଏକ ଫୁଟ ଦୂରରେ ଏକ ପ୍ଲାଷ୍ଟିକ ଡୋର କଷି କରି ଚାପି ହୋଇଥିବା ଦେଖିଥିଲେ। ପରେ ଅରୁଣ ସାପଟିକୁ ସ୍ନେକ ହେଲ୍ପଲାଇନ୍‌ କାର୍ଯ୍ୟାଳୟକୁ ଆଣିଥିଲେ। ଆଜି ସକାଳେ ଓୟୁଏଟି ସ୍ଥିତ ଭେଟେରିନାରି କଲେଜରେ ସାପଟିର ଅସ୍ତ୍ରୋପଚାର କରାଯାଇ ଫାସ କଢ଼ାଯାଇଛି। ଏବେ ସାପଟିର ଅବସ୍ଥା ଭଲ ଅଛି, ତେବେ ପ୍ଲାଷ୍ଟିକ ଡୋର ଚମଡ଼ା ଓ ମାଂସକୁ କାଟି ଦେଇଥିବାରୁ କ୍ଷତ ସ୍ଥାନ ଶୁଖିବା ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ। ତା’ପରେ ତାକୁ ଏକ ପ୍ରାକୃତିକ ପରିବେଶରେ ଛଡ଼ାଯିବ ବୋଲି ସର୍ଜରି ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥ ନାଥ ପ୍ରକାଶ କରିଛନ୍ତି। ଅପରେସନ ସମୟରେ ସ୍ନେକ ହେଲ୍ପ ଲାଇନ୍‌ ସଦସ୍ୟ ସିଲକା ସେଲୋନି ସହଯୋଗ କରିଥିଲେ। ସ୍ନେକ୍‌ ହେଲ୍ପଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁଯାୟୀ ସାପ ଦେହରୁ ପ୍ଲାଷ୍ଟିକ ସୂତାକୁ କାଟି ବାହାର କରାଯାଇନଥିଲେ ସଂକ୍ରମଣ ଯୋଗୁଁ ସାପଟିର ମୃତ୍ୟୁ ହୋଇଥା’ନ୍ତା।

ସମ୍ବନ୍ଧିତ ଖବର