ବିଶାଖାପାଟଣାକୁ ଲମ୍ବିଛି ତୃପ୍ତିର ଠକେଇ ଚେର…, ଦୁଇଟି ବୋଲେରୋ ପାଇଁ ଠକିଛି ୮ ଲକ୍ଷ ୭୫ ହଜାର

ମାମଲା ସଂଖ୍ୟା ୬୭ରେ ପହଞ୍ଚିଲା

ଭୁବନେଶ୍ବର : କେବଳ ରାଜ୍ୟ ଭିତରେ ସୀମିତ ନାହିଁ ହାଇପ୍ରୋଫାଇଲ ଠକ ତୃପ୍ତି ଦାସର କାରନାମା। ରାଜ୍ୟ ବାହାରୁ ବି ଲୋକଙ୍କୁ ଚୂନ ଲଗାଇଛି। ଆଜି ବିଶାଖାପାଟଣାର ଏମିତି ଏକ ଅଭିଯୋଗ ପହଞ୍ଚିଛି ବଡ଼ଗଡ଼ ଥାନାରେ। କେବଳ ବଡ଼ଗଡ଼ ଥାନାରେ ୨୩ଟି ମାମଲା ରୁଜୁ ହୋଇ ସାରିଥିବା ବେଳେ ଭୁବନେଶ୍ବରର ବିଭିନ୍ନ ଥାନାରେ ମାମଲା ସଂଖ୍ୟା ୬୭ରେ ପହଞ୍ଚିଛି।

ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ତେଜରାଜଙ୍କ ଘର ବିଶାଖାପାଟଣାରେ। ତାଙ୍କର ଗାଡ଼ି ବ୍ୟବସାୟ। ଆଉ ଦୁଇଟି ବୋଲେରୋ କିଣିବା ପାଇଁ ସେ ଓଏଲଏକ୍ସରେ ବିଜ୍ଞାପନ ଦେଖୁଥିଲେ। ସେତିକିବେଳେ ତୃପ୍ତିର ଶ୍ରୀମୋଟର୍ସ ବିଜ୍ଞାପନ ଆସିଥିଲା। ସେଥିରେ ବୋଲେରୋ ଫଟୋ ସହ ତୃପ୍ତିର ନମ୍ବର ଦିଆଯାଇଥିଲା। ତେଜରାଜ ସେହି ଯୋଗାଯୋଗ କରିବାରୁ ତୃପ୍ତି ତାଙ୍କୁ ଦୁଇଟି ବୋଲେରୋ ନମ୍ବର ଦେଇଥିଲା। ସେହି ନମ୍ବରର ସେ ମାଲିକାନା ଯାଞ୍ଚ କରିଥିଲେ। ଏହା ପରେ ଭୁବନେଶ୍ବର ଟଙ୍କପାଣିରୋଡ୍‌ ପାଣ୍ଡବନଗରରେ ଥିବା ଶ୍ରୀମୋଟର୍ସ ଅଫିସକୁ ଆସି ଗାଡ଼ି ଦେଖିଥିଲେ। ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ହୋଇଥିଲେ ମଧ୍ୟ ଗାଡ଼ି ବେଶି ପୁରୁଣା ନଥିଲା। ସେହି ଦୁଇଟି ଗାଡ଼ି କିଣିବା ପାଇଁ ତେଜରାଜ ମନସ୍ଥ କରିବା ପରେ ଡିଲ୍ କରିଥିଲେ। ୯ଲକ୍ଷ ଟଙ୍କାରେ ମୂଲଚାଲ ହୋଇଥିଲା। ତେଜରାଜ ବିଭିନ୍ନ ପର୍ଯ୍ୟାୟରେ ୮ ଲକ୍ଷ ୭୫ ହଜାର ଟଙ୍କା ଦେଇଥିଲେ। ଗାଡ଼ିର କାଗଜପତ୍ର ଅପଡେଟ୍ କରି ସପ୍ତାହେ ଭିତରେ ଦେବ ବୋଲି କହିଥିଲା ତୃପ୍ତି। ଏମିତି ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ଗାଡ଼ି ଦେଇ ନ ଥିଲା କିମ୍ବା ଟଙ୍କା ଫେରସ୍ତ କରି ନ ଥିଲା। ତେଜରାଜ ଭୁବନେଶ୍ବର ଆସିଥିଲେ ମଧ୍ୟ ତା’ର ସନ୍ଧାନ ପାଇ ନ ଥିଲେ। ତୃପ୍ତି ଗିରଫ ହେବା ଖବର ଜାଣିବା ପରେ ଆଜି ସେ ଭୁବନେଶ୍ବରରେ ପହଞ୍ଚି ଅଭିଯୋଗ କରିଥିଲେ। ତୃପ୍ତି ଗିରଫ ହେବା ପରେ ତା’ ବିରୋଧରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ପୁଲିସ କୋର୍ଟକୁ ଅବଗତ କରିବ ବୋଲି ଜଣାପଡ଼ିଛି। ଏସବୁ ମାମଲାରେ ଠକେଇ ପରିମାଣ ଦୁଇ କୋଟିକୁ ଛୁଇଁବ ବୋଲି ପୁଲିସ ଅନୁମାନ କରୁଛି। ତେଣୁ ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆଣିପାରେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର